ଖୋଲିଥିଲେ କାହିଁକି, ବନ୍ଦ କଲେ କାହିଁକି?
ବନ୍ଦ ହୋଇଗଲା ବିଜୁ ଯୁବ ବାହିନୀ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନର ଉତ୍ତର ରଖୀ ମନ୍ତ୍ରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥବ୍ୟବସ୍ଥା ନାହିଁ । ତେଣୂ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୈାଣସି ଅଂଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୈାଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ବର୍ତ୍ତମାନ କରାଯାଉନାହିଁ । ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୈାଣସି ବ୍ୟବସ୍ଥା ନାହିଁ, ତେଣୁ ଖର୍ଚ୍ଚର କୈାଣସି ଅବକାଶ ନଥିବା ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି । ଯାହା ସ୍ପଷ୍ଟ ପ୍ରମାଣିତ କରୁଛି ରାଜ୍ୟରେ ବିଜୁ ଯୁବ ବାହିନୀ ବନ୍ଦ ହୋଇଯାଇଛି ।
ବଡ ପ୍ରଶ୍ନ ଉଠୁଛି, ବିଜୁ ଯୁବ ବାହିନୀ ଖୋଲାଯାଇଥିଲା କଣ ପାଇଁ ଆଉ କେଉଁ ଆଧାରରେ କେବେଠାରୁ ଏହାକୁ ବନ୍ଦ କରିଦିଆଗଲା? ଏହାର ସଠିକ ଉତ୍ତର ସରକାରଙ୍କୁ ରଖୀବାକୁ ପଡିବ । କାରଣ ଶହ ଶହ କୋଟି ଖର୍ଚ୍ଚ କରାଯାଇ ଯେଉଁ ବ୍ୟବସ୍ଥା ସରକାର ଆପଣାଇଥିଲେ ତାକୁ ବନ୍ଦ କରିବା ପଛରେ ନିର୍ଦ୍ଦିଷ୍ଟ କାରଣ ଦେଖାଇବା ମଧ୍ୟ ଦରକାର । ଦେଶରେ ସବୁଠାରୁ ବଡ ଆଉ ସବୁଠାରୁ ଭଲ କାର୍ଯ୍ୟକ୍ରମ ହିସାବରେ ବିଜୁ ଯୁବ ବାହିନୀକୁ ବାଖ୍ୟା କରିଥିଲେ ବିଜେଡି ନେତା । କହିଥିଲେ ଯୁବକଙ୍କୁ ନିୟୋଜିତ କରିବାକୁ ରାଜ୍ୟ ସରକାରଙ୍କର ଏହା ଉତ୍ତମ ପଦକ୍ଷେପ । କୈାଣସି ବି ରାଜ୍ୟ ଏଭଳି ପଦକ୍ଷେପ ନେଇନଥିଲେ । ହେଲେ ବାସ୍ତବିକତା ଥିଲା, ୨୦୧୯ ନିର୍ବାଚନ ପାର ହେବାକୁ ଯୁବକଙ୍କୁ ଥୋପ ଦେବାକୁ ଏହାକୁ ଏକ ମାଧ୍ୟମ କରାଗଲା । ଆଉ ନିର୍ବାଚନ ସରିଯିବା ପରେ ଏହାକୁ ବନ୍ଦ କରିଦିଆଗଲା ।
୨୦୧୮ ମାର୍ଚ୍ଚ ୧୪ ଅର୍ଥାତ୍ ନିର୍ବାଚନର ଠିକ ପୁର୍ବରୁ ରାଜ୍ୟରେ ବିଜୁ ଯୁବ ବାହିନୀକୁ ଗଠନ କରାଗଲା । କ୍ରିଡା ଓ ଯୁବସେବା ବିଭାଗ ଅଧୀନରେ ଏହା କାର୍ଯ୍ୟକଲା । କ୍ୟାବିନେଟରେ ମୋହର ବାଜିବା ପରେ ପଂଚାୟତରୁ ସହର ଯାଏଁ ଏହି ବାହିନୀକୁ ଗଢିବାକୁ ନେତା ଲାଗିପଡିଥିଲେ । ୬୭୯୯ ଗ୍ରାମ ପଂଚାୟତ ଏବଂ ୧୧୮ ସହରାଂଚଳରେ ପାଖାପାଖି ୮୦୦୦ ବିଜୁ ଯୁବ ବାହିନୀ ୟୁନିଟ ଗଢି ଉଠିଥିଲା । ୧୫ ରୁ ୩୫ ବର୍ଷ ବୟସ ଭିତରେ ଥିବା ଯୁବକଙ୍କୁ ଏଥିରେ ସାମିଲ କରାଯାଉଥିଲା ।
୨୦୧୮-୧୯ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ୧୦୦.୯୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବିଧାନସଭାରେ ଉତ୍ତର ରଖିଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ୩୯ କୋଟି ଟଙ୍କାର କ୍ରୀଡା ଉପକରଣ ବଂଟାଯାଇଥିବା ବେଳେ ମୋ ହିରୋ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଥିଲା ୧୯.୩୫ କୋଟି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଯୁବ ସମାବେଶ କରିବା ପାଇଁ ୧୮ କୋଟି ଖର୍ଚ୍ଚ ହୋଇଥିବା ବେଳେ ସାମାଜିକ କାର୍ଯ୍ୟ ପାଇଁ ବ୍ୟୟ ହୋଇଥିଲା ୨୨.୯୫ କୋଟି । ସାଂଗଠନିକ କାର୍ଯ୍ୟ ପାଇଁ ୩ କୋଟି ଖର୍ଚ୍ଚ ହୋଇଥିଲା । ଗୋଟିଏ ଆର୍ଥିକ ବର୍ଷରେ ୧୦୦ କୋଟି ଖର୍ଚ୍ଚ ପରେ ଏହା ଭୋଟ କିଣା କାର୍ଯ୍ୟକ୍ରମ ବୋଲି ସେତେବେଳେ ଅଭିଯୋଗ ବି ହୋଇଥିଲା ।
୨୦୧୮ରେ ବିଜୁ ଯୁବ ବାହିନୀ ପାଇଁ ଯେଉଁ ଅର୍ଥ ବ୍ୟବସ୍ଥା କରାଯାଇଥିଲା, ତାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେତେବେଳେ ବିଧାୟକ ଥିବା ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ସେତେବେଳର କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଥିଲେ, ଏଥିପାଇଁ ୪୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଅର୍ଥାତ୍ ଏବେ ପ୍ରଶ୍ନ ଉଠିବ, ଏହି ୪୫୦ କୋଟିରୁ କେତେ ଅର୍ଥ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ପାଇଁ ଖର୍ଚ୍ଚ କଲେ । ଏଥିରୁ କଣ ଲାଭ ପାଇଲେ । ଏହି ଅର୍ଥ କିଭଳି ବ୍ୟୟ ହେଲା ଏବଂ କାହିଁକି ଯୁବ ବାହିନୀକୁ ବନ୍ଦ କରିଦେଲେ । ରାଜ୍ୟ ସରକାର କଣ ଲକ୍ଷ୍ୟ ରଖିଥିଲେ ଯେ ବିଜୁ ଯୁବ ବାହିନୀ ତାକୁ ପୁରଣ କରିପାରିଲା ନାହିଁ । ଯଦି ସରକାର ଏସବୁର ଉତ୍ତର ସଠିକ ଭାବେ ଦେଇନପାରିବେ ତେବେ ସ୍ପଷ୍ଟ ପ୍ରମାଣିତ ହେବ, ରାଜ୍ୟବାସୀଙ୍କ ପଇସାରେ ବିଜେଡି ନିଜର ଏକ ବାହିନୀ ତିଆରି କରୁଥିଲା ଆଉ ଲୋକଙ୍କ ପଇସାରେ ମଉଜ କରୁଥିଲା ।