ହକିକୁ ଅଲବିଦା କହିଲେ ବୀରେନ୍ଦ୍ର ଲାକ୍ରା
ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଓଡ଼ିଆ ପୁଅ ତଥା ଅଲିମ୍ପିକ୍ସ ମେଡାଲ ବିଜେତା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ରଙ୍କ ସନ୍ନ୍ୟାସ ନେଇ ହକି ଇଣ୍ଡିଆ ଟ୍ୱିଟ୍ କରି ସୂଚନା ଦେଇଛି। ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ୍ ଖେଳିଥିବା ବୀରେନ୍ଦ୍ର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଉପ-ଅଧିନାୟକ ରହିଥିଲେ । ଆଉ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲା । ଆଉ ଏହି ଦଳରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଓ ଅମିତ ରୋହିଦାସ ସାମିଲ ଥିଲେ ।
୩୧ ବର୍ଷୀୟ ଲାକ୍ରା ୨୦୧ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଲାକ୍ରା ଭାରତୀୟ ହକି ଟିମର ଷ୍ଟାର୍ ଡିଫେଣ୍ଡର ଥିଲେ। ସେ ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିବା ବେଳେ ୨୦୧୬ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳି ନଥିଲେ। ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇଥିଲା। ସେ ମଧ୍ୟ ଅଲିମ୍ପିକ୍ସରେ ଭାରତୀୟ ଦଳର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତି ପାଇଥିଲେ।
ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (୨୦୧୪) ଓ ଥରେ ବ୍ରୋଞ୍ଜ (୨୦୧୮) ପଦକ ଜିତିଛି। ବୀରେନ୍ଦ୍ର ମଧ୍ୟ ୨୦୧୩ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (୨୦୧୬ରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ), ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ।