ବିଜେଡି ମିଡିଆ ଟିମ : ଦୁର୍ବଳ ନା ନୁଆଙ୍କୁ ସୁଯୋଗ?
ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ବିଜେଡି ଦଳର ନବକଳେବର ଆରମ୍ଭ ହୋଇଛି । ଛାତ୍ର ଓ ଯୁବ ସଙ୍ଗଠନ ଭଳି ଦଳ ମିଡ଼ିଆ ଟିମର ମଧ୍ୟ ନବକଳେବର କରିଛି । ନୂଆ ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ନାଁ ଘୋଷଣା କରିଛି ଦଳ । ଯେଉଁମାନଙ୍କୁ ଦଳ ନିଜର ତୁଣ୍ଡ ଭାବେ ସାମ୍ନାକୁ ଆଣିଛି । ଅଥାର୍ତ ଗଣମାଧ୍ୟମରେ ଏମାନଙ୍କ ମାଧ୍ୟମରେ ଦଳ ନିଜର ପ୍ରତିଟି ଆଭିମୁଖ୍ୟ ଲୋକଙ୍କ ପାଖରେ ପହଞ୍ଚାଇବ । ତେବେ ନବଗଠିତ ମିଡ଼ିଆ ଟିମକୁ ନେଇ ଦଳୀୟ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । କାରଣ ଏହି ନୂଆ ମିଡ଼ିଆ ଟିମରେ ଅଳ୍ପ କିଛି ନେତାଙ୍କୁ ଛାଡିଦେଲେ ଅନେକ ନୂଆ ଚେହେରାଙ୍କୁ ଗୁରୁଦାୟିତ୍ୱ ଦେଇଛି ଦଳ । ଶାସକ ଦଳର ଏହି ନୂଆ ମିଡ଼ିଆ ଟିମ୍ ବିରୋଧୀ ଦଳର ମିଡ଼ିଆ ଟିମ ଅପେକ୍ଷା ଟିକିଏ ଦୁର୍ବଳ ଲାଗୁଥିବା ଚର୍ଚ୍ଚା ହେଉଛି । ତେବେ ଦୁର୍ବଳ ମିଡ଼ିଆ ଟିମ ଚୟନ ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ଜାଣିବା ହୁଏତ ସାଧାରଣ ଲୋକ ପାଇଁ ସହଜ ନୁହେଁ ।
ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଅମର ଶତପଥୀ, ରାଜକିଶୋର ବେହେରା, ପୁଷ୍ପେନ୍ଦ୍ର ସିଂହଦେଓ, ରାସେଶ୍ରରୀ ପାଣିଗ୍ରାହୀଙ୍କ ଭଳି ଅଭିଜ୍ଞ କୁହାଳିଆ ନେତା ଦଳରେ ଅଛନ୍ତି । ଯେଉଁମାନେ ଗଣମାଧ୍ୟମରେ ଦଳ ପାଇଁ ସୁରକ୍ଷାକବଚ ହୋଇ ଛିଡ଼ା ହେବାର କ୍ଷମତା ରଖିଛନ୍ତି । ଯେଉଁମାନଙ୍କ ବଳିଷ୍ଠ ଯୁକ୍ତି ଆଗରେ ବିରୋଧୀ ବ୍ୟାକଫୁଟକୁ ଚାଲିଯାଆନ୍ତି । ଏହାଛଡା ଯେତେବେଳେ ପରୀ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଦଳ ଏବେ ବ୍ୟାକଫୁଟରେ ଅଛି, ବିରୋଧୀଙ୍କ ବୟାନ ବାଣରେ ଦଳର ଭାବମୂର୍ତ୍ତି ନଷ୍ଟ ହେଉଛି, ନୂଆ ନୂଆ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବାକୁ ଋଣନୀତି କରାଯାଉଛି ସେଭଳିସ୍ଥଳେ ନୂଆ ମୁହଁକୁ ଦଳର ତୁଣ୍ଡ କରି କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ନବୀନ ।
ଯଦିଓ ଏହି ଟିମରେ ପ୍ରତାପ ଦେବଙ୍କୁ ଆଣି ଦଳ ଏକ ବଡ ବାର୍ତ୍ତା ଦେଇଛି । କାରଣ ଚିଟଫଣ୍ଡ ଏବଂ ଇଛାଧୀନ କୋଟା କେଳେଙ୍କାରୀ ମାମଲାରେ ଦଳ ଯେତେବେଳେ ଅସୁବିଧାରେ ପଡିଥିଲା, ସେତେବେଳେ ଏହି ନେତା ଦଳ ପାଇଁ ଢାଲ ସାଜିଥିଲେ । ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ରଙ୍କ ଭଳି ନେତାଙ୍କୁ ଦଳ ଜାତୀୟ ମୁଖପାତ୍ର କରିଛି । ହେଲେ ଏହି ସବୁ ନେତା ରାଜ୍ୟରେ ଉଠୁଥିବା ପ୍ରସଙ୍ଗ ଉପରେ ମତ ରଖିବେ ତ? ରାଜ୍ୟରେ ବିରୋଧୀ ଦଳ ସରକାରଙ୍କୁ ଘେରିବା ବେଳେ ଏମାନେ ଦଳକୁ ବଂଚାଇବାକୁ ବିତର୍କକୁ ଆସିବେ ତ? ନା ଏମାନେ ଖାଲି ଜାତୀୟ ଗଣମାଧ୍ୟମରେ ନିଜ ଆଭିମୁଖ୍ୟ ରଖିବେ? ସେହିଭଳି ମୁଖପାତ୍ର ତାଲିକାରେ ମଧ୍ୟ କିଛି ଅଭିଜ୍ଞ ନେତା ଅଛନ୍ତି, ହେଲେ ସେମାନେ ପ୍ରାୟତଃ ଗଣମାଧ୍ୟମ ଠାରୁ ନିଜକୁ ଦୁରେଇ ରଖିଥାନ୍ତି । କ୍ୱଚିତ ସେମାନେ ମିଡିଆକୁ ଆସନ୍ତି । ଏବେ ସେମାନେ ମିଡିଆକୁ ସାମ୍ନା କରିବେ ତ? ପ୍ୟାନେଲିଷ୍ଟରେ ଅନେକ ଅନଭିଜ୍ଞ ନେତା ଅଛନ୍ତି, ସେମାନେ ଦଳ ଠିକ ଭାବେ ଡିଫେଣ୍ଡ କରିପାରିବେ ତ?
ନବୀନଙ୍କ ଏଭଳି ନିଷ୍ପତ୍ତି ପଛରେ ଦୁଇଟି କାରଣ ଥିବା କୁହାଯାଉଛି । ପ୍ରଥମଟି ହେଲା, ନୂଆ ଚେହେରାଙ୍କୁ ସୁଯୋଗ ଦେଇ ଦଳ ସେଫ୍ ଜୋନରେ ରହିବାକୁ ଚାହୁଁଛି । କୁହାଯାଉଛି, ନୂଆ ଚେହେରାଙ୍କ ପାଇଁ ଦଳର ଶୀର୍ଷ ନେତୃବୃନ୍ଦ ଲମ୍ବା ଲକ୍ଷ୍ମଣରେଖା ଟାଣିଛନ୍ତି । ଯେଉଁ ଲକ୍ଷ୍ମଣରେଖା ପାର କରିବା ଏମାନଙ୍କ ପାଇଁ ମନା । ଅଥାର୍ତ ଉପରୁ ଯେତିକି କୁହାଯିବ ଗଣମାଧ୍ୟମରେ ଏମାନଙ୍କ ତୁଣ୍ଡରୁ ମଧ୍ୟ ସେତିକି କଥା ବାହାରିବ । ତେବେ ଦଳ ଆଗାମୀ ସମୟରେ ସବୁଠୁ ଅଧିକ ଆହ୍ୱାନର ସାମ୍ନା କରିବାକୁ ଯାଉଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ମଧ୍ୟ ଶାସକ ଦଳ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଉଥିବା ଦେଖିବାକୁ ମିଳୁଛି । ଏଭଳି ଚ୍ୟାଲେଞ୍ଜିଂ ସମୟରେ ବିରୋଧୀଙ୍କୁ ବାକ୍ ବାଣରେ ଘାଇଲା କରିବାକୁ ଅଭିଜ୍ଞ କୁହାଳିଆ ନେତାଙ୍କର ଯଥେଷ୍ଟ ଆବଶ୍ୟକତା ରହିଥିଲା । କିନ୍ତୁ ଦଳ ନୂଆ ଚେହେରା ଉପରେ ଭରସା କରିଛି । ତେବେ ଏହି ନୂଆ ଚେହେରା ବିରୋଧୀଙ୍କୁ ଆଟାକକୁ ଡିଫେଣ୍ଡ କରିବା ସହ ସଙ୍କଟ ସମୟରେ ସଙ୍କଟମୋଚକ ସାଜି ଦଳର ଭାବମୂର୍ତ୍ତିକୁ ରକ୍ଷା କରି ପାରିବେ ତ ଏଭଳି ପ୍ରଶ୍ନ ଏବେ ଦଳୀୟ ନେତା ଓ କର୍ମୀଙ୍କ ମନରେ ଉଙ୍କି ମାରୁଛି ।
ନବୀନଙ୍କ ଏହି ନିଷ୍ପତ୍ତି ପଛରେ ଥିବା ଦ୍ୱିତୀୟ କାରଣଟି ଦଳର ଭବିଷ୍ୟତ ପିଢୀ ବୋଲି କୁହାଯାଉଛି । ଏଭଳି ନିଷ୍ପତ୍ତି ନେଇ ଦଳ ଭବିଷ୍ୟତ ପିଢୀକୁ ଗୁରୁତ୍ୱ ଦେଉଥିବା ନେଇ ବାର୍ତ୍ତା ଦେଉଥାଇପାରନ୍ତି ନବୀନ । କାରଣ ମିଡ଼ିଆ ଟିମରେ ଯେଉଁ ନୂଆ ଚେହେରା ସ୍ଥାନ ପାଇଛନ୍ତି ସେମାନଙ୍କ ମଧ୍ୟରେ ଅନେକ ଯୁବ ଓ ଛାତ୍ର ସଙ୍ଗଠନ ସହ ଜଡିତ । ପଞ୍ଚମପାଳିରେ ଯେଉଁ ଫର୍ମୁଲାକୁ ଧରି ମନ୍ତ୍ରୀମଣ୍ଡଳ ଗଠନ ହୋଇଥିଲା ଠିକ୍ ସେହିଭଳି ଫର୍ମୁଲାରେ ମିଡ଼ିଆ ଟିମ୍ ଗଠନ ହୋଇଛି । ନୂଆ ଚେହେରା, କମ ଅଭିଜ୍ଞତା । ଏହି ନେତାଙ୍କୁ ନବୀନ ଗୁରୁଦାୟିତ୍ୱ ଦେଇଛନ୍ତି ସତ କିନ୍ତୁ ଆଗାମୀ ସମୟରେ ଆସୁଥିବା ବିଶାଳକାୟ ଚ୍ୟାଲେଞ୍ଜକୁ ନବୀନଙ୍କ ନୂଆ ମିଡ଼ିଆ ଟିମ୍ ପ୍ରତିହତ କରିପାରିବେ ତ?