THE BYAPINI

ସିଂହଦେଓଙ୍କ ପାଇଁ ଶ୍ରୀମୟୀ ସଙ୍କଟ !

Get real time updates directly on you device, subscribe now.

ସିଂହଦେଓଙ୍କ ପାଇଁ ସଙ୍କଟ ଶ୍ରୀମୟୀ । ବିଜେଡି ରାଜନୀତିରେ ଏବେ ଏଭଳି ଘଟଣାକୁ ନେଇ ଅଧିକ ଚର୍ଚ୍ଚା । ଖାସକରି ଯେତେବେଳେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଗସ୍ତ କରୁଛନ୍ତି ଆଉ ଶ୍ରୀମୟୀ ତାଙ୍କ ସହ ମଞ୍ଚରେ ଉପସ୍ଥିତ ରହୁଛନ୍ତି । ଯାହା ସଂକେତ ଦେଉଛି ଦଳୀୟ ରାଜନୀତିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀଙ୍କର ଦବଦବା ବଢୁଛି । ଆଉ ରାଜନୀତିରେ ଶ୍ରୀମୟୀଙ୍କର ଏଭଳି ଉତଥାନ୍ ସିଂହଦେଓ ପରିବାରର ଚିନ୍ତା ବଢାଇଛି ।

ଶ୍ରୀମୟୀ ମିଶ୍ର । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା । ବିଜେଡି ରାଜନୀତିର ଜଣେ ପରିଚିତ ଚେହେରା । ପ୍ରତ୍ୟକ୍ଷ ନିର୍ବାଚନ ଲଢିନଥିବା ଶ୍ରୀମୟୀ କିନ୍ତୁ ଏବେ ପାୱାର ପଲିଟିକ୍ସରେ ବେଶ ସକ୍ରିୟ । ପଶ୍ଚିମ ଓଡିଶାର ଏହି ନେତ୍ରୀଙ୍କ ଆର୍ବିଭାବ ଏବେ ସିଂହଦେଓ ପରିବାରର ରାଜନୈତିକ କ୍ୟାରିୟରକୁ ଅସ୍ତଗାମୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଉଛି । କାରଣ ବର୍ଷ ବର୍ଷ ଧରି ପଶ୍ଚିମ ଓଡ଼ିଶା ରାଜନୀତି ଖାସକରି ବଲାଙ୍ଗୀର ରାଜନୀତିରେ ସିଂହଦେଓ ପରିବାର ପତିଆରା ବିସ୍ତାର କରି ଆସୁଥିଲେ । ପଶ୍ଚିମ ଓଡ଼ିଶାର ବିଜେଡି ରାଜନୀତିରେ ଅନଙ୍ଗ ଉଦୟ ସିଂହଦେଓ ସବୁଠୁ ବଡ ଚେହେରା ଭାବେ ଉଭା ହୋଇଥିଲେ । ନବୀନଙ୍କ ସହ ଘନିଷ୍ଠ ସର୍ମ୍ପକ ତଥା ସମାନ ସ୍କୁଲରେ ପଢିଥିବାରୁୁ ସବୁଜ ଶିବିରରେ ଅନଙ୍ଗ ଉଦୟ ସିଂହଦେଓଙ୍କ ଅଖଣ୍ଡ ପ୍ରଭାବ ରହିଥିଲା । ଏପରିକି ପଶ୍ଚିମ ଓଡ଼ିଶାରେ ବିଜେଡିର ନୀତି ନିର୍ଦ୍ଧାରକ ସାଜି ଆସୁଥିଲେ ଅନଙ୍ଗ । ସଙ୍ଗଠନ ଠାରୁ ଆରମ୍ଭ କରି ଟିକେଟ ବାଣ୍ଟିବା ପର୍ଯ୍ୟନ୍ତ ଅନଙ୍ଗଙ୍କ ଇଙ୍ଗିତରେ ଚାଲୁଥିଲା ସବୁକିଛି । ଆଉ ଏହାର ଭରପୂର ଫାଇଦା ମଧ୍ୟ ଉଠାଇଥିଲେ ଅନଙ୍ଗ । ପଶ୍ଚିମ ଓଡ଼ିଶା ରାଜନୀତିକୁ ନିଜ ହାତମୁଠାରେ ରଖିବାକୁ ପରିବାରର ସଦସ୍ୟଙ୍କୁ ରାଜନୀତିକୁ ଆଣିବାରେ ସଫଳ ହୋଇଥିଲେ ଅନଙ୍ଗ । ବଡ ପୁଅ କଳିକେଶଙ୍କୁ ପ୍ରଥମେ ବିଧାୟକ ଓ ପରେ ସାଂସଦ ଭାବେ ଦିଲ୍ଲୀକୁ ପଠାଇଥିଲେ । ଆଉ ସାନପୁଅ ଅର୍କେଶଙ୍କର ରାଜନୈତିକ କ୍ୟାରିୟର ଗଢି ତୋଳିବା ପାଇଁ ୨୦୧୯ ନିର୍ବାଚନରେ ନିଜ ପଲିଟିକାଲ କ୍ୟାରିୟରକୁ ବାଜିରେ ଲଗାଇଥିଲେ ଅନଙ୍ଗ ଉଦୟ ସିଂହଦେଓ ।

ତେବେ ୨୦୧୯ ନିର୍ବାଚନର ଫଳାଫଳ ପଶ୍ଚିମ ଓଡ଼ିଶାରେ ସିଂହଦେଓ ପରିବାରର ରାଜନୈତିକ ପତିଆରାରେ ପୂର୍ଣ୍ଣଚ୍ଛେଦ ପକାଇଥିଲା । ବଡପୁଅ କଳିକେଶଙ୍କୁ ପୁଣିଥରେ ସାଂସଦ ଓ ସାନପୁଅ ଅର୍କେଶଙ୍କୁ ବିଧାୟକ କରିବାକୁ ଅନଙ୍ଗ ଜି ଜାନ୍ ଲଗାଇ ଦେଇଥିଲେ । କିନ୍ତୁ ଦୁଇ ଯୁବରାଜଙ୍କୁ ପ୍ରତ୍ୟାଖାନ କରିଥିଲେ ବଲାଙ୍ଗୀରବାସୀ । ପାରିବାରିକ ରାଜନୀତିକୁ ପ୍ରଶୟ ଦେଉଥିବା ସିଂହଦେଓଙ୍କ ପରିବାରକୁ ପାୱାର ପଲିଟିକ୍ସରୁ ଆଉଟ କରିଥିଲେ ଜନତା । ଆଉ ଏହା ଶ୍ରୀମୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଥିଲା । ୨୦୧୯ ନିର୍ବାଚନରେ ଟିକେଟ ରେସରେ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଶ୍ରୀମୟୀଙ୍କୁ ଟିକେଟ ମିଳିନଥିଲା । ଆଉ ଏହା ପଛରେ ଅନଙ୍ଗଙ୍କର ହାତ ଥିବା ଦଳୀୟ ଶିବିରରେ ଚର୍ଚ୍ଚା ହୋଇଥିଲା । କାରଣ ବଲାଙ୍ଗୀର ରାଜନୀତିରେ ଶ୍ରୀମୟୀଙ୍କ ଲୋକପ୍ରିୟତା ଏତେ ବଢି ଯାଇଥିଲା ଯେ, ସିଂହଦେଓ ପରିବାରର ପଲିଟିକାଲ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଦେଇ ପାରେ ବୋଲି ଚର୍ଚ୍ଚା ହେଉଥିଲା । ଯେଉଁଥିପାଇଁ ଟିକେଟ ଦୌଡରୁ ଶ୍ରୀମୟୀଙ୍କୁ ଆଉଟ କରିବାକୁ ଅନଙ୍ଗ ସବୁପ୍ରକାର କୌଶଳ ଆପଣାଇଥିବା ଦଳୀୟ ମହଲରୁ ଶୁଣିବାକୁ ମିଳିଥିଲା । ତେବେ ୨୦୧୯ ନିର୍ବାଚନର ଫଳାଫଳ ଶ୍ରୀମୟୀଙ୍କ ପାଇଁ ଆର୍ଶୀବାଦ ହୋଇଥିଲା । ପଲିଟିକାଲ ପଡିଆରୁ ଆଉଟ ହୋଇ ସିଂହଦେଓ ପରିବାର ପ୍ୟାଭିଲିୟନ ଫେରିବା ପରେ ଏବେ ଆକ୍ଟିଭ ମୋଡରେ ଶ୍ରୀମୟୀ ମିଶ୍ର ।

ଗୋଟିଏ ପଟେ ଅନଙ୍ଗଙ୍କ ପରିବାର ପାୱାର ପଲିଟିକ୍ସରୁ ବିଦା ହୋଇଥିବା ବେଳେ ଦଳୀୟ ରାଜନୀତିରେ ଶ୍ରୀମୟୀଙ୍କର ପତିଆରା ବଢିବାରେ ଲାଗିଛି । ଦଳୀୟ ପଦପଦବୀ ସହ ଶ୍ରୀମୟୀ ଏବେ ରାଜଧାନୀରେ ବଡ ଚେହେରା ଭାବେ ଉଭା ହୋଇଛନ୍ତି । ଦଳର ସାମ୍ବାଦିକ ସମ୍ମିଳନୀ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ସବୁଠି ଶ୍ରୀମୟୀଙ୍କୁ ଦେଖିବାକୁ ମିଳୁଛି । ଯାହାର ସିଧାସଳଖ ପ୍ରଭାବ ଏବେ ପଶ୍ଚିମ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଲାଣି । ସିଂହଦେଓଙ୍କୁ ପରିବାରର ବିକଳ୍ପ ଭାବେ ଏବେ ଶ୍ରୀମୟୀଙ୍କୁ ନେତା ଭାବେ ଚିତ୍ରଣ କରାଯାଉଛି । ଯାହାର ଝଲକ ନବୀନଙ୍କ ସୁନ୍ଦରଗଡ ଓ ନୂଆପଡା ଗସ୍ତ ସମୟରେ ଦେଖିବାକୁ ମିଳିଛି । ଏହି ଦୁଇ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହ ବଡ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ସିଂହଦେଓଙ୍କ ପରିବାରକୁ ସତେ ଯେପରି ସାଇଡଲାଇନ କରାଯାଇଥିଲା । ଯାହାକୁ ନେଇ ଏବେ ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଚାଲିଛି ଯେ, ସିଂହଦେଓ ପରିବାର ପାଇଁ ଶ୍ରୀମୟୀ ସଙ୍କଟ ।

Get real time updates directly on you device, subscribe now.

Leave A Reply

Your email address will not be published.