ସିଲ୍ ହେଲା ମାର୍କେଟ ବିଲ୍ଡିଂ
ନିୟମ ମାନିଲେନି , ସିଲ ହେଲା ମାର୍କେଟ । ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି । ନିୟମ ପାଳନ ନହେଉଥିବା କାରଣରୁ ବିଏମସି ଓ କମିସନରେଟ୍ ପୋଲିସ ମିଳିତ ଭାବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୨ ଦିନ ପାଇଁ ଏହାକୁ ସିଲ୍ କରିଛନ୍ତି । ଭୁବନେଶ୍ୱରରେ ସଂକ୍ରମଣ ଅଧିକ ଥିବାରୁ କୋଭିଡ ନିୟମ ମାନିବାକୁ ବାରମ୍ବାର ଚେତାଇବା ପରେ ମଧ୍ୟ ନିୟମ ଉଂଲଘନ ଓ ପ୍ରବଳ ଭିଡ କାରଣରୁ ମାର୍କେଟ ବିଲ୍ଡିଂକୁ ୪୮ ଘଂଟା ପାଇଁ ସିଲ କରାଯାଇଛି ।
ରାଜ୍ୟରେ ସଂକ୍ରମଣ ଏବେ ଉପରମୁହାଁ । ରାଜ୍ୟରେ ଦୈିନିକ ସଂକ୍ରମଣ ୮ ହଜାର ଉପରେ ରହୁଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେଥିମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି ଭୁବନେଶ୍ୱରର । ଭୁବନେଶ୍ୱରରେ ସଂକ୍ରମଣ ବଢିଚାଲିଥିବା ବେଳେ କଠୋର ହୋଇଛି ବିଏମସି । ପୁଣି କଟକଣା କଡାକଡି କରାଯାଇଛି । ମାର୍କେଟ ବିଲ୍ଡିଂରେ ସାଧାରଣତ ଅଧିକ ଲୋକଙ୍କର ଗହଳି ଜମିଥାଏ । ଲୋକଙ୍କ ସହିତ କିଛି ଦୋକାନୀ ମଧ୍ୟ ଖୋଲାଖୋଲି ନିୟମ ଉଂଲ୍ଲଘନ କରୁଥିଲେ । ବାରମ୍ବାର ସତର୍କ କରାଇବା ପରେ ମଧ୍ୟ ନିୟମ ମାନୁନଥିଲେ । ଫଳରେ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଆଜି ବିଏମସି ଓ କମିସନରଟ ପୁଲିସ ମିଳିତ ଭାବେ ଚଢାଉ କରି ମାର୍କେଟ ବିଲ୍ଡିଂ ସିଲ କରିଛନ୍ତି ।
କରୋନାର ପ୍ରଥମ ଲହର ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଦିନ ଧରି ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଥିଲା । ଯାହାକୁ ବ୍ୟବସାୟୀ ମାନେ ବିରୋଧ କରିବା ସହ ନିଜର ଜୀବନ ଜୀବିକା କିପରି ନିର୍ବାହ କରିବେ ସେ ନେଇ ପ୍ରଶ୍ନ କରିଥିଲେ । ତେବେ ଏବେ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।