ଓଡିଶାକୁ ଦରକାର ଯୁବ ନେତୃତ୍ୱ । ରାଜ୍ୟର ବିକାଶ ପାଇଁ ଲୋକଙ୍କ ବିକାଶ ପାଇଁ ଯୁବଶକ୍ତି ହିଁ ଏକମାତ୍ର ବାଟ । ନୂଆ ଯୁଗ, ନବୀନ ସକାଳ ପାଇଁ ଯୁବବର୍ଗ ହିଁ ଓଡିଶାର ଭବିଷ୍ୟତ । ବୋଧେ ଏମିତି କିଛି ଦୂରଦୃଷ୍ଟି ରଖି ନେତା ବାଛୁଛନ୍ତି ନବୀନ । ଆଉ ତାଙ୍କ କାନ୍ଧରେ ଦେଉଛନ୍ତି ଗୁରୁ ଦାୟିତ୍ୱ । ଆଉ ଏହାର ବଡ ଉଦାହରଣ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । କାରଣ ଏବେ ନେତାଙ୍କ ପୁଅକୁ ବାଛୁଛନ୍ତି ନବୀନ । ସେ ବିଷ୍ଣୁ ଦାସଙ୍କ କଥା କୁହନ୍ତୁ ଅବା ପ୍ରଦୀପ ମହାରଥୀ । ବିଧାୟକଙ୍କ ପରଲୋକ ପରେ ତାଙ୍କ ପତ୍ନୀ ନୁହେଁ ବରଂ ତାଙ୍କ ପୁତ୍ରଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରିଛନ୍ତି ।

ତେବେ ବିଜେପୁର ଉପନିର୍ବାଚନ ଏବଂ ପାଟକୁରା ପରେ ଭୋଟ ହାତେଇବାକୁ ଆଉ ମହିଳା କାର୍ଡ ଖେଳିନାହାନ୍ତି ନବୀନ । ୨୦୧୭ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁରକୁ ବିଜେଡି ଖାତାକୁ ଆଣିବାକୁ ନବୀନ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲେ । ଯଦିଓ ସୁବଳଙ୍କ ପୁଅକୁ ଟିକେଟ ମିଳିବା ନେଇ ସେତେବେଳେ ଭାରି ଚର୍ଚ୍ଚା ହେଉଥିଲା କିନ୍ତୁ ନବୀନ ରୀତାଙ୍କ ହାତକୁ ବଢାଇ ଦେଇଥିଲେ ଟିକେଟ । ସେମିତି ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ଗାଦି ସମ୍ଭାଳିବାର ଦାୟିତ୍ୱ ଦେଇଥିଲେ ।
ମାତ୍ର ଏବେ ବଦଳି ଯାଇଛି ଜମାନା । ପରିବର୍ତ୍ତିତ ହୋଇଛି ରାଜନୈତିକ ଗୋଟି ଚାଳନା । ବିଜେଡି ସୁପ୍ରିମୋ ଆଉ ଦିବଙ୍ଗତ ବିଧାୟକଙ୍କ ପତ୍ନୀଙ୍କୁ ଭରସୁ ନାହାନ୍ତି କି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପାରୁନାହାନ୍ତି । ଖାଲି ରାଜନୈତିକ ଯୁଦ୍ଧ ଲଢି ଯେନେତେନେ ମହିଳା କାର୍ଡ ପକାଇ ନବୀନ ଆଉ ଜିତିବାକୁ ଚାହୁଁ ନାହାନ୍ତି ବରଂ ବିଜୟ ସହ ବିକାଶ କଥା ବି ଦେଖୁଛନ୍ତି । ଯେଉଁଠି ବିଜୟ ହେବ ସେଠି ବିକାଶର ବୀଜ ବୁଣିବା ନିହାତି ଦରକାର । ଆଉ ଏ କାମ ଯୁବଶକ୍ତି ହିଁ ସଠିକ ତୁଲାଇପାରିବ ବୋଲି ଆଶା ରଖି ନବୀନ ନେତାଙ୍କ ପୁଅ ଉପରେ ନଜର ରଖିଛନ୍ତି । ଯାହାର ବଡ ଉଦାହରଣ ହେଉଛନ୍ତି ରୁଦ୍ର ଏବଂ ବିଜୟ ।
ତେବେ ତିର୍ତ୍ତୋଲରେ ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଉପ ନିର୍ବାଚନ ହୋଇଥିଲା । ଯେଉଁଥିରେ ବିଜେଡି ସୁପ୍ରିମୋ ବିଷ୍ଣୁଙ୍କ ପୁଅକୁ ବାଛିଥିଲେ । ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଥିଲା ଆଉ ବିଜୟ ବି ତିର୍ତ୍ତୋଲ ତାଜ ପିନ୍ଧି ବିଜୟ ରଥ ଗଡାଇଥିଲେ । ଆଉ ଏବେ ପୁଣି ଏକ ଉପନିର୍ବାଚନ ଦେଖିବାକୁ ଯାଉଛି ଓଡିଶା । ପିପିଲିକୁ ମହାରଥୀଙ୍କ ଗଡ କୁହାଯାଉଥିବା ବେଳେ ତାଙ୍କ ପରଲୋକ ପରେ ପିପିଲିରେ ହେବାକୁ ଯାଉଛି ଉପନିର୍ବାଚନ । ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲି ପରୀକ୍ଷା ଥିବା ବେଳେ ସେଠି ବି ବିଜେଡି ତିର୍ତ୍ତୋଲ ଭଳି ଚାଲ ରିପିଟ୍ କରିଛି ।

ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କୁ ଟିକେଟ ମିଳିବା କଥା ଜୋରଦାର ଚର୍ଚ୍ଚା ହେଉଥିଲା । ସମସ୍ତେ ବି ସ୍ଥିର କରିସାରିଥିଲେ କି ପାଟକୁରା, ବିଜେପୁର ଭଳି ଏଠି ବି ନବୀନ ବାବୁ ସମାନ ଚାଲ ଖେଳିବେ ଆଉ ମହାରଥୀଙ୍କ ପତ୍ନୀଙ୍କୁ ଟିକେଟ ଦେବେ । ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଗତ କିଛିଦିନ ଏମିତି ଚର୍ଚ୍ଚା ଲାଗିରହିଥିଲେ ବି ସେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦଳର ସୁପ୍ରିମୋ । ଆଉ ପ୍ରଦୀପଙ୍କ ପୁଅକୁ ପିପିଲି ପାଇଁ ଯୋଦ୍ଧା ସଜାଇଲେ । ସିନିୟର ମହାରଥୀଙ୍କ ସ୍ୱପ୍ନ ଆଉ ଅଧୁରା କାମକୁ ଜୁନିୟର ମହାରଥୀ ପୂରା କରିବେ ଏଇ ଲକ୍ଷ୍ୟ ନେଇ ରୁଦ୍ର ପ୍ରତାପ ମହାରଥୀଙ୍କୁ ପିପିଲି ରଣକ୍ଷେତ୍ରକୁ ଛାଡିଛି ବିଜେଡି । ଆଉ ରୁଦ୍ର ହିଁ ପିପିଲି ପରୀକ୍ଷା ପାସ କରିବେ ବୋଲି ଦଳ ଆଶା ରଖିଛି । ରୁଦ୍ର ବି ଟିକେଟ ଘୋଷଣା ହେଉ ହେଉ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବା ଆଉ ଲୋକଙ୍କ ସମସ୍ୟାକୁ ଫୋକସ ଦେବା, କୃଷି କୃଷକର କଥା ବୁଝିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଉପରୋକ୍ତ ତମାମ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ନବୀନ ଏବେ ନେତାଙ୍କ ପୁଅଙ୍କୁ ଗୁରୁତ୍ୱ ଦେଉଛନ୍ତି । ଦଳର ଭବିଷ୍ୟତ ହେଉ କିମ୍ବା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ନୂଆ ନେତୃତ୍ୱ ଉପରେ ନବୀନ ଫୋକସ କରୁଛନ୍ତି । ତିର୍ତ୍ତୋଲର ବିଜୟ ଏବଂ ପିପିଲିର ରୁଦ୍ର ଏହାର ବଳିଷ୍ଠ ଉଦାହରଣ ।