THE BYAPINI

କଭି ନରମ୍ ନରମ୍ କଭି ଗରମ୍ ଗରମ୍…

Get real time updates directly on you device, subscribe now.

୧୯୫୧ରେ ଆସିଥିବା ଚଳଚିତ୍ର ଅଲବେଲାରର ଏକ ଗୀତ ୨୦୨୦ରେ ଫିଲ୍ମ ଲୁଡୋ ମାଧ୍ୟମରେ ଆହୁରି ଅଧିକ ବ୍ୟାପକ ଆଉ ଲୋକପ୍ରିୟ ହେଲା, ଯେଉଁଥିରେ ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀ ଅଭିନୟ କରିଥିଲେ । ସେହି ଗୀତର ଶଦ୍ଦ କିଛି ଏଭଳି ଥିଲା –
ଓ ବେଟା ଜୀ
ଆରେ ଓ ବାବୁଜୀ
କିସ୍ମତ କି ହାୱା କଭି ନରମ୍, କଭି ଗରମ୍
କଭି ନରମ୍ ନରମ୍ କଭି ଗରମ୍ ଗରମ୍…

ଏହି ଗୀତର ପ୍ରାସଙ୍ଗିକତା ଏବେ ଓଡିଶା ରାଜନୀତିରେ ଦେଖିବାକୁ ମିଳୁଛି । ବିଜେଡି-ବିଜେପି ସଂପର୍କ ନରମରୁ ଗରମ ଆଡକୁ ଢଳୁଛି ଏବଂ ପ୍ରସଙ୍ଗଭିତ୍ତିକ ଲଢେଇ ଜୋରଦାର ହେଉଛି । ପ୍ରତିଷ୍ଠା ଦିବସ ବେଳେ ଦଳର ସୁପ୍ରିମୋ ରଖିଥିବା ଆଭିମୁଖ୍ୟ ଏବଂ ବଜେଟରେ ଓଡିଶାକୁ ହେବାକୁ ଥିବା କ୍ଷତିର ତାଲିକା ଦେଇ ବିଜେଡି ଦର୍ଶାଇବାକୁ ଚାହୁଁଛି ଯେ, ଏନଡିଏ ସରକାର ସମୟରେ ମଧ୍ୟ ଓଡିଶା ଅବହେଳାର ଶୀକାର ହୋଇଛି । ୨୦୧୯ ନିର୍ବାଚନ ପରଠାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସୁସଂପର୍କ ରହିଥିଲା । ନେତା କହୁଥିଲେ, ନିର୍ବାଚନ ଆସିଲେ ଆମେ ଲଢୁଛୁ ଏବଂ ବାକି ସମୟରେ ବିକାଶ ପାଇଁ ମିଳିମିଶି କାର୍ଯ୍ୟ କରୁଛୁ । ବାସ୍ ଏଇସବୁ କଥା ହିଁ ଜନତାଙ୍କ ମନରେ ଭ୍ରମ ସୃଷ୍ଟି କରୁଥିଲା ଆଉ କର୍ମୀଙ୍କ ମନରେ ଦ୍ୱନ୍ଦ୍ୱ ତିଆରି କରୁଥିଲା କିଭଳି ନେତା ନିର୍ବାଚନ ଆସିଲେ ଲଢନ୍ତି ଆଉ ପରେ ମିଶିଯାଆନ୍ତି ।

ହେଲେ ଯେବେଠାରୁ ଦଳର ଉପ ସଭାପତି ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ହେଲା ସେବେଠାରୁ ବିଜେଡିର ଆଭିମୁଖ୍ୟ ବଦଳିଲା ଭଳି ଲାଗିଲା । ସଂସଦରେ କୃଷି ବିଲ ବିରୋଧରେ ମତ ରଖିଲା, ଦଳର ସୁପ୍ରିମୋ ଓଡିଆ ଅସ୍ମିତାର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଏବଂ ଜାତୀୟ ଓ ଆଂଚଳିକ ଦଳ ମଧ୍ୟରେ ଫରକକୁ ଜନତାଙ୍କ ସାମ୍ନାରେ ରଖୀଲେ ସେବେଠାରୁ ସ୍ପଷ୍ଟ ପ୍ରମାଣିତ ହେଉଥିଲା କେନ୍ଦ୍ର ବିରୋଧରେ ଲଢିବାକୁ ବିଜେଡି ତୟାର ହେଲାଣି ଏବେ ସଂସଦ ଭିତରେ ବିଜେଡି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିବା, ବଜେଟରେ ଓଡିଶା କେତେ କ୍ଷତି ସହିବ ତାକୁ ଉପସ୍ଥାପନ କରିବା ବଦଳୁଥିବା ରଣନୀତିର ସଂକେତ । ହେଲେ ବଡ କଥା ହେଉଛି, ବିଜେଡିର ଏହି ଆଭିମୁଖ୍ୟ କିନ୍ତୁ ଶାଣିତ ନୁହେଁ । ବିଜେଡି କଣ ବୟାନ ଭିତିକ ରାଜନୀତି ଚାହୁଁଛି? ରାସ୍ତାକୁ ଓହ୍ଲାଇବା ବଦଳରେ ଦଳର ଲଢେଇ କେବଳ ଗଣମାଧ୍ୟମରେ ହିଁ ସୀମିତ ରହିଯାଉଛି ।

ପେଟ୍ରୋଲ ଆଉ ଡିଜେଲ ଦର ଆକାଶଛୁଆଁ । ବିଭାଗୀୟ ମନ୍ତ୍ରୀ ହେଉଛନ୍ତି ଓଡିଶାର । ହେଲେ ବିଜେଡି ଚୁପ୍ ଅଛି । ପୁର୍ବରୁ ତେଲଦର ବଢିଲେ ବିଜେଡିର ଆନ୍ଦୋଳନକୁ କେହି ଭୁଲିନଥିବେ । ହେଲେ ଏବେ କିନ୍ତୁ ସମସ୍ତେ ଚୁପ୍ । ସେହିଭଳି କୃଷି ସେସ୍ ଲାଗିଲା । ରାଜ୍ୟ ତାର କେନ୍ଦ୍ରୀୟ ଟିକସର ଅଂଶ ହରାଇବ । ଏହା ଉପରେ ଖାଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଲେ, ରାଜ୍ୟ ୧୧ ହଜାର କୋଟିର କ୍ଷତି ସହିବ । ହେଲେ ନା ରାସ୍ତାକୁ ଓହ୍ଲାଇ ବିଜେଡି ଆନ୍ଦୋଳନ କଲା ନା କେନ୍ଦ୍ର ବିରୋଧରେ କଡା ଆଭିମୁଖ୍ୟ ରଖିଲେ । ଯାହା ସ୍ପଷ୍ଟ ପ୍ରମାଣିତ କରୁଛି ବିଜେଡିର ଆନ୍ଦୋଳନର ଧାରା ନରମ ଗରମ ଭିତରେ ହିଁ ରହିଯାଉଛି । କଣ କରିବେ ସ୍ପଷ୍ଟ ଭାବେ ବୁଝିପାରୁନାହାନ୍ତି ଅବା କେନ୍ଦ୍ର ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସାହାସ ଦେଖାଇ ପାରୁନାହାନ୍ତି, ଯାହା ଦଳୀୟ ନେତା ଏବଂ କର୍ମୀଙ୍କୁ ଅଡୁଆରେ ପକାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.