THE BYAPINI

ଏତେ ଭକ୍ତି କାହିିଁକି?

Get real time updates directly on you device, subscribe now.


ନିର୍ବାଚନ ବେଳେ ଆକ୍ଷେପ, ଅପମାନ, ଆଉ ନିର୍ବାଚନ ପରେ ଅଙ୍କଲ ବୋଲି କହି ନିଜର ଭାବମୂର୍ତ୍ତି ସଜାଡିବା । ରଙ୍ଗ ବଦଳାଉଥିବା ଏଣ୍ଡୁଅ ପାଖରେ ବି ରାଜନେତାଙ୍କର ଏଭଳି ରଙ୍ଗ ପରିବର୍ତ୍ତନ ଫିକା ପଡିଯିବ । ଆଉ ସେହିଭଳି ରାଜନେତାଙ୍କ ମଧ୍ୟରୁ ବୈଜୟନ୍ତ ଜଣେ ବୋଲି ଚା ଖଟିରେ ଚର୍ଚ୍ଚା ହେଉଛି । । ତେବେ ବୈଜୟନ୍ତଙ୍କୁ ନେଇ ଏଭଳି ଚର୍ଚ୍ଚା ହେବାର କାରଣ କଣ? ହଠାତ୍ ବୈଜୟନ୍ତଙ୍କୁ ରଙ୍ଗ ବଦଳାଉଥିବା ରାଜନେତାର ଟ୍ୟାଗ କାହିଁକି ଦେଉଛନ୍ତି ରାଜନୀତିରେ ରୁଚି ରଖିଥିବା ବ୍ୟକ୍ତି । କିଛି ଏଭଳି ପ୍ରଶ୍ନ ସାଧାରଣ ଲୋକଟିଏ ମନକୁ ଆସିବା ସ୍ୱାଭାବିକ । କିନ୍ତୁ ଏହାର ସରଳ ଉତ୍ତରଟି ହେଲା ବୈଜୟନ୍ତଙ୍କ ଟ୍ୱିଟ୍ । ଯାହାକୁ ନେଇ ଚା ଖଟିର ଚର୍ଚ୍ଚା ଗରମ ହେଉଛି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ବୈଜୟନ୍ତ ଶ୍ରଦ୍ଧା ପୂର୍ବକ ଯେଉଁ ଟ୍ୱିଟ୍ କରିଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜୁଙ୍କୁ ଅଙ୍କଲ ବୋଲି ସମ୍ବୋଧନ କରିବା ସହ ୨୪ ବର୍ଷ ପୂର୍ବେ ଓଡ଼ିଶା ତାର ବଡ ନେତାଙ୍କୁ ହରାଇଥିଲା ବୋଲି ଉଲ୍ଲେଖ କରିଥିଲେ । ଲାଗୁଥିଲା ସତେ ଯେମିତି ବୈଜୟନ୍ତଙ୍କ ବିଜୁ ଅଙ୍କଲ ଶବ୍ଦରେ ଆତ୍ମୀୟତା ଭରି ରହିଥିଲା । ବିଜୁଙ୍କୁ ସେ କେତେ ଭଲପାଆନ୍ତି ତାହା ସୋସିଆଲ ମିଡ଼ିଆରେ ଓଡ଼ିଶାବାସୀଙ୍କୁ ଜଣାଇଥିଲେ ବୈଜୟନ୍ତ । କିନ୍ତୁ ତାହା ଯେ କେବଳ ଲୋକଦେଖାଣିଆ ଥିଲା ତାହା ବୁଝିବା ହୁଏତ ସାଧାରଣ ଲୋକ ପକ୍ଷରେ ସମ୍ଭବ ନୁହେଁ କିନ୍ତୁ ବୈଜୟନ୍ତଙ୍କ ପ୍ରତିଟି ପ୍ରତିକ୍ରିୟା ଉପରେ ନଜର ରଖିଥିବା ଲୋକଟିଏ କେବେ ହେଲେ ବି ବିଜୁ ଅଙ୍କଲ ଶବ୍ଦ ଭିତରେ ଆତ୍ମୀୟତା ଲୁଚି ରହିଥିବା କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । ଏହାପଛର କାରଣ ହେଲା, ନିର୍ବାଚନ ସମୟରେ ଅଙ୍କଲ ଡାକୁଥିବା ବିଜୁଙ୍କୁ ନେଇ ବୈଜୟନ୍ତ ଦେଇଥିବା ଅପମାନସୂଚକ ବୟାନ ।

ବିଜେଡିରୁ ବିଦା ହେବା ପରେ ନବୀନଙ୍କୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ କଥା କହି ଆସିଛନ୍ତି ବୈଜୟନ୍ତ । କିନ୍ତୁ ବିଜୁଙ୍କ ପ୍ରତି ତାଙ୍କର ନିଃସ୍ୱାର୍ଥ ଭଲପାଇବା ରହି ଆସିଥିବା ନେଇ ବାରମ୍ବାର ଜତାଇବାକୁ ଚେଷ୍ଟା କରିଥିଲେ ବୈଜୟନ୍ତ । ତେବେ ଏହି ଲୋକଦେଖାଣିଆ ଭଲପାଇବା ଉପରୁ ନିର୍ବାଚନ ସମୟରେ ପରଦା ହଟିଥିଲା । ଯେତେବେଳେ ବାପା ବଂଶୀଧର ବିଜୁଙ୍କୁ କରିଥିବା ସାହାଯ୍ୟର ହିସାବ ଓଡିଶାବାସୀଙ୍କ ସାମ୍ନାରେ ରଖିଥିଲେ ବୈଜୟନ୍ତ । ବିଜୁ ପଟ୍ଟନାୟକ ଦେବାଳିଆ ହେବା ଏବଂ ତାଙ୍କ ବାପାଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିବା କଥା କହି ବିଜୁଙ୍କୁ ଓଡ଼ିଶାବାସୀଙ୍କ ଆଗରେ ଏକପ୍ରକାର ଅପମାନିତ କରିଥିଲେ ବୈଜୟନ୍ତ । ଏହାଛଡା ତାଙ୍କ ବାପା ସାହାଯ୍ୟ ନ କରିଥିଲେ ବିଜୁ ବାବୁଙ୍କ ଘର ବି ନିଲାମ ହୋଇଯାଇଥାନ୍ତା ବୋଲି କହିବାକୁ ପଛାଇନଥିଲେ ବୈଜୟନ୍ତ । ଅଥାର୍ତ ପଣ୍ଡା ପରିବାରର ସାହାଯ୍ୟ ମିଳିନଥିଲେ ବିଜୁ ବାବୁଙ୍କ ପରିବାର ନିରାଶ୍ରୟ ହୋଇଯାଇଥାନ୍ତେ ବୋଲି ଆକ୍ଷେପ କରି ନିଜକୁ ବଡ ଦେଖାଇବାକୁ ହୁଏତ ପ୍ରୟାସ କରିଥିଲେ ବୈଜୟନ୍ତ । ଆଉ ବୈଜୟନ୍ତଙ୍କ ଏଭଳି ବୟାନ ରଖିବାର ଦିନ କେଇଟା ଭିତରେ ନବୀନ କହିଥିଲେ, ଏହାର ଜବାବ କେନ୍ଦ୍ରାପଡାବାସୀ ଦେବେ । ଆଉ ଭୋଟରେ ଏହାର ଜବାବ ଦେଇଥିଲେ କେନ୍ଦ୍ରାପଡାବାସୀ । ବିଜୁଙ୍କ ଗଡରେ ଭୋଟ ହାତଉଥିବା ବୈଜୟନ୍ତଙ୍କୁ କେନ୍ଦ୍ରାପଡାବାସୀ ପ୍ରତ୍ୟାଖାନ କରିଥିଲେ । କାରଣ କେନ୍ଦ୍ରାପଡା ଥିଲା ବିଜୁଙ୍କ କର୍ମଭୂମି । ତେଣୁ ବିଜୁଙ୍କ ପ୍ରତି ଅସମ୍ମାନ, କେନ୍ଦ୍ରାପଡା ପ୍ରତି ଅପମାନ ଏଭଳି ଏକ ଧାରଣା ସୃଷ୍ଟି ହୋଇଥିଲା । କିନ୍ତୁ ଏହି ଘଟଣାକୁ ଦୁଇ ବର୍ଷ ବିତିଯିବା ପରେ ଶ୍ରାଦ୍ଧବାର୍ଷିକୀରେ ବିଜୁଙ୍କୁ ପୁଣିଥରେ ଅଙ୍କଲ ବୋଲି କହିବା ଆରମ୍ଭ କରିଛନ୍ତି ବୈଜୟନ୍ତ । ତେବେ ହଠାତ୍ ବିଜୁଙ୍କ ପ୍ରତି ବୈଜୟନ୍ତଙ୍କର ଏତେ ଭକ୍ତି କାହିଁକି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।

ଆଉ ଏହା ପଛର କାରଣ ହେଲା, ବିଜୁଙ୍କ ନାଁରେ ଥିବା ଭୋଟବ୍ୟାଙ୍କ । ରାଜ୍ୟରେ ବିଜୁଙ୍କ ନାଁରେ ଏକ ବଡ ଭୋଟବ୍ୟାଙ୍କ ରହିଥିବା ବେଳେ ଏହା ମୁଖ୍ୟତଃ ବିଜେଡି କ୍ୟାମ୍ପକୁ ଯାଇଥାଏ । କିନ୍ତୁ ବୈଜୟନ୍ତ ବିଜେପିକୁ ଯିବା ପରେ ଏହି ଭୋଟବ୍ୟାଙ୍କ ଉପରେ ନଜର ପକାଇଛନ୍ତି । ନିଜକୁ ବିଜୁଙ୍କ ବଡ ଅନୁଗାମୀ ତଥା ବିଜୁଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଥିବା କହି ବିଜୁ ପ୍ରେମୀଙ୍କ ମନ ଜିଣିବାକୁ ପ୍ରୟାସ କରୁଥାଇପାରନ୍ତି ବୈଜୟନ୍ତ । ପଦ୍ମ ଦଳରେ ତିଷ୍ଠିବାକୁ ହେଲେ ବଡ ଧରଣର ଭୋଟବ୍ୟାଙ୍କ ଆବଶ୍ୟକ, ଏହା ହୁଏତ ବେଶ ଭଲଭାବେ ବୁଝିସାରିଲେଣି ବୈଜୟନ୍ତ । କିନ୍ତୁ ନିଜ ନାଁରେ ବୈଜୟନ୍ତଙ୍କର ସେଭଳି ଭୋଟ ନାହିଁ, ଯେମିତି ଅପରାଜିତା ଓ ଧର୍ମେନ୍ଦ୍ରଙ୍କ ପାଖରେ ରହିଛି । ତେଣୁ ପଦ୍ମ ଦଳରେ ପତିଆରା ବୃଦ୍ଧି କରିବାକୁ ହେଲେ ବିଜୁ ହିଁ ଏକମାତ୍ର ସାହାରା ସେଭଳି କିଛି ଅଙ୍କ କଷୁଥାଇପାରନ୍ତି ବୈଜୟନ୍ତ । କାରଣ ପ୍ରବାଦ ପୁରୁଷ ବିଜୁ ବାବୁ ଓଡ଼ିଶାର ଘରେ ଘରେ ପରିଚିତ, ବିଜୁଙ୍କ ଲୋକପ୍ରିୟତା ଏବେ ବି ବଜାୟ ରହିଛି । ତେଣୁ ତାଙ୍କ ନାଁରେ ଭୋଟ ଉଠାଇବାକୁ ହେଲେ ଲୋକଙ୍କ ସାମ୍ନାରେ ବିଜୁଙ୍କ ଛବିକୁ ଉପରକୁ ଉଠାଇବାକୁ ପଡିବ ଓ ବିଜୁଙ୍କ ସହ ଥିବା ବ୍ୟକ୍ତିଗତ ସମ୍ପର୍କର କଥା ଲୋକଙ୍କୁ ଜଣାଇବାକୁ ପଡିବ ବୋଲି ବୋଧହୁଏ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବୈଜୟନ୍ତ । ଯେଉଁଥିପାଇଁ ବିଜୁଙ୍କ ପ୍ରତି ବୈଜୟନ୍ତଙ୍କର ଏପରି ଲୋକଦେଖାଣିଆ ଭଲପାଇବା ଦେଖିବାକୁ ମିଳୁଛି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.