THE BYAPINI

ଏବେ ୱାର୍ଡ ଜଗିବ ବିଜେଡି !

Get real time updates directly on you device, subscribe now.

ବୁଥ କମିଟି ଗଠନ କରି ଦଳକୁ ଦଶନ୍ଧି ଦଶନ୍ଧି ଧରି ତୃଣମୁଳସ୍ତରରେ ସଂଗଠିତ କରି ରଖିଥିବା ବିଜୁ ଜନତା ଦଳ ଏବେ ୱାର୍ଡକୁ ପ୍ରାଥମିକ ୟୁନିଟ ଭାବେ ଗ୍ରହଣ କରିବ । ଅର୍ଥାତ ଦଳକୁ ଗାଁ ଗାଁରେ ଆହୁରି ମଜଭୁତ କରିବାକୁ ଦଳ ରଣନୀତି ତିଆରି କରିଛି । ଏହାରି ଆଧାରରେ ହିଁ ଦଳ ଭୋଟ ରାଜନୀତିରେ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଆଗରେ ରହିପାରିବ ବୋଲି ବରିଷ୍ଠ ନେତା ବ୍ୟାପିନୀ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ବଡ କଥା ହେଉଛି, ଦଳର ସମ୍ବିଧାନ ଏହି ମର୍ମରେ ସଂଶୋଧିତ ହୋଇଛି । ପାଖାପାଖି ୧୦ ବର୍ଷ ପରେ ଦଳ ତାର ସମ୍ବିଧାନରେ କିଛିଟା ପରିବର୍ତ୍ତନ କରିଛି ।

ବଡ କଥା ହେଉଛି, ମିଶନ ୧୨୦ ନେଇ ବିଜେପି ଯେତେବେଳେ ଆଗକୁ ବଢୁଥିଲା, ସେତେବେଳେ ରାଜ୍ୟର ପ୍ରାୟ ୩୬ ହଜାର ବୁଥରେ ବୁଥ କମିଟି ଗଢିବାରେ ଦଳ ବିଫଳ ଥିଲା । ଯାହାକୁ ନେଇ ଖୋଦ ସେତେବେଳେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ ଶାହା କର୍ମକର୍ତ୍ତାଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଥିଲେ । ପରେ ତୁରନ୍ତ ବୁଥ କମିଟି ଗଠନ କରିବାକୁ ନିର୍ଦ୍ଦେଶ ବି ଦେଇଥିଲେ । ହେଲେ ବ୍ୟାପିନି ପ୍ରତିନିଧିଙ୍କୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ସରିଗଲା ସିନା ସମସ୍ତ ବୁଥ୍ କମିଟି କୁଆଡେ ଗଠନ ହୋଇପାରିନଥିଲା । ଏନେଇ ଦଳୀୟ ମହଲରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା । ଜାଣିଶୁଣି କେନ୍ଦ୍ରୀୟ ନେତୃତ୍ୱଙ୍କୁ କାଗଜପତ୍ରରେ ବୁଥ କମିଟି ଗଠନ କରି ପଠାଇ ଦେଇଥିବା କୁହାଗଲା । ଯେଉଁଥିପାଇଁ ଦଳ ନିର୍ବାଚନରେ ବିପର୍ଯ୍ୟୟର ସାମ୍ନା ବି କରିଥିଲା ।

ଏବେ ବୁଝିବାର ଆବଶ୍ୟକତା ରହିଛି, ଯେତେବେଳେ ପ୍ରତିଦ୍ୱନ୍ଦ୍ୱୀ ବୁଥ କମିଟି ଗଢିବାରେ ବିଫଳ ହେଉଛନ୍ତି ସେତେବେଳେ ବିଜେଡି ୱାର୍ଡକୁ ପ୍ରାଥମିକ ୟୁନିଟ ଭାବେ ଗ୍ରହଣ କରି ଆଗକୁ ବଢୁଛି । ବ୍ୟାପିନି ପ୍ରତିନିଧିଙ୍କ ସୂଚନା ଅନୁସାରେ, ପ୍ରାୟ ୪ଟି ୱାର୍ଡକୁ ନେଇ ଗୋଟିଏ ବୁଥ ଗଠିତ ହୋଇଥାଏ । ତେଣୁ କ୍ଷମତା ଆଉ ବୁଥ ସ୍ତରରେ ରଖିବା ବଦଳରେ ୱାର୍ଡକୁ ୟୁନିଟ ଭାବେ ଗ୍ରହଣ କରି ନିର୍ବାଚନ ପରିଚାଳନାକୁ ଆହୁରି ମଜଭୁତ କରିବାକୁ ଦଳ ରଣନୀତି ପ୍ରସ୍ତୁତ କରୁଛି । ଆଗାମୀ ପଂଚାୟତ ଆଉ ସହର ଭୋଟ ପାଇଁ ଏହି ରଣନୀତି ତିଆରି କରିଥିବା କୁହାଯାଉଛି । ୨୦୧୭ ପଂଚାୟତ ନିର୍ବାଚନରେ ଦଳ ଅନେକ ଆହ୍ୱାନର ସାମ୍ନା କରିଥିଲା, ତାକୁ ଦୂରେଇବାକୁ ୱାର୍ଡ ସ୍ତରରେ ଦଳ ମଜଭୁତ ହୋଇ ଗୋଟିଏ ଲେଖାଏଁ ୟୁନିଟ ହିସାବରେ କାର୍ଯ୍ୟ କରିବ ବୋଲି ବ୍ୟାପିନି ପ୍ରତିନିଧିଙ୍କୁ ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

୨୦୨୧ ଶେଷ ଆଡକୁ ଅର୍ବାନ ଇଲେକ୍ସନ ଓ ୨୦୨୨ରେ ପଂଚାୟତ ନିର୍ବାଚନ ହେବାକୁ ଯାଉଥିବା ସୂଚନା ମିଳୁଛି । ତେଣୂ ୨୦୨୪ ଆଗରୁ ୱାର୍ଡ କମିଟିକୁ ପରୀକ୍ଷାମୁଳକ ଭାବେ ବ୍ୟବହାର କରି ଦଳ ଦେଖିପାରିବ ଏଥିରେ କେତେଦୁର ସଫଳତା ମିଳୁଛି । କାରଣ ବିଜେଡି ଯେତେବେଳେ ଷଷ୍ଠ ଥର ପାଇଁ ନିର୍ବାଚନ ଲଢିବାକୁ ଯିବ ସେତେବେଳେ ଦଳ ସାମ୍ନାରେ ଆହ୍ୱାନ ଅନେକ ରହିବ । ଯଦି ଏହି ସମୟ ବେଳକୁ ୱାର୍ଡ କମିଟି ମଜଭୁତ ହୋଇ ଭୋଟ ଜଗିପାରିବ ତେବେ ଦଳ ପାଇଁ ନିର୍ବାଚନ ଜିତିବା ସହଜ ହୋଇପାରେ, ନଚେତ ଦଳ ସାମ୍ନାରେ ଅନେକ ଚ୍ୟାଲେଂଜ ଆସିଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.