ବିଧାୟକ ଏକାଦଶରେ ଭବିଷ୍ୟତର ବିଧାୟକ?
ବର୍ତ୍ତମାନର ପ୍ରସ୍ତୁତି ଓ ପରିଶ୍ରମ ଉପରେ ଭବିଷ୍ୟତ ନିର୍ଭର କରିଥାଏ ।ସେ ଖେଳ ହେଉ କି ଗୀତ,ନାଚ । ସେ ପରୀକ୍ଷା ହେଉ କି ପଲିଟିକ୍ସ । ସବୁ କ୍ଷେତ୍ରରେ ଭବିଷ୍ୟତକୁ ଆଖି ଆଗରେ ରଖି ବର୍ତ୍ତମାନ ଠାରୁ ଜୋରଦାର କସରତ କରିବାକୁ ପଡିଥାଏ । ଆଉ ଯାହାର ଝଲକ ବିଜେଡି ଦ୍ୱାରା ଆୟୋଜିତ ଏମପିଏଲ ବା ମୟୂରଭଞ୍ଜ ପ୍ରିମିୟର ଲିଗରେ ଦେଖିବାକୁ ମିଳିଛି । ଆପଣ ବୋଧହୁଏ ଭାବୁଥିବେ ଏମପିଏଲ ସହ କାହାର ଉଜ୍ଜ୍ୱଳ ଭବିଷ୍ୟତର କଣ ବା ସମ୍ପର୍କ ରହିଛି । କିନ୍ତୁ ମାର୍ଚ୍ଚ ୬ରେ ମୟୂରଭଞ୍ଜରେ ଖେଳାଯାଇଥିବା ଏମପିଏଲରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁ ମ୍ୟାଚରେ ଓଡ଼ିଶା ବିଧାୟକ ଏକାଦଶ ଓ ମୟୂରଭଞ୍ଜ ଜିଲ୍ଲା ବିଜେଡି ଟିମ୍ ସାମ୍ନାସାମ୍ନି ହୋଇଥିଲେ । ଓଡ଼ିଶା ବିଧାୟକ ଏକାଦଶ ଏହି ମ୍ୟାଚରେ ଏକତରଫା ଭାବେ ବିଜୟ ହାସଲ କରିଥିଲା । କିନ୍ତୁ ପଡିଆ ଭିତରେ ଆମ ଆଖିକୁ ଚମକାଇ ଦେଲା ଭଳି ଯେଉଁ ଚରିତ୍ର ବାରମ୍ବାର ସାମ୍ନାକୁ ଆସିଥିଲେ ସେ ଥିଲେ ବିଜେଡି ନେତା ତଥା ଓଲିଉଡ ନାୟକ ଅରିନ୍ଦମ ରୟ ।
ଏମପିଏଲରେ ବିଧାୟକ ଏକାଦଶ ଓ ମୟୂରଭଞ୍ଜ ଜିଲ୍ଲା ବିଜେଡି ମଧ୍ୟରେ ମ୍ୟାଚ୍ ପରେ ଅରିନ୍ଦମଙ୍କୁ ନେଇ ଏବେ ମୟୂରଭଞ୍ଜ ସମେତ ବିଜେଡି ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବିଧାୟକ ଏକାଦଶ ଟିମ ପକ୍ଷରୁ ମୈଦାନକୁ ଓହ୍ଲାଇଥିଲେ ଅରିନ୍ଦମ ଓ ପଡିଆରେ ବେଶ ଆକ୍ଟିଭ ମଧ୍ୟ ଜଣାପଡୁଥିଲେ । ବ୍ୟାଟିଂ ଓ ବୋଲିଂ ସହ କିପିଂ କରିଥିଲେ ଅରିନ୍ଦମ । ତେବେ ବିଧାୟକ ଏକାଦଶରେ ଅରିନ୍ଦମ ଖେଳିବା ଆମକୁ ଟିକିଏ ଚକିତ କରିଥିଲା । ଆମେ ବାରମ୍ବାର ଏହାର କାରଣ ଖୋଜୁଥିବା ବେଳେ କେହି ଜଣେ ଦଳୀୟ କର୍ମୀ କହିଲେ ଆଜ୍ଞା ବିଧାୟକ ଏକାଦଶରେ ଭବିଷ୍ୟତର ବିଧାୟକ ଖେଳୁଛନ୍ତି । ଯେଉଁଥିପାଇଁ ଏବେଠୁ ଅଭ୍ୟାସ ଆରମ୍ଭ ହେଲାଣି । ଆମ ମୁଣ୍ଡକୁ ଏକଥାଟା ସହଜରେ ଜୁଟିଲାନି । ତେଣୁ ଏ ବାବଦରେ ପୁଣିଥରେ ଉକ୍ତ କର୍ମୀଙ୍କ ଠାରୁ ଜାଣିବାକୁ ଚାହିଁଲୁ ଏ କେମିତି ବା ସମ୍ଭବ? ଆଉ ସେ ଯେଉଁ ଉଦାହରଣ ଦେଇ ବୁଝାଇଲେ ସେଥିରେ ମଧ୍ୟ କିଛି ବାସ୍ତବତା ଥିବା ଭଳି ଲାଗିଲା ।
ଉକ୍ତ କର୍ମୀଙ୍କ ଉଦାହରଣ ଅନୁଯାୟୀ, ଅରିନ୍ଦମ ହେଉଛନ୍ତି ବିଜେଡିର ପ୍ରଭାବଶାଳୀ ନେତାଙ୍କ ପାରିବାରିକ ସମ୍ପର୍କୀୟ । ତେଣୁ ଦଳରେ ତାଙ୍କର ଗୁରୁତ୍ୱ ରହିବା ସ୍ୱାଭାବିକ । ଏହାଛଡା ବିଜେଡି ଏବେ କେନ୍ଦ୍ରାପଡା ସାଂସଦଙ୍କୁ ସାଇଡଲାଇନ କରିଥିବା ବେଳେ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ରାଜନୀତିରୁ ୨୦୧୯ ପରେ ଏକପ୍ରକାର ନିଖୋଜ ହୋଇଯାଇଛନ୍ତି । ତେଣୁ ଏଭଳି ସ୍ଥଳେ ଓଲିଉଡ ଷ୍ଟାର ଅରିନ୍ଦମ ରୟଙ୍କର ଉପସ୍ଥିତି ଏବେ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ଏମିତି ବି ଅରିନ୍ଦମ ଦଳ ପାଇଁ ଲଗାତାର ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଅନୁଭବ ଓ ସିଦ୍ଧାନ୍ତଙ୍କ ଭଳି ଏବେ ଅରିନ୍ଦମ ଦଳ ପାଇଁ କ୍ରାଉଡ ପୁଲର ଭାବେ ସାମ୍ନାକୁ ଆସିଛନ୍ତି । ତେଣୁ ଅନୁଭବ ଓ ସିଦ୍ଧାନ୍ତଙ୍କୁ ଯେଉଁଭଳି ଭାବେ ଉପହାରରେ ଟିକେଟ ଦିଆଗଲା ବୋଧହୁଏ ଆଗାମୀ ନିର୍ବାଚନରେ ସେହି ଫର୍ମୁଲାରେ ଅରିନ୍ଦମଙ୍କ ଉପରେ ସୁନା କଳସ ଢାଳି ପାରନ୍ତି ବିଜେଡି ସୁପ୍ରିମୋ ।
ହଁ ଏବେ ଆସିବା ଏମପିଏଲ କଥାକୁ । ବିଜେଡି କର୍ମୀଙ୍କ ଠାରୁ ଏକଥା ଶୁଣିବା ପରେ ଆମ ମନରୁ ବି ଟିକିଏ ଦ୍ୱନ୍ଦ୍ୱ ଦୂର ହେଲା । ଏବେ ସିନା ଅରିନ୍ଦମ ବିଜେଡି ନେତା ଅଛନ୍ତି ତେବେ ଆଗକୁ ତାଙ୍କ ନାଁ ସହ ବିଧାୟକର ଟ୍ୟାଗ ଯେ ନ ଲାଗିବ ତାହା କିଏ ବା କହିପାରିବ । ସେଥିପାଇଁ ବୋଧହୁଏ ସଫଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେଠୁ ଅଭ୍ୟାସ ଆରମ୍ଭ କରିଛନ୍ତି ଅରିନ୍ଦମ । ବିଧାୟକ ମାନଙ୍କ ଟିମରେ କ୍ରିକେଟ ଖେଳି ଭବିଷ୍ୟତରେ ବିଧାୟକ ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି କି ଅରିନ୍ଦମ । ଏଭଳି ଏକ ପ୍ରଶ୍ନ ଏବେ ବିଜେଡି ରାଜନୀତିରେ ଚର୍ଚ୍ଚାର ପରିସରକୁ ଆସିଛି ।