ନିର୍ବାଚନ ସରିଲା, ନିର୍ବାଚନମଣ୍ଡଳୀ କଥା ମନେ ପଡିଲା!
ନିର୍ବାଚନ ସରିଲା ପରେ ଏବେ ମନେପଡିଲା ନିର୍ବାଚନୀ ମଣ୍ଡଳୀ କଥା । ଆମେ କହୁଛୁ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କ ବିଷୟରେ । ଦିଲ୍ଲୀରେ ରହି ଦଳର କଥା ବୁଝୁଥିଲେ, କିନ୍ତୁ ନିଜ ଅଂଚଳର ଲୋକଙ୍କ କଥା ଭୁଲିଯାଇଥିଲେ । ନିକଟରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପଶ୍ଚିମବଙ୍ଗ,ଆସାମ, କେରଳ, ତାମିଲନାଡୁ ପୁଡୁଚେରୀ, ନିର୍ବାଚନ ଥିଲା । ଆଉ ଏଥିପାଇଁ ସାଂସଦ ମ୍ୟାଡାମ ଦିଲ୍ଲୀରେ ରହି ଦଳର ଷ୍ଟ୍ରାଟେଜି କଣ ରହିବ ସେ ନେଇ ବିିଭିନ୍ନ ଜାତୀୟ ଗଣମାଧ୍ୟମରେ ଦଳ ସପକ୍ଷରେ ଚାଟୁକାରିତା କରୁଥିଲେ । କିନ୍ତୁ ଯେଉଁମାନେ ତାଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି ଅର୍ଥାତ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସମସ୍ୟା ବୁଝିବାକୁ ସମୟ ନଥିଲା ସାଂସଦଙ୍କ ପାଖରେ । ଆଉ ଏବେ ଦିଲ୍ଲୀରୁ ଫେରିବା ପରେ ଯେଉଁସମୟରେ ସଂକ୍ରମଣ କମିବା ଆରମ୍ଭ କଲାଣି ସେତିକିବେଳେ ମ୍ୟାଡାମ ହଠାତ ଆକ୍ଟିଭ ହୋଇଯାଇଛନ୍ତି ।
ବିଳମ୍ବରେ ହେଉ ପଛେ ଏତେ ଦିନ ପରେ ସାଂସଦଙ୍କର ମନେ ପଡିଲା ନିଜ ନିର୍ବାଚନ ମଣ୍ଡଳୀ କଥା । ଏପ୍ରିଲ ପହିଲାରୁ ରାଜ୍ୟରେ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଉ ଏବେ ଆସି ହେଲୋଣି ମେ’ ମାସ ଅଧା । ପାଖାପାଖି ଦେଢ ମାସ ଉପରେ ହେବ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରହିଛି । ଖୋର୍ଦ୍ଧାରୁ ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଉ ଏହା ମଧ୍ୟରୁ ଭୁବନେଶ୍ୱରରେ ପ୍ରତିଦିନ ବାହାରୁଛନ୍ତି ହଜାରେରୁ ଅଧିକ ଆକ୍ରାନ୍ତ । ରାଜଧାନୀର ସ୍ଥିତି ସଂଗୀନ ଥିବା ବେଳେ ଏଯାଏ କୋଭିଡ ମୁକାବିଲା କରିବାରେ କୌଣସି ପଦକ୍ଷେପ ନେବାରେ ସାଂସଦଙ୍କ ଦେଖାମିଳିନଥିଲା । ଆଉ ଏବେ ସଂକ୍ରମଣ କମିଆସୁଥିବା ସମୟରେ ତତ୍ପର ହୋଇପଡିଛନ୍ତି ସାଂସଦ । କୋଭିଡ ପରିଚାଳନାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ଏବେ ସାଂସଦ ଅପରାଜିତା ଷଡଙ୍ଗୀ ହଠାତ ସହାନୁଭୂତି ସାଉଁଟିବାରେ ଲାଗିପଡିଛନ୍ତି । ସାଂସଦ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କୋଭିଡ ଟିକାକରଣ କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଲୋକମାନେ ସାମନା କରୁଥିବା ବିଭିନ୍ନ ଅସୁବିଧା ସଂପର୍କରେ ମଧ୍ୟ ପଚାରିବୁଝିଛନ୍ତି । ଟିକାକରଣ ସଠିକ୍ ଭାବେ ଚାଲିଛି କି ନାହିଁ ସେନେଇ ତଦାରଖ କରିବା ସହ ସ୍ଥିତି ମଧ୍ୟ ପରଖିଛନ୍ତି ।
ଟିକାକରଣ କେନ୍ଦ୍ର ବୁଲିବା ପରେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ଖୁବ ଶୀଘ୍ର ଟିକା ଅଭାବ ସମସ୍ୟାର ସମାଧାନ ହେବ । ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଉଦ୍ୟମ ଜାରି ରଖିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ସଫଳତାର ସହିତ କୋଭିଡ ମୁକାବିଲା କରୁଛନ୍ତି । ସଂକ୍ରମଣ ଗ୍ରାଫ୍ ବି ତଳମୁହାଁ ହେଉଛି । ବିଭିନ୍ନ କମ୍ପାନୀ ଟିକା ପ୍ରସ୍ତୁତ କରୁଛନ୍ତି । ଆଗାମୀ ଦିନରେ ପର୍ୟ୍ୟାପ୍ତ ଟିକା ମିଳିବ । ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଏହା ଶୀଘ୍ର ମିଳିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସେ ଯାହା ବି ହେଉ ଡେରିରେ ହେଉ ପଛେ ସାଂସଦଙ୍କ ଏଭଳି ଟିକାକରଣ କେନ୍ଦ୍ର ବୁଲି ଲୋକଙ୍କ ସମସ୍ୟା ବୁଝିବା ପ୍ରଶଂସାଯୋଗ୍ୟ । କିନ୍ତୁ ସଂକ୍ରମଣ ବ୍ୟାପିବାର ଆରମ୍ଭରୁ ଯଦି ଲୋକଙ୍କ ସହ ଛିଡାହୋଇଥାନ୍ତେ ତାହେଲେ ସାଂସଦଙ୍କ କୋଭିଡ ପରିଚାଳନାକୁ ନେଇ ଏତେଟା ହୁଏତ ପ୍ରଶ୍ନ ଉଠିନଥାନ୍ତା । ନିଜ ନିଜ ଅଂଚଳର ସ୍ୱାସ୍ଥ୍ୟ ସେବା କଥା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନ କ୍ରମେ ସାଂସଦ ଏବେ ତାଙ୍କର କୋଭିଡ ମୁକାବିଲା ଅଭିଯାନ ଆରମ୍ଭ କରିଥିବା କୁହାଯାଉଛି ।