ଦରବୃଦ୍ଧି ବିରୋଧରେ ବିଜେଡିର ପ୍ରତିବାଦ
ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି । ପାର୍ଟି ଅଫିସରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ରାଜଭବନ ଯାଏଁ ସାଇକେଲ ଶୋଭାଯାତ୍ରା କରିଛନ୍ତି । ଶୋଭାଯାତ୍ରାରେ ଯାଇ ରାଜଭବନ ସମ୍ମୁଖରେ ବିଜେଡି ଧାରଣା ଦେଇଛି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛି ବିଜେଡି ।
କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିର କାରଣ ହୋଇଛି । ଗତ ୨ ବର୍ଷ ମଧ୍ୟରେ ପେଟ୍ରୋଲ, ଡିଜେଲ ଦରରେ ୩୦ ପ୍ରତିଶତ ବୃଦ୍ଧି ଆସିଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ୪୦ ପ୍ରତିଶତରୁ ୧୦୦ ପ୍ରତିଶତ ମହଙ୍ଗା ହୋଇଥିବା ବିଜେଡି ଅଭିଯୋଗ କରିଛି । ଦର ବୃଦ୍ଧି ପାଇଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଦାୟୀ କରି ଆନ୍ଦୋଳନ କରିଛି ବିଜୁ ଜନତା ଦଳ ।
ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ପ୍ରତିବାଦ କରିବ ବିଜେଡି ମହିଳା ମୋର୍ଚ୍ଚା । ୫ରୁ ୭ ତାରିଖ ଯାଏଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଥିବା ପେଟ୍ରୋଲ ପମ୍ପରେ ପ୍ରତିବାଦ ଆନ୍ଦୋଳନ କରିବ ବିଜେଡି ।