ଆଉ ନାହାନ୍ତି ବଲିଉଡ କଣ୍ଠଶିଳ୍ପୀ ବାପି ଲାହିରି
କିଛି ଦିନ ପୂର୍ବେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିବା ବେଳେ ଏବେ ଆସିଛି ଆଉ ଏକ ଦୁଃଖଦ ଖବର। ଆଖି ବୁଜିଲେ ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି । ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାପି ଦା’ ।
୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ବାପି ନିଜର ଭିନ୍ନ ଶୈଳୀ ପାଇଁ ଫିଲ୍ମ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଶେଷଥର ପାଇଁ ବାପି ଲାହିରି ବାଗି-୩ ପାଇଁ ମ୍ୟୁଜିକ କମ୍ପୋଜ୍ କରିଥିଲେ । ବାପି ଲାହିରି ଚଲତେ ଚଲତେ, ଡିସ୍କୋ ଡାନ୍ସର ଗୀତ କମ୍ପୋଜ୍ କରି ଖୁବ ପ୍ରସିଦ୍ଧ ଲାଭ କରିଥିଲେ । ବଲିଉଡରେ ଡିସ୍କୋ କିଙ୍ଗ ଭାବରେ ବେଶ୍ ପରିଚିତ ଥିଲେ ।
ବଲିଉଡରେ ବାପି ଦା’ ଭାବେ ପରିଚିତ ବାପି ଲାହିରିଙ୍କ ହସ ହସ ମୁହଁ ଓ ସୁନା ଆଭୂଷଣ ତାଙ୍କୁ ସବୁବେଳେ ଅନ୍ୟମାନଙ୍କଠାରୁ ଅଲଗା କରୁଥିଲା। ହେଲେ ଏବେ ଆଉ ଦେଖିବାକୁ ମିଳିବନି ସେହି ହସ ହସ ମୁହଁ। ଅସୁସ୍ଥତା ହେତୁ ଗତ କିଛି ମାସ ଧରି ମୁମ୍ବାଇର ଏକ ହସ୍ପିଟାଲରେ ଆଡମିଟ ହୋଇଥିବା ବାପି ଲାହିରି ଗତ ସୋମବାର ଘରକୁ ଫେରିଥିଲେ। କିନ୍ତୁ ଗତ ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି û