ସେବାୟତଙ୍କ ଶିବ ଦର୍ଶନ
ଦୀର୍ଘ ୯ ମାସ ପରେ ଖୋଲିଛି ଲିଙ୍ଗରାଜ ମନ୍ଦିର । ପୁରୀ ଢାଂଚାରେ ଏକାମ୍ର କ୍ଷେତ୍ରରେ ମଧ୍ୟ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଥିବା ବେଳେ ପ୍ରଥମେ ଶିବ ଦର୍ଶନ କରିଛନ୍ତି ସେବାୟତ । ତେବେ ମନ୍ଦିରରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ମନ୍ଦିର ବାହାରେ ହିଁ ଅସ୍ଥାୟୀ କୋଭିଡ ସେଂଟର କରାଯାଇଛି । ଯେଉଁମାନଙ୍କ ପାଖରେ କୋଭିଡ ନେଗେଟିଭ ରିପୋର୍ଟ ନାହିଁ ସେମାନେ ସେଠାରେ ହିଁ ପରୀକ୍ଷା କରି ରିପୋର୍ଟ ଆସିବା ପରେ ମନ୍ଦିର ଭିତରକୁ ଯାଉଛନ୍ତି । ବିଏମସି ପକ୍ଷରୁ କରାଯାଇଥିବା ଏଭଳି ପଦକ୍ଷେଦକୁ ସାଧାରଣରେ ପ୍ରଶଂସା କରାଯାଇଛି ।
କୋଭିଡ କଟକଣା ମଧ୍ୟରେ ସମସ୍ତ ସେବାୟତଙ୍କ ପରିବାର ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ପ୍ରବେଶ କରିବା ପାଇଁ ସ୍ବତନ୍ତ୍ର ବାରିକେଡ୍ କରାଯାଇଛି । ସେବାୟତଙ୍କ ପରିବାର ପରେ ଭୁବନେଶ୍ବରବାସୀ ଏବଂ ପରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ୨୭ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ ସେବାୟତଙ୍କ ପରିବାର ଲୋକେ ଦର୍ଶନ କରିବେ । କୋଭିଡ୍ ଟେଷ୍ଟ ପରେ ମନ୍ଦିରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ । ଏଥର ଗର୍ଭଗୃହକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷାକରି ଭକ୍ତମାନେ ଧାଡ଼ିରେ ଯିବେ ।
ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ୫ ତାରିଖ ପର୍ୟ୍ୟନ୍ତ ରାଜଧାନୀବାସୀ, ୬ ତାରିଖ ପରଠାରୁ ବାହାର ଲୋକଙ୍କୁ ଅନୁମତି ଦିଆଯିବ । ବିଏମସି ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମନ୍ଦିର ବାହାରେ ବ୍ୟାରିକେଡ୍ କରି ପୁଲିସକୁ ହସ୍ତାନ୍ତର କରାଯାଇଛି। ଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ବଳ ସହ ୨ ସେକ୍ସନ ମହିଳା ପୁଲିସ ବଳ ନିୟୋଜିତ ହେବେ। ସମସ୍ତେ ଠିକ୍ ଭାବେ ମାସ୍କ ପିନ୍ଧିବା ସହ ୬ ଫୁଟ୍ର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ହାତଧୁଆ ଏବଂ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ପାନ ଓ ଗୁଟ୍ଖା ଖାଇବା ଏବଂ ମନ୍ଦିର ପରିସରରେ ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି। ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପ୍ରବେଶକୁ ବାରଣ କରାଯାଇଛି।