THE BYAPINI

ବିଜେପି ପରାସ୍ତ, ବିଜେଡି ଆଶ୍ୱସ୍ତ

Get real time updates directly on you device, subscribe now.

ପଶ୍ଚିମବଙ୍ଗରେ ବିଜେପି ପରାସ୍ତ, ଓଡ଼ିଶାରେ ବିଜେଡି ଆଶ୍ୱସ୍ତ । ବଙ୍ଗ ଦଖଲ ପାଇଁ ବିଜେପି ଯେଉଁ ସ୍ୱପ୍ନ ଦେଖୁଥିଲା ତାହାକୁ ଚୁରମାର କରିଛନ୍ତି ଦିଦି । ମମତାଙ୍କ ଲୋକପ୍ରିୟତା ଆଗରେ କାମ କରିନି ମୋଦି ମ୍ୟାଜିକ । ପଶ୍ଚିମବଙ୍ଗରେ ସରକାର ଗଢିବାକୁ ଶାହାଙ୍କ ଷ୍ଟ୍ରାଟେଜି ବି ଫେଲ୍ ମାରିଛି । ଆଉ ଏସବୁ ଭିତରେ ବିଜେପିକୁ ଟିଏମସି ଯେଉଁ ଝଟକା ଦେଇଛି ତାହା ଦେଶର ବିଭିନ୍ନ ଆଞ୍ଚଳିକ ଦଳ ଗୁଡିକୁ ଆଶ୍ୱସ୍ତ କରିଛି । ଖାସକରି ଏଭଳି ଫଳାଫଳ ବିଜେଡି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । କାରଣ ବଙ୍ଗ ପରେ କଳିଙ୍ଗ, କିଛି ଏଭଳି ରଣନୀତି ନେଇ ଆଗକୁ ବଢୁଥିଲା ଗେରୁଆ କ୍ୟାମ୍ପ ।

ବଙ୍ଗ ପରେ କଳିଙ୍ଗ । ଅଥାର୍ତ ପ୍ରଥମେ ବଙ୍ଗ ଦଖଲ, ଆଉ ତା ପରେ କଳିଙ୍ଗ । ଗତ କିଛି ବର୍ଷ ହେବ କିଛି ଏଭଳି ଆଭିମୁଖ୍ୟ ନେଇ ବିଜେପି ଆଗକୁ ବଢୁଥିଲା । କାରଣ ପଡୋଶୀ ବଙ୍ଗର ଶାସନ କ୍ଷମତା ହାତକୁ ଆସିଲେ ଏହାର ପ୍ରଭାବ ଓଡ଼ିଶା ଉପରେ ନିଶ୍ଚୟ ପଡିବ । କିଛି ଏଭଳି ଆକଳନ ଲଗାଇଥିଲେ ବିଜେପିର ଥିଙ୍କଟ୍ୟାଙ୍କ । ଯେଉଁଥିପାଇଁ ବଙ୍ଗ ଦଖଲ କରିବାକୁ ଗତ କିଛି ବର୍ଷ ହେବ ପଦ୍ମ ଶିବିରରେ ଚାଲିଥିଲା ଅଙ୍କକଷା । ଏପରିକି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚିତ ହେଉଥିଲେ ମଧ୍ୟ ପଦ୍ମ ଦଳର ଫୋକସରେ ରହିଥିଲା ପଶ୍ଚିମବଙ୍ଗ । ୨୦୦ରୁ ଅଧିକ ଆସନ ହାତେଇବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ, ମହାମାରୀ ସତ୍ତ୍ୱେ ମଧ୍ୟ ମୋଦି-ଶାହା ପ୍ରଚାର କରିବାକୁ ପଛଘୁଞ୍ଚା ଦେଇନଥିଲେ । ଯାହା ଦର୍ଶାଉଥିଲା ବିଜେପି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ବଙ୍ଗ ବିଜୟ । କାରଣ ବଙ୍ଗରେ ବିଜୟୀ ହୋଇଥିଲେ ପୂର୍ବ ଭାରତକୁ ଗେରୁଆ ଗଡରେ ପରିଣତ କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଛି ତାହା ପୂରଣ କରିବା ଆଉ ଟିକିଏ ସହଜ ହୋଇଯାଇଥାନ୍ତା ।

ହୀନ୍ଦି ହାର୍ଟଲାଣ୍ଡ ଅଞ୍ଚଳରେ ବିଜେପି ବେଶ ଶକ୍ତିଶାଳୀ । ଏପରିକି ଦଳ ହିନ୍ଦୀଭାଷୀ ରାଜ୍ୟ ଗୁଡିକରେ ଶାସନ କ୍ଷମତାରେ ରହିଛି । କିନ୍ତୁ ଏଯାଏଁ ଦକ୍ଷିଣ ଓ ପୂର୍ବ ଭାରତରେ ସେତେଟା ପ୍ରଭାବ ବିସ୍ତାର କରିପାରିନାହିଁ । ଆଉ ଏହା ପଛର କାରଣ ହେଲା ଏଠାରେ ଆଞ୍ଚଳିକ ଦଳ ଗୁଡିକ ଶାସନ କ୍ଷମତାରେ ରହିଛନ୍ତି । ତେଣୁ ଆଞ୍ଚଳିକ ଦଳ ଗୁଡିକୁ କିଭଳି ଦୁର୍ବଳ କରିହେବ ସେହି ଫର୍ମୁଲା ଆପଣାଇଛି ବିଜେପି । ପୂର୍ବରୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଅକ୍ତିଆର କରିବାକୁ ଉଦ୍ୟମ କରି ବିଜେପି ଫେଲ ମାରିଥିବା ବେଳେ ରାଡାରରେ ଥିଲା ପଶ୍ଚିମବଙ୍ଗ ଓ ଓଡ଼ିଶା । ପଶ୍ଚିମବଙ୍ଗରେ ଦଳ ବିଜୟୀ ହୋଇଥିଲେ ଏହାର ଯଥେଷ୍ଟ ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡିଥାନ୍ତା । କାରଣ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଆଞ୍ଚଳିକ ଦଳ ଗୁଡିକ ସରକାରରେ ରହିଛି ।

ଏହାପୂର୍ବରୁ ୨୦୧୯ ନିର୍ବାଚନରେ ଓଡ଼ିଶାରୁ ବିଜେଡିକୁ ହଟାଇବାକୁ ଢେର କସରତ କରିଥିଲା ବିଜେପି । ନବୀନଙ୍କୁ ପୋଡା ଟ୍ରାନ୍ସଫର୍ମରର ଟ୍ୟାଗ୍ ଦେଇ ମିଶନ ୧୨୦ ଆରମ୍ଭ କରିଥିଲା ଗେରୁଆ କ୍ୟାମ୍ପ । କିନ୍ତୁ ନବୀନଙ୍କ ବ୍ୟୁହକୁ ଭେଦ କରିପାରିନଥିଲା ବିଜେପି । ନବୀନଙ୍କ ନିର୍ବାଚନୀ ଗୋଟି ଚାଳନାରେ ଚକମା ଖାଇଥିଲା ଦଳ । ମାତ୍ର ୨୩ ଆସନରେ ସୀମିତ ରହି ଓଡ଼ିଶା ଦଖଲ ଅଭିଯାନକୁ ଅଧାରେ ଛାଡିଥିଲେ ମୋଦି-ଶାହା ଯୋଡି । କଳିଙ୍ଗରେ ପରାଜିତ ହେବା ପରେ ବଙ୍ଗ ମୁହାଁ ହୋଇଥିଲା ବିଜେପି । ଲକ୍ଷ୍ୟ ଥିଲା ଥରେ ବଙ୍ଗ ବିଜୟୀ ହେବା ପରେ ପୁଣିଥରେ କଳିଙ୍ଗକୁ କବଜା କରିବାକୁ ଅଧାରେ ଅଟକିଥିବା ମିଶନ ଆରମ୍ଭ କରିବ ଦଳ । ତେଣୁ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ବିଜେଡିର ନଜର ରହିଥିଲା ।

ପଶ୍ଚିମବଙ୍ଗର ଫଳାଫଳ ଯଦି ବିଜେପି ସପକ୍ଷରେ ଯାଇଥାନ୍ତା ତେବେ ବିଜେପିର ବିଜୟ ରଥ ଓଡ଼ିଶା ମୁହାଁ ହୋଇଥାନ୍ତା ନିଶ୍ଚୟ । କାରଣ ଓଡ଼ିଶାରେ ଆଉ ୩ ବର୍ଷ ପରେ ହେବ ନିର୍ବାଚନ । ତେଣୁ ବିଜେଡି ଭଳି ଏକ ମହାଦ୍ରୁମକୁ ହଟାଇବାକୁ ଯେଉଁ ସମୟର ଆବଶ୍ୟକତା ରହିଛି ତାହା ବିଜେପିକୁ ଯଥେଷ୍ଟ ମିଳିଥାନ୍ତା । ୩ ବର୍ଷ ମଧ୍ୟରେ ଦଳକୁ ସଙ୍ଗଠିତ କରିବା ସହ ରଣନୀତି ପ୍ରସ୍ତୁତ କରିବାକୁ ପର୍ଯ୍ୟାପ୍ତ ସମୟ ପାଇଥାନ୍ତା ପଦ୍ମ ଶିବିର । କିନ୍ତୁ ବିଜେପିର ଏହି ଆଶାକୁ ଅଧାରେ ଅଟକାଇଛି ମମତାଙ୍କ ବିଜୟ । ପରାଜୟ ପରେ ପୁଣିଥରେ ବଙ୍ଗରୁ କଳିଙ୍ଗ ଅଭିମୁଖେ ଯାତ୍ରା କରିବାକୁ ସାହସ ଜୁଟାଇ ନପାରେ ବିଜେପି । ତେଣୁ ମମତାଙ୍କ ବିଜୟ ଏବେ ବିଜେଡି ପାଇଁ ସାମୟିକ ଆଶ୍ୱସ୍ତି ଆଣି ଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.