‘ଆମକୁ ଟିକା ଓ ଟଙ୍କା ଦିଅ’
ଦେଶରେ ମହାମାରୀ କରୋନା ମହାବିପଦ ଆଡକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକ କରିଛନ୍ତି। କରୋନା ସ୍ଥିତି ଓ କିଭଳି ସଂକ୍ରମଣକୁ ରୋକି ହେବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ କରୋନା ପରିଚାଳନା ପାଇଁ ଟଙ୍କା ଓ ଟିକା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।
ଓଡିଶାରେ ୧୦ ଦିନ ପାଇଁ ଟିକା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ମ ରାଜ୍ୟରେ ଏବେ ଦିନକୁ ଅଢେଇ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରୁଛି । ଯଥେଷ୍ଟ ଟିକା ଯୋଗାଣ ନହେଉଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କରୋନା ସମୀକ୍ଷା ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ଅନ୍ୟପଟରେ ପୂର୍ବବର୍ଷ ଜରୁରୀ କୋଭିଡ୍ ମୁକାବିଲା ପାଣ୍ଠିରୁ ଓଡିଶା ୪ ଶହ କୋଟି ମାଗିଥିଲା । ହେଲେ ଓଡିଶାକୁ ମାତ୍ର ୧୪୦ କୋଟି ଟଙ୍କା ମିଳିଥିଲା । କରୋନା ପରିଚାଳନା ପାଇଁ ଅତିକମରେ ଆଉ ୩୦୦ କୋଟି ଟଙ୍କା ଦିଆଯାଉ ବୋଲି ନବୀନ ମୋଦିଙ୍କ ନିକଟରେ ଦାବି କହିଛନ୍ତି।
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦେଶରେ ଲକ୍ଡାଉନ୍ର ଆବଶ୍ୟକତା ନାହିଁ । ସାରା ଦେଶ ରାତ୍ରକାଳୀନ କର୍ଫ୍ୟୁ ସ୍ଵୀକାର କରିଛି। ଏହାକୁ ଆମକୁ ନାଇଟ୍ କର୍ଫ୍ୟୁ ବଦଳରେ କରୋନା କର୍ଫ୍ୟୁ ଭାବେ ମନେ ରଖିବା ଉଚିତ୍। କରୋନା ନିୟନ୍ତ୍ରଣ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ଵ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥର ସଂକ୍ରମଣ ପୂର୍ବାପେକ୍ଷା ଅଧିକ ଭୟଙ୍କର ରହିଛି। ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥର ଜନତା ସଂକ୍ରମଣକୁ ପୂର୍ବାପେକ୍ଷା ଅଧିକ ହାଲକା ନେଇଛନ୍ତି। ପୁଣି ଥରେ ଆମକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ପଡିବ। ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।