ଯଦି ଅରୁଣ ଦିଅନ୍ତି ଇସ୍ତଫା? ବିଜେପି ଜିତିବ, ବିଜେଡି ହାରିବ !
ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଡି ବସିଛି ରାଜ୍ୟ ବିଜେପି । ଦଳ ସିବିଆଇ ତଦନ୍ତ ଏବଂ ଇସ୍ତଫାକୁ ମୁଳ ମୁଦ୍ଦା କରି ଲଢେଇକୁ ଶାଣିତ କରୁଛି । ଆଉ ଏହାରି ଭିତରେ ଚର୍ଚ୍ଚା ଆରମ୍ଭ ହୋଇଛି, ନୟାଗଡ ବିଧାୟକ ତଥା କୃଷି ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବାଦ୍ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ଖବର ହୁଏତ କେବଳ ଚର୍ଚ୍ଚା ଭିତ୍ତିକ ହୋଇଥାଇପାରେ ହେଲେ ଯଦି ଏହା ବାସ୍ତବତାର ରୁପ ନେବେ ତାହେଲେ ବିଜେଡି ଦଳ ଭିତରେ ଏକ ଭୁଲ ବାର୍ତ୍ତା ଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଆରମ୍ଭରୁ ପରୀ ମାମଲାରେ ଅରୁଣ ସାହୁ ବିବାଦ ଭିତରେ ରହିଛନ୍ତି । ହେଲେ ଯେଉଁ ମୁଳ ପ୍ରଶ୍ନ ଉଠୁଛି, ସତରେ କଣ ପରୀ ହତ୍ୟାକାରୀଙ୍କୁ ଅରୁଣ ସାହୁ ସୁରକ୍ଷା ଦେଇଥିଲେ? ସତରେ କଣ ସେ ପୁଲିସ ଉପରେ ଚାପ ପକାଇଥିଲେ? ସତରେ କଣ ଲୋକ ଲଗାଇ ସେ ପରିବାର ସଦସ୍ୟଙ୍କୁ ଧମକ ଚମକ ଦେଇଥିଲେ? ଏହାର ଉତ୍ତର ଭିନ୍ନ ଲୋକ ଭିନ୍ନ ପ୍ରକାରର ଦେଇପାରନ୍ତି । ହେଲେ ଅରୁ ସାହୁଙ୍କ ପାଖଲୋକଙ୍କର କହିବା କଥା ହେଲା ନିଜର ସମସ୍ତ ଗୋଟିକୁ ବୁଝିଶୁଝି ଚଳାଉଥିବା ଅରୁଣ କେବେ ମଧ୍ୟ ଏତେବଡ ଭୁଲ କରିବେ ନାହିଁ । ତେଣୁ ଅଯଥାରେ ତାଙ୍କୁ ବଦନାମ କରିବାକୁ ଏକ ଗୋଷ୍ଠୀ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି ।
୨୦୧୯ ନିର୍ବାଚନରେ ଜିତିବା ପରେ ଦଳର ୟଙ୍ଗ ବ୍ରିଗେଡ କାହାକୁ ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇନଥିଲା । ହେଲେ ନବୀନଙ୍କ ଅତି ବିଶ୍ୱସ୍ତ ହୋଇଥିବା ଅରୁଣ ସାହୁ କିନ୍ତୁ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ଏହା ସେତେବେଳେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରେ ନିଜ ବୁଦ୍ଧି ଲଗାଇ ଅରୁଣ ସାହୁ ଏକାଧିକ ଏଭଳି ନିଷ୍ପତ୍ତି ନେଲେ ଯାହା କୃଷକଙ୍କ ଜୀବନରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଲା । ସେହିଭଳି ଅରୁଣଙ୍କୁ ମନ୍ତ୍ରୀପଦ ମିଳିବା ପରେ ଖପ୍ପା ଥିବା ୟଙ୍ଗ ବ୍ରିଗେଡଙ୍କର ବି ସେ ନିକଟତର ହୋଇଯାଇଥିଲେ । ନିଜ ରାଜନୈତିକ ଗୋଟିଚାଳନା ଏଥିପାଇଁ ଅରୁଣଙ୍କୁୁ ସବୁବେଳେ ଅନ୍ୟମାନଙ୍କ ଠାରୁ ଆଗରେ ରଖେ ।
ଆଉ ଏବେ ଯେଉଁ ବିବାଦ ଦେଖାଯାଇଛି, ସେହି ସମୟରେ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଅରୁଣ ସାବୁଙ୍କୁ ବାଦ୍ ଦେଉଛନ୍ତି ତେବେ ଲାଗିବ ବିଜେପି ଏଥିରେ ବାଜି ମାରିନେଲା । ଦଳର ଚାପକୁ ବିଜେଡି ଗ୍ରହଣ କରିପାରିଲା ନାହିଁ । ପରୀକୁ ନେଇ ବିଜେପି ଲଢୁଥିବା ରାଜନୈତିକ ଲଢେଇରେ କେବେ ବାଜିମାତ୍ କରୁ ଏହା କୈାଣସି ବିଜେଡି ନେତା କିମ୍ବା କର୍ମୀ ଚାହିଁବେ ନାହିଁ । ତେଣୁ ଏଭଳି ପରିସ୍ଥିତିରେ ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଢଳରୁ ବାଦ୍ ନଦେବାକୁ କିଛି ନେତା ନବୀନଙ୍କୁ ପରାମର୍ଶ ଦେଉଥିବା କୁହାଯାଉଛି ।
ଅରୁଣ ସାହୁ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଲେ ରାଜ୍ୟରେ ବିଜେପି ଆହୁରି ଶକ୍ତିଶାଳୀ ହେବାର ଯଥେଷ୍ଟ ସମ୍ଭାବନା ରହିବ । ସେହିଭଳି ଚାପ ପକାଇ ଜଣଙ୍କୁ ମନ୍ତ୍ରୀ ପଦରୁ ବାଦ୍ ଦିଆଯାଇପାରେ ଏଭଳି ଟ୍ରେଣ୍ଡ ମଧ୍ୟ ରାଜ୍ୟରେ ସୃଷ୍ଟି ହେଉ ଏହା ବିଜେଡିର ପାୱାର ସେଣ୍ଟର କେବେ ମଧ୍ୟ ଚାହିଁବେ ନାହଁ । ବିଜେପିର ମନୋବଳ ଦୃଢ ହେଉ, ଏହାକୁ ବିଲକୁଲ ବରଦାସ୍ତ କରିବେ ନାହିଁ ଦଳୀୟ କର୍ମୀ । ତେଣୁ ଯଦି ଅରୁଣ ସାହୁଙ୍କୁ ନବୀନ କ୍ୟାବିନେଟରୁ ବାଦ୍ ଦେବାକୁ ନିଷ୍ପତ୍ତି ପୂର୍ବରୁ ନେଇଥିଲେ ତଥାପି ତାକୁ କାର୍ଯ୍ୟକାରୀ କରିବାର ଏହା ଉପଯୁକ୍ତ ସମୟ ନୁହେଁ । ତେଣୁ ବହୁ ଆଡୁ ଭାବିଚିନ୍ତି ମୁଖ୍ୟମନ୍ତ୍ରୀଙ୍କୁ ନିଜ କ୍ୟାବିନେଟରେ ଅଦଳବଦଳ କରିବାର ଆବଶ୍ୟକତା ରହୁଛି ।
ଶେଷରେ ଯେଉଁ ଦିଗଟିକୁ ଦଳୀୟ ମୁଖିଆ ବୁଝିବାର ଆବଶ୍ୟକତା ଅଛି ତାହେଲା, ଅରୁଣ ସାହୁ ବାଦ୍ ପଡିଲା ମାନେ ବିଜେପିର ତମାମ ଅଭିଯୋଗ ସତ ପ୍ରମାଣିତ ହୋଇଯିବ । ଅର୍ଥାତ୍ ପରୀ ମାମଲାରେ ବିଜେପି ଆଣୁଥିବା ସମସ୍ତ ଅଭିଯୋଗରେ ସତ୍ୟତା ଥିବା ବିଜେପି ପ୍ରଚାର କରିବ, ଯାହା ବିଜେଡିର ଭବିଷ୍ୟତ ପାଇଁ ଏକ ଭଲ ସଂକେତ ନହୋଇପାରେ ।