ପନ୍ଦର ଦିନରେ ଖୋଲିବ ‘ପରୀ’ ରହସ୍ୟ
୫ ବର୍ଷର କୁନି ଝିଅ ପରୀ ହତ୍ୟାକାରୀ କିଏ? ପରୀ ହତ୍ୟା ପଛର କାରଣ କଣ ? ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ଉଠାଇବାକୁ ଏବେ ଲାଗିପଡିଛି ଏସଆଇଟି । ଏହାରି ଭିତରେ ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଡିଜିପି କ୍ୟାମ୍ପରେ ଆଜି ପରୀ ମୃତ୍ରୁ୍ୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।ବୈଠକ ପରେ ଅରୁଣ ବୋଥ୍ରା କହିଛନ୍ତି ଯେ, ଏସଆଇଟି ଗଠନକୁ ୪ ଦିନ ବିତିଛି । ଦୁଇ ସପ୍ତାହ ସମୟ ଦିଅ । ଦୁଇ ସପ୍ତାହ ଭିତରେ ସବୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ତାଙ୍କ ଉପରେ ଭରସା ରଖିଛନ୍ତି । ଲୋକଙ୍କର ମଧ୍ୟ ତାଙ୍କ ଉପରେ ଭରସା ଥିବା ସେ କହିଛନ୍ତି ।
ଏପଟେ ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ଚଢ଼ାଉ କରିଛି ଏସଆଇଟି ଟିମ୍ । ଘରେ ଯାଂଚ୍ କରିବା ସହ ଉଭୟ ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଏକ ଘଂଟା ଧରି ଜେରା କରିଥିଲା ଏସଆଇଟି । ଆଉ ଏହାରି ବିଜୟ ବେହେରା ଓ କାହ୍ନୁ ବେହେରାଙ୍କୁ ଉଠାଇ ନେଇ ଜେରା କରାଯାଇଛି ।
ପରୀ ମୃତ୍ୟୁ ଘଟଣାକୁ ୪ ମାସ ବିତି ଯାଇଥିଲେ ମଧ୍ୟ ନୟାଗଡ଼ ପୁଲିସ୍ର ଶୀଥିଳତା ଯୋଗୁଁ ମାମଲା ଏତେ ବାଟକୁ ଆଗେଇ ଗଲା ବୋଲି ଚର୍ଚ୍ଚା ହେଉଛି । ସେପଟେ ପରୀ ମୃତ୍ୟୁ ମାମଲାରେ ନୟାଗଡ ଏସପିଙ୍କୁ ଦିଲ୍ଲୀ ଡାକରା ହୋଇଛି । ଏନସିପିସିଆର ବା ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ଏସପିଙ୍କୁ ସମନ କରାଯାଇଛି ।