THE BYAPINI

ଚହଳ ପକାଇଲେ, ପ୍ରଂଶସା ସାଉଁଟିଲେ । କ୍ଷମା ମାଗିବା ବେଳକୁ କୁଆଡେ ଗଲେ?

Get real time updates directly on you device, subscribe now.

ସମ୍ବିତ ପାତ୍ର । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର । ରଥଯାତ୍ରା ପୂର୍ବରୁ ସାଆନ୍ତେଙ୍କ ପାଇଁ ଗୀତ ଗାଇଲେ, ଜଗନ୍ନାଥଙ୍କ ପ୍ରତି ତାଙ୍କର ଥିବା ଭକ୍ତିକୁ ଗୀତ ମାଧ୍ୟମରେ ପୂରା ଦୁନିଆକୁ ଦେଖାଇଲେ । ପ୍ରତି ଫୋନରେ ଘୂରି ବୁଲିଲା ମହାପ୍ରଭୁଙ୍କ ପାଇଁ ସମ୍ବିତ ଗାଇଥିବା ଗୀତ । ବିଜେପିର ସାଇବର ଟିମ୍ ସେଲ ମଧ୍ୟ ଏହାକୁ ଜୋରଦାର ଭାଇରାଲ କରାଇଲା । ଜଗନ୍ନାଥଙ୍କ ପ୍ରତି ସମ୍ବିତଙ୍କର କେତେ ଯେ ଭଲପାଇବା ଓ ଭକ୍ତି ରହିଛି ତାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଲା । ପୂର୍ବରୁ ଜଗନ୍ନାଥଙ୍କ ଗୀତ ଗାଇ ରାତାରାତି ଏତେ ଚର୍ଚ୍ଚିତ କେହି ହୋଇନଥିଲେ ଯେତିକି ସମ୍ବିତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଲା । କିନ୍ତୁ ଗୀତ ଗାଇବା ବେଳେ ସମ୍ବିତ ଯେତିକି ଚର୍ଚ୍ଚା ସାଉଁଟିଥିଲେ, ଏବେ ତାହା ଠାରୁ ଅଧିକ ନିନ୍ଦା ଓ ଅପବାଦ ଶୁଣିବାକୁ ପଡିପାରେ । କାରଣ ସମ୍ବିତ ଶ୍ରୀଜଗନ୍ନାଥାଷ୍ଟକମ ଭୁଲ ଗାଇଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ପ୍ରସିଦ୍ଧ କଣ୍ଠଶିଳ୍ପୀ କୈଳାଶ ଖେରଙ୍କ ସହ ମିଶି ସମ୍ବିତ ଗାଇଥିବା ଶ୍ରୀଜଗନ୍ନାଥ ଅଷ୍ଟକମର ପ୍ରଥମ ଧାଡି ଭୁଲ ଗାଇଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । କଦାଚିତ୍ କାଳିନ୍ଦୀତଟ ବିପିନ-ସଙ୍ଗୀତ-କରାବୋ ସ୍ଥାନରେ ସମ୍ବିତ ସଙ୍ଗୀତ-ତରଲୋ ଗାଇଛନ୍ତି । ଯାହା ଭୁଲ ବୋଲି ଜଗନ୍ନାଥପ୍ରେମୀ କହିଛନ୍ତି । ଏପରିକି ଅନ୍ୟ ସଙ୍ଗୀତଜ୍ଞ ଓ ଜଗନ୍ନାଥପ୍ରେମୀ ଯେଉଁମାନେ ୟୁଟ୍ୟୁବରେ ଶ୍ରୀଜଗନ୍ନାଥ ଅଷ୍ଟକମ ଗାଇଛନ୍ତି ସେମାନଙ୍କ ଶବ୍ଦ ଉଚ୍ଚାରଣ ଓ ସମ୍ବିତଙ୍କ ଶବ୍ଦ ଉଚ୍ଚାରଣ ମଧ୍ୟରେ ଭିନ୍ନତା ବାରି ହୋଇ ପଡୁଛି । କିନ୍ତୁ ରାତାରାତି ଲକ୍ଷାଧିକ ଲୋକଙ୍କ ପାଖରେ ନିଜ ଗୀତ ପହଞ୍ଚାଇ ଜଗନ୍ନାଥପ୍ରେମୀ ଭାବେ ଚିତ୍ରଣ କରୁଥିବା ସମ୍ବିତ ଏତେବଡ ଭୁଲ କଲେ କେମିତି? ନିଜେ ତ ଭୁଲ ବୋଲିଲେ ଓ ଲୋକଙ୍କୁ ବି ଶ୍ରୀଜଗନ୍ନାଥ ଅଷ୍ଟକମ ଭୁଲ ଶୁଣାଇଲେ । ଏହା କଣ ମହାପ୍ରଭୁ ଓ ଜଗନ୍ନାଥପ୍ରେମୀଙ୍କ ପ୍ରତି ଅପମାନ ନୁହେଁ କି? ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ଚି ସାରିଥିବା ଏହି ଗୀତରେ ଭୁଲ ଅଛି ବୋଲି କିଏ କହିବ? 

ମହାପ୍ରଭୁଙ୍କୁ ନାଁରେ ମାଇଲେଜ ନେବା ସମ୍ବିତଙ୍କ ପାଇଁ ନୂଆ କଥା ନୁହେଁ । ୨୦୧୯ ନିର୍ବାଚନରେ ମଧ୍ୟ କିଛି ଏହିଭଳି ଘଟଣା ଦେଖିବାକୁ ମିଳିଥିଲା । ଯେତେବେଳେ ସମ୍ବିତ ମହାପ୍ରଭୁଙ୍କ କୁନି ବିଗ୍ରହ ଧରି ପୁରୀରେ ଏଣ୍ଟ୍ରି ମାରିଥିଲେ । ଜଗନ୍ନାଥ ଡାକିଛନ୍ତି, ମୋଦୀ ପଠାଇଛନ୍ତି ଏହି ନାରା ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ସମ୍ବିତ । ପ୍ରଥମଥର ପାଇଁ ମହାପ୍ରଭୁଙ୍କ ନାଁ ନେଇ କେହି ରାଜନୀତି କରୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଅନେକ ନାପସନ୍ଦ ମଧ୍ୟ କରିଥିଲେ । କିନ୍ତୁ ମହାପ୍ରଭୁଙ୍କ ନାଁରେ ହିଁ ନିର୍ବାଚନ ବୈତରଣୀ ପାର କରିହେବ ଏହି ଷ୍ଟ୍ରାଟେଜି ନେଇ ଆଗକୁ ବଢିଥିଲେ ସମ୍ବିତ । ଆଉ ପ୍ରଥମଥର ପୁରୀରୁ ଲୋକସଭା ନିର୍ବାଚନ ଲଢିଥିବା ସମ୍ବିତ ଖୁବ୍ କମ ଭୋଟରେ ପରାଜିତ ହୋଇଥିଲେ । କିନ୍ତୁ ଲୋକଙ୍କ ନଜରରେ ନିଜକୁ ଜଗନ୍ନାଥଙ୍କ ପରମ ଭକ୍ତ ଭାବେ ସଜାଇ ସାରିଥିଲେ ।

ଏସବୁ ଭିତରେ ରଥଯାତ୍ରା ବେଳେ ଶ୍ରୀଜଗନ୍ନାଥ ଅଷ୍ଟକମ ଗାଇ ପୁଣିଥରେ ସମ୍ବିତ ଚର୍ଚ୍ଚାକୁ ଆସିବା ସହ ଲୋକଙ୍କ ଭଲପାଇବା ଓ ପ୍ରଂଶସା ସାଉଁଟିଛନ୍ତି । କିନ୍ତୁ ସମ୍ବିତ ଗାଇଥିବା ଶ୍ରୀଜଗନ୍ନାଥ ଅଷ୍ଟକମର ପ୍ରଥମ ଧାଡି ଭୁଲ ଅଛି ବୋଲି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେଣୁ ଏଠି ପ୍ରଶ୍ନ ଉଠୁଛି ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ଚି ସାରିଥିବା ଏହି ଭୁଲ ଗୀତକୁ ସଂଶୋଧନ କରିବ କିଏ? ଶ୍ରୀଜଗନ୍ନାଥ ଅଷ୍ଟକମ ଭୁଲ ଗାଇଛନ୍ତି ବୋଲି ମାନିବା ସହ ଜଗନ୍ନାଥପ୍ରେମୀଙ୍କୁ କ୍ଷମା ମାଗିବେ କି ସମ୍ବିତ? ପ୍ରଂଶସା ସାଉଁଟିବା ବେଳେ ଗଦଗଦ ହୋଇ ପଡୁଥିବା ସମ୍ବିତ ଏବେ କାହିଁକି ଚୁପ୍ ବୋଲି ଜଗନ୍ନାଥପ୍ରେମୀ ପ୍ରଶ୍ନ କଲେଣି । ଆଉ ସବୁଠୁ ବଡ କଥା ହେଲା, ଏହି ମ୍ୟୁଜିକ ଭିଡ଼ିଓକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ରିଲିଜ କରାଇଥିଲେ ସମ୍ବିତ । ତେଣୁ ଏବେ ଦିଲ୍ଲୀ ଦରବାରର ଏହି ଦୁଇ ଓଡ଼ିଆ ନେତାଙ୍କ ପାଇଁ ରାଜ୍ୟ ବିଜେପିକୁ ଲୋକହସା ହେବାକୁ ପଡୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.