ପଦଯାତ୍ରା ପଲିଟିକ୍ସ
ଐତିହ୍ୟ କ୍ଷେତ୍ର ସୁରକ୍ଷା ପାଇଁ ସାଂସଦଙ୍କ ଐତିହ୍ୟ ପଦଯାତ୍ରା । ପୂର୍ବରୁ ଏକାମ୍ର କ୍ଷେତ୍ରରେ ବାଇ-ଲ ନେଇ ବିଭିନ୍ନ ମତ ଦେଇ ଚର୍ଚ୍ଚାରେ ଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହେରିଟେଜ ୱାକ । ୧୯୫୮ ଆମସାର୍ ଆଇନ୍ ଅଧିନରେ ଏକାମ୍ର କ୍ଷେତ୍ରର ବିକାଶ କାମ ପାଇଁ ଦାବି କରି ଆସୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଐତିହ୍ୟ ଓ କିର୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ପଦଯାତ୍ରା କରିଛନ୍ତି । ରାଜ୍ୟରେ ଐତିହ୍ୟ, ମଠ ଓ ମନ୍ଦିରର ସୌନ୍ଦର୍ୟ୍ୟକରଣ କରଯାଉ । ହେଲେ ଏଥିପାଇଁ ବୁଲଡୋଜର ଲଗା ନଯାଉ ବୋଲି କହିଛନ୍ତି ଅପରାଜିତା ।
ଏକ ଅଣରାଜନୈତିକ ସଂଗଠନ ସମର୍ଥ ପକ୍ଷରୁ ଆୟୋଜିତ ଐତିହ୍ୟ ପଦଯାତ୍ରାରେ ଯୋଗ ଦେଇଛନ୍ତି ଅପରାଜିତା । ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରରୁ କେଦାର ଗୌରୀ ମନ୍ଦିର ଯାଏଁ ପଦଯାତ୍ରା ହୋଇଛି। ତେବେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ହେରିଟେଜ୍ ଓ୍ୱାକ୍ ଚାଲିବ ବୋଲି ସାଂସଦ କହିଛନ୍ତି। ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଐତିହ୍ୟ ଗୁଡ଼ିକର ସୁରକ୍ଷା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଆମ ରାଜ୍ୟ ହେଉଛି ମଠ ଓ ମନ୍ଦିରର ରାଜ୍ୟ । ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ ନ କରି ବିକାଶ କରାଯିବାକୁ ସମସ୍ତେ ଚାହାନ୍ତି। ବିକାଶକୁ କେହି ବିରୋଧ କରୁନାହାନ୍ତି। ବିକାଶର କୌଣସି ଦଳ ନଥାଏ। ସାଂସଦ ଭାବେ ମୁଁ ସର୍ବଦା ବିକାଶ ପାଇଁ କାମ ଚଳାଇଛି। ମଠ ଓ ମନ୍ଦିରକୁ ନେଇ ସୌନ୍ଦର୍ୟ୍ୟକରଣ କରିବା ଦରକାର ବୋଲି କହିଛନ୍ତି ସାଂସଦ।
ପଦଯାତ୍ରା ସମୟରେ ଅପରାଜିତା କହିଛନ୍ତି ଭୁବନେଶ୍ୱରରେ ମଠ, ମନ୍ଦିର ଓ ଐତିହ୍ୟ କିପରି ସୁରକ୍ଷିତ ରହିବ ସେନେଇ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଐତିହ୍ୟ ପଦଯାତ୍ରା କରାଯାଉଛି । ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଐତିହ୍ୟର ସୁରକ୍ଷା ପାଇଁ ସେ ପ୍ରତିଶ୍ରୁତିବଦ୍ଧ।
ଆମସାର୍ ଆଇନ ଅନୁସାରେ ବିକାଶ ପାଇଁ ଅପରାଜିତା କହୁଥିବା ବେଳେ ବିଜେଡି କିନ୍ତୁ ମନ୍ଦିର ଚତୁଃପାର୍ଶ୍ବରେ ଜବରଦଖଲ ଉଚ୍ଛେଦ ସହ ସୌନ୍ଦର୍ୟ୍ୟକରଣ କାମ କରିଆସୁଛି । ଶୁକସାରୀ ଓ ଅନ୍ୟ ମନ୍ଦିରର ଖନନ ଦ୍ୱାରା କେମିତି ପ୍ରାଚୀନ କିର୍ତିରାଜି ସବୁକୁ ନଷ୍ଟ କରାଯାଉଛି, ସେ ସମ୍ପର୍କରେ ବି ଅପରାଜିତା ପୂର୍ବରୁ ସିରିଜ୍ ଟୁଇଟ୍ କରିସାରିଛନ୍ତି ।