‘ଆବଶ୍ୟକ ପଡିଲେ ଦିନବେଳା କର୍ଫ୍ୟୁ’
ରାଜ୍ୟରେ ଯେପରି ଭାବେ ସଂକ୍ରମଣ ବୃଦ୍ଧି ପାଉଛି ଆବଶ୍ୟକ ପଡିଲେ ଦିନବେଳା କର୍ଫ୍ୟୁ ଲାଗିପାରେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏନେଇ ସୂଚନା ଦେଇଛନ୍ତି । କୋଭିଡ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର । ଜିଲ୍ଲାପାଳ ମାନଙ୍କ କୋଭିଡ ତଥ୍ୟକୁ ଆଧାର କରି କର୍ଫ୍ୟୁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।
ଆଜିଠୁ ରାଜ୍ୟର ୧୦ ଜିଲ୍ଳାରେ ନାଇଟ କର୍ଫ୍ୟୁ ଲାଗୁ ହେଉଛି । ରାତି ୧୦ଟା ପରେ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି । ତେବେ ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ଓଡିଶାରେ ଦିନବେଳା କର୍ଫ୍ରୁ୍ୟ ଲାଗୁ ହୋଇପାରେ । ୪ ରୁ ୫ ଦିନ ଭିତରେ ଏହି କର୍ଫ୍ୟୁ ଲାଗିପାରେ । ଏନେଇ ଆଲୋଚନା ଚାଲିଥିବା କହିଥିଲେ । ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡିଥିଲେ । ତେବେ ବାଚସ୍ପତିଙ୍କ କର୍ଫ୍ୟୁ ବୟାନ ପରେ ଏନେଇ ସ୍ପଷ୍ଟୀକରଣ ରଖିଥିଲେ ଏସଆରସି । ରାଜ୍ୟରେ ଏବେ ଦିନବେଳା କର୍ଫ୍ୟୁ ଲାଗିବା ନେଇ ଯୋଜନା ନଥିବା କହିଥିଲେ ।
ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁଣି ଫେରିଛି କଂଟେନମେଂଟ, କର୍ଫ୍ୟୁ । ସଂକ୍ରମଣ ବୃଦ୍ଧି ପାଉଥିବ ଜିଲ୍ଲା ମାନଙ୍କରେ କଟକଣା କଡାକଡି କରାଯାଇଛି ।