ଦେଶରେ ପ୍ରଥମ ନବୀନ…!
ଲୋକଙ୍କ ନେତାର ଟ୍ୟାଗ ପାଇଥିବା ନବୀନଙ୍କ ପାଇଁ ଲୋକଙ୍କ ଜୀବନ ଆଗ, ରାଜନୀତି ପଛ । ପିପିଲି ଉପନିର୍ବାଚନ ପ୍ରଚାରକୁ ନେଇ ନବୀନଙ୍କ ଘୋଷଣା କିଛି ଏମିତି ଦିଗକୁ ଇଙ୍ଗିତ କରୁଥିଲା । ପୁଣିଥରେ ଏକ ବିରଳ ନିଷ୍ପତି ନେଇ ପୂରା ଦେଶକୁ ଚକିତ କରିଛନ୍ତି ନବୀନ । ମହାମାରୀ ସମୟରେ ମହାବିଜୟ ପାଇଁ ଯେତେବେଳେ ଦେଶର ଦୁଇ ପ୍ରମୁଖ ଜାତୀୟ ଦଳ ନିର୍ବାଚନ ପ୍ରଚାରକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ରାଲିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଏକାଠି କରୁଛନ୍ତି । ଭୁତାଣୁ ଭୟକୁ ଖାତିର ନକରି ସାଧାରଣ ଭୋଟରଙ୍କୁ ବିପଦ ମୁହଁକୁ ଠେଲିଦେବାକୁ ପଛାଉନାହାନ୍ତି । ସେତେବେଳେ ନିର୍ବାଚନ ରାଲି ଓ କ୍ୟାମ୍ପେନିଂ ମିଟିଂକୁ ବୟକଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେବଳ ସେ ନିଜେ ନୁହେଁ ବରଂ ତାଙ୍କର ଦଳ ମଧ୍ୟ ଆଗାମୀ ପିପିଲି ଉପ-ନିର୍ବାଚନରେ ରାଲି କିମ୍ବା କ୍ୟାମ୍ପେନିଂ କରିବନି ବୋଲି ସ୍ପଷ୍ଟ କରିଛନ୍ତି ନବୀନ । ଆଉ ଏଭଳି ନିଷ୍ପତି ନେବାରେ ନବୀନ ଦେଶରେ ପ୍ରଥମ । ଯେଉଁଠି ବ୍ୟକ୍ତିଗତ ଭାବେ ନୁହେଁ ବରଂ ପୂରା ଦଳକୁ ନିର୍ବାଚନ ରାଲିରେ ଦୂରେଇ ରଖିବାକୁ ମନସ୍ଥିର କରିଛନ୍ତି ନବୀନ ।
ଟ୍ୱିଟ୍ କରି ନବୀନ କହିଛନ୍ତି, ପ୍ରତିଟି ଜୀବନ ଅମୂଲ୍ୟ ଓ ଓଡ଼ିଶାବାସୀଙ୍କୁ ସେ ସର୍ବଦା ନିଜର ପରିବାର ବୋଲି ଭାବନ୍ତି । ଦେଶରେ ଏବେ କରୋନା ସଂକ୍ରମଣ ସାଂଘାତିକ ହେଲାଣି । ଏଭଳି ସ୍ଥିତିରେ ଲୋକଙ୍କ ଜୀବନ ବିପଦରେ ପକାଇବା ଉଚିତ୍ ଠିକ୍ ନୁହେଁ । କାରଣ ଲୋକଙ୍କ ସେବା ପାଇଁ ଆମେ ନିର୍ବାଚନ ଲଢୁ । ତେଣୁ ପିପିଲି ଉପ-ନିର୍ବାଚନରେ ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବେ ବିଜେଡି ରାଲି, ସାଧାରଣ ସଭା ଓ କ୍ୟାମ୍ପେନିଂ କରିବନି ବୋଲି କହିଛନ୍ତି ନବୀନ । ଆଉ ଏଭଳି ନିଷ୍ପତି ନେଇ ଦେଶର ବିଭିନ୍ନ ଦଳକୁ ବାଟ ଦେଖାଇଛନ୍ତି ନବୀନ ।
ଦେଶରେ ବିଭିନ୍ନ ରାଜ୍ୟରେ ନିର୍ବାଚନର ତାତି ବହୁଛି, ହଜାର ହଜାର ଲୋକଙ୍କୁ ନେଇ ରାଜନୈତିକ ଦଳମାନଙ୍କର ରାଲି ଜମୁଛି । ହଜାର ହଜାର ଲୋକ ଏକାଠି ହେଉଥିଲେ ମଧ୍ୟ କାହାର ଯେପରି ପରବାଏ ନାହିଁ, ଶାସନ ଗାଦିରେ ବସିବା ପାଇଁ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦିଆଯାଉଛି । ଏକଥା ଏଥିପାଇଁ କୁହାଯାଉଛି କାରଣ, ଏବେ ଦେଶ କରୋନା ମହାମାରୀ ବିରୋଧରେ ଲଢେଇ କରୁଛି । ଆଉ ଏହି ଅଦୃଶ୍ୟ ଶତ୍ରୁ ଠାରୁ ବଞ୍ଚିବାକୁ ହେଲେ ଏକାଧିକ ଲୋକ ଏକାଠି ନ ହେବା ସହ ପରସ୍ପର ଭିତରେ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଉଛି । ଆଉ ଏହି ପରାମର୍ଶ କେଉଁମାନେ ଦେଉଛନ୍ତି ଯେଉଁମାନେ ହଜାର ହଜାର ଲୋକଙ୍କୁ ନେଇ ନିର୍ବାଚନୀ ସଭା କରୁଛନ୍ତି । ଅଥାର୍ତ ନିଜେ କୋଭିଡ ଗାଇଡଲାଇନ ଭାଙ୍ଗିବା ସହ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲିଦେବାକୁ ମଧ୍ୟ ପଛାଉନାହାନ୍ତି । ଆଉ ତାହା ବି କେବଳ ଶାସନ ଗାଦିରେ ବସିବା ପାଇଁ । କିନ୍ତୁ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ସାଜିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାହାଙ୍କର ଲକ୍ଷ୍ୟ ଶାସନ ଗାଦିରେ ବସିବା ପାଇଁ ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ । ସେଥିପାଇଁ ନିର୍ବାଚନ ପ୍ରଚାରକୁ ନା ନା କରିଛନ୍ତି ନବୀନ । କାଳେ ପ୍ରଚାର କଲେ ଲୋକେ ଏକାଠି ହେବେ, ସଂକ୍ରମଣ ସାଂଘାତିକ ରୂପ ନେବ ସେଥିପାଇଁ ଏଭଳି ନିଷ୍ପତି ନେଇଛନ୍ତି ନବୀନ ।
ଆଉ ଏଭଳି କରି ନବୀନ ଦର୍ଶାଇଛନ୍ତି ଯେ, ରାଜନୀତି କିମ୍ବା କ୍ଷମତା ଦଖଲ ନୁହେଁ ବରଂ ଲୋକଙ୍କ ଜୀବନ ତାଙ୍କ ପାଇଁ ପ୍ରାଥମିକତା । ସେଥିପାଇଁ ତ ସିଏ ଲୋକଙ୍କ ନେତା । ସୁଖରେ ହେଉ ବା ଦୁଃଖରେ, ପ୍ରତିଟି ସମୟରେ ଲୋକଙ୍କ ସାଙ୍ଗରେ ଛିଡା ହୋଇଛନ୍ତି ନବୀନ । ଏହାପୂର୍ବରୁ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ପ୍ରଚାର ମୈଦାନରେ ପାଦ ପକାଇନଥିଲେ ନବୀନ । ବରଂ ଭର୍ଚୁଆଲ ରାଲି ମାଧ୍ୟମରେ ପିପିଲିବାସୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ଆଉ ଏବେ ଯେତେବେଳେ ପିପିଲି ନିର୍ବାଚନୀ ରାଲିରୁ ଦଳକୁ ଦୂରେଇ ରଖିବାକୁ ନବୀନ ନିଷ୍ପତି ନେଇଛନ୍ତି ସେତେବେଳେ ତାଙ୍କୁ ସୋସିଆଲ ମିଡ଼ିଆରେ ଜୋରଦାର ପ୍ରଂଶସା କରାଯାଇଛି । କାରଣ ଜଣେ ନେତା ସେତେବେଳେ ଲୋକଙ୍କ ହୃଦୟରେ ସ୍ଥାନ ପାଇଥାଏ ଯେତେବେଳେ ସେ ଲୋକଙ୍କ ଜୀବନ ବାବଦରେ ଚିନ୍ତା କରିଥାଏ । ଆଉ ବଦଳରେ ନେତାଟିଏ ପାଇଥାଏ ଲୋକଙ୍କର ଆର୍ଶୀବାଦ, ଭଲପାଇବା, ସ୍ନେହ ଓ ଶ୍ରଦ୍ଧା । ଯାହା ଦୀର୍ଘ ଦୁଇ ଦଶନ୍ଧି ହେବ ନବୀନଙ୍କୁ ଭୋଟ ଆକାରରେ ମିଳୁଛି ।