‘ମିଶନ ସଫଳ ହୋଇଛି’
ଆଫଗାନିସ୍ତାନରୁ ଫେରିଛି ଆମେରିକା ସେନା । ସୈନ୍ୟ ଫେରିବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯିଏ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହିଁବ ତା’କୁ ତା’ର ମୂଲ୍ୟ ଦେବାକୁ ପଡ଼ିବ ।
ଆଫାଗାନିସ୍ତାନରୁ ଉଦ୍ଧାର ପ୍ରକ୍ରିୟା ସଫଳ ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ଆମେରିକା ସେନାର ସାହାସ ଓ ସାମର୍ଥ୍ୟ ଯୋଗୁଁ ସମ୍ଭବ ହୋଇଛି । ସେନାର ଯବାନ ଯୁଦ୍ଧ ମିଶନରେ ନୁହେଁ ବରଂ ଦୟା ମିଶନରେ ସାମିଲ୍ ଥିଲେ । ଯବାନ ଅନ୍ୟମାନଙ୍କ ସେବାରେ ନିଜ ଜୀବନକୁ ବିପଦରେ ପକାଇଛନ୍ତି । ଇତିହାସରେ କୌଣସି ଦେଶ କେବେ ଏଭଳି କରିନି, ଯାହା କେବଳ ଆମେରିକା କରି ଦେଖାଇଛି ।
ସେ ଆହୁରି କହିଛନ୍ତି, ‘ମୁଁ ଏଠି ସ୍ପଷ୍ଟ କରିବାକୁ ଚାହେଁ ଆମେରିକାବାସୀ କାହାର କ୍ଷତି ଚାହାନ୍ତି ନାହିଁ। ଯିଏ ଆମ ବିରୋଧରେ, ସହଯୋଗୀଙ୍କ ବିରୋଧରେ ଲାଗିବ ଛାଡ଼ିବୁ ନାହିଁ। ଆତଙ୍କବାଦୀଙ୍କୁ କ୍ଷମା କରିବୁ ନାହିଁ, ଭୁଲିବୁ ନାହିଁ, ପ୍ରତିଶୋଧ ନେବୁ। ଆଫଗାନିସ୍ତାନ ସମେତ ଅନ୍ୟ ଦେଶରେ ଆତଙ୍କବାଦ ବିରୋଧରେ ଲଢ଼ିବୁ। ଆଫଗାନିସ୍ତାନ ଛାଡ଼ିବା ସାଧାରଣ ନାଗରିକଙ୍କ ସର୍ବସମ୍ମତ ନିଷ୍ପତ୍ତି। ସାମରିକ ପରାମର୍ଶଦାତା ଓ ଆଫଗାନିସ୍ତାନରେ ମୁତୟନ କମାଣ୍ଡରଙ୍କ ନିଷ୍ପତ୍ତି।’
ଆମେ ୨୦ ବର୍ଷ ଯାଏ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିଲୁ। ଆମେ ଯାହା କରିଛୁ, ଆଉ କେହି କରିପାରି ନ ଥାନ୍ତେ। ତାଲିବାନଙ୍କ ଉପସ୍ଥିତିରେ ଆମେ ଲୋକଙ୍କୁ ଉଦ୍ଧାର କରିଛୁ।’ ସେ ଦାବି କରିଛନ୍ତି, ଆମେ ପ୍ରାୟ ଏକ ଲକ୍ଷ ୨୫ ହଜାର ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରିଛୁ।’