ଖୁସି କରିଦେଲେ ବାଇଡେନ୍
ବହୁ ଘାତ ପ୍ରତିଘାତ ପରେ ଶେଷରେ ଆସନ୍ତା ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ । ତେବେ ଶପଥ ଗ୍ରହଣ ପୂର୍ବରୁ ସେ ନିଜର ପ୍ରତିଶ୍ରୁତି ରକ୍ଷା କରିଛନ୍ତି । କରେନା କାରଣରୁ ଗଭୀର ଭାବେ ପ୍ରଭାବିତ ହୋଇଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ ୧.୯ ଟ୍ରିଲିୟନ୍ ଡଲାରର ବା ୧୩୮ ଲକ୍ଷ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି।
ଆମେରିକାର ଦୁଇ ସଂସଦରେ ଏହି ପ୍ୟାକେଜ୍ ପାସ୍ ହେବା ପରେ ଲାଗୁ କରାଯିବ। ଯଦି ଏହା ପାରିତ ହୋଇଯାଏ ତେବେ ପ୍ରତ୍ୟେକ ଆମେରିକୀୟଙ୍କୁ ୧ ହଜାର ୪ ଶହ ଡଲାର ବା ପାଖାପାଖି ୩୦ ହଜାର ଟଙ୍କା ଲେଖାଁଏ ମିଳିବ । ଏହାସହ ଏହି ସହାୟତା ପ୍ୟାକେଜରେ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବି ସହାୟତା ଯୋଗାଇ ଦିଆଯିବ। ଏହାକୁ ଆମେରିକାନ ରେସ୍କ୍ୟୁ ପ୍ୟାକେଜ୍ ନାମ ଦିଆଯାଇଛି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ପ୍ୟାକେଜ୍ର ଅର୍ଥକୁବଣ୍ଟା ଯାଇଛି । ଏଥିରେ ୪୧୫ ବିଲିୟନ୍ ଡଲାର କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ । ୧୪୦୦ ଡଲାର ପ୍ରତ୍ୟେକ ଆମେରିକା ବାସୀଙ୍କ ବ୍ୟାଙ୍କ ଖାତାକୁ ଯିବ ଏବଂ ୪୪୦ ଡଲାର କ୍ଷୁଦ୍ର ବ୍ୟବସାୟରେ ସୁଧାର ଆଣିବା ପାଇଁ ଖର୍ଚ୍ଚ କରିଯିବ । ଏହାଛଡ଼ା ପ୍ରତି ଘଣ୍ଟା ହିସାବରେ ନ୍ୟୁନତମ ୧୫ ଡଲାରର ଦରମା କର୍ମଚାରୀଙ୍କୁ ଦିଆଯିବ । ତେବେ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ସିନେଟ୍ରେ ଏହି ପ୍ୟାକେଜ୍କୁ ସହଜରେ ପାରିତ ହେବାକୁ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଛି। କାରଣ ଟ୍ରମ୍ପ ଯେତେବେଳେ ରିଲିଫ୍ ପ୍ୟାକେଜ୍ର ଘୋଷଣା କରିଥିଲେ ସେତେବେଳେ ଡେମୋକ୍ରାଟିକ୍ ପାର୍ଟି ବିଭିନ୍ନ ପ୍ରଶ୍ନ ଉଠାଇଥିଲା ।
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳା ଫଳକୁ ନେଇ ଏବେ ବି ବିଭ୍ରାଟ ଲାଗି ରହିଛି । ବର୍ତ୍ତମାନ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପ୍ ଏବେ ବି ତାଙ୍କ ପରାଜୟକୁ ସ୍ୱିକାର କରି ନାହାନ୍ତି । ଏନେଇ ଅଫିସିଆଲ ଭୋଟ ଗଣତି ଦିନ ତାଙ୍କର କିଛି ସମର୍ଥକ କ୍ୟାପିଟଲ ହଲରେ ପଶି ହଙ୍ଗାମା କରିଥିଲେ । ଏହା ପରେ ଆମେରିକା ସଂସଦ ପକ୍ଷରୁ ଟ୍ରମ୍ପ୍ ଙ୍କ ନାମରେ ଦ୍ୱିତୀୟଥର ପାଇଁ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି ।