ସାର୍ ନୁହେଁ, ମୋତେ ବସ୍ ଡାକିବ.!
ସାର୍ ନୁହେଁ, ମୋତେ ବସ୍ ଡାକିବ । ବିଭାଗୀୟ ବୈଠକରେ ଜଣେ ସିଗନାଲ ଇଞ୍ଜିନିୟରଙ୍କୁ ଏମିତି କହିଲେ ନୂଆ କରି ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ । ଆଉ ଏହି କଥା ଶୁଣିବା ପରେ ଆପଣଙ୍କ ମନକୁ ବି ପ୍ରଶ୍ନ ଆସୁଥିବ ମନ୍ତ୍ରୀ ଭାବେ ଦାୟିତ୍ୱ ନେଉ ନେଉ ଅଶ୍ୱିନୀଙ୍କର ଇଏ କେମିତିକା ବ୍ୟବହାର? ଜଣେ ମନ୍ତ୍ରୀ ଜଣେ ସରକାରୀ ଚାକିରିଆଙ୍କୁ ଏମିତି କେମିତି କହିପାରିବେ । ଏଭଳି ଧାରଣା ଆସିବା ବି ସ୍ୱାଭାବିକ । କିନ୍ତୁ ବାସ୍ତବରେ ଏହା ପଛରେ ଏକ ମଜାଦାର କାହାଣୀ ରହିଛି, ଯାହା ଅଶ୍ୱିନୀଙ୍କ କୁଲ୍ ଅନ୍ଦାଜକୁ ଦର୍ଶାଉଛି ।
ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଅଶ୍ୱିନୀଙ୍କୁ ରେଳ ବିଭାଗର ଦାୟିତ୍ୱ ମିଳିଛି । ଆଉ ରେଳ ବିଭାଗର ଦାୟିତ୍ୱ ନେଉ ନେଉ ଆକ୍ଟିଭ ମୋଡକୁ ଆସିଛନ୍ତି ଅଶ୍ୱିନୀ । ରେଳ ବିଭାଗ କର୍ମଚାରୀଙ୍କ କାର୍ୟ୍ୟ ସମୟ ବା ସିଫ୍ଟରେ ପରିବର୍ତ୍ତନ ଆଣିଛନ୍ତି ମନ୍ତ୍ରୀ ମହୋଦୟ । ଯେଉଁଥିପାଇଁ ପ୍ରଥମ ଦିନରୁ ହିଁ ଚର୍ଚ୍ଚାକୁ ଆସିଛନ୍ତି ଅଶ୍ୱିନୀ । କିନ୍ତୁ ଏବେ ଅଶ୍ୱିନୀଙ୍କ ବିଭାଗୀୟ ବୈଠକର ଏକ ଭିଡ଼ିଓକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଶୁକ୍ରବାର ଅଶ୍ୱିନୀ ନିଜ ବିଭାଗର ସିଗନାଲ ଇଞ୍ଜିନିୟରଙ୍କ ସହ ବୈଠକ କରିଥିଲେ । ଆଉ ଏହି ବୈଠକରେ ଜଣେ ଇଞ୍ଜିନିୟର କହିଥିଲେ ଯେ, ଅଶ୍ୱିନୀ ବୈଷ୍ଣବ ସାର୍ ଯେଉଁ କଲେଜରେ ପାଠ ପଢିଥିଲେ ସେ ମଧ୍ୟ ସେହି କଲେଜରୁ ପଢିଛନ୍ତି । ଆଉ ଏହାଶୁଣି ଅଶ୍ୱିନୀ କହିଥିଲେ ଆମ କଲେଜରେ ଜୁନିୟର ଛାତ୍ର ସିନିୟରଙ୍କୁ ସାର୍ ନୁହେଁ ବସ୍ କହିଥାନ୍ତି । ତେଣୁ ଆପଣ ମଧ୍ୟ ମୋତେ ବସ୍ ଡାକିବେ । ଅତି ମଜାଳିଆ ଅନ୍ଦାଜରେ ଅଶ୍ୱିନୀ କିଛି ଏମିତି କହିଥିଲେ । ଆଉ ମନ୍ତ୍ରୀଙ୍କ ଏଭଳି ଥଟ୍ଟାମଜା ବୈଠକରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା । ଏହାସହ ଅଶ୍ୱିନୀ ବିଭାଗର କର୍ମଚାରୀଙ୍କୁ କହିଥିଲେ, ଏଠାରେ ଘର ଭଳି ଆମେ କାମ କରିବା, ଏମିତି କାମ କରିବା ଯେମିତି ମଜା ଆସୁଥିବ । ଆଉ ଅଶ୍ୱିନୀଙ୍କ ଏହି ଅନ୍ଦାଜ କର୍ମଚାରୀଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି ।
ରାଜସ୍ଥାନର ଯୋଧପୁର ଏମ.ବି.ଏମ ଇଞ୍ଜିନିୟରିଂ କଲେଜରୁ ପାଠ ପଢଥିବା ବେଳେ ବିଦେଶରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଭାବେ ପ୍ରଶାସନିକ ସ୍ତରରେ କାର୍ୟ୍ୟ କରିଛନ୍ତି । ଆଉ ସୌଭାଗ୍ୟବସତଃ ସେହି ଓଡ଼ିଶାରୁ ହିଁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଅଶ୍ୱିନୀ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପିରୁ ଅଶ୍ୱିନୀ ରାଜ୍ୟସଭା ଯାଇଥିଲେ ମଧ୍ୟ ବିଜେଡି ସମର୍ଥନ କରିଛି । ଯାହା ଓଡ଼ିଶା ରାଜନୀତି ଇତିହାସରେ ବିରଳ ।