ଚାଉଳ କିଣା ପ୍ରସଙ୍ଗକୁ ନେଇ ଏଫସିଆଇ ଅଫିସ୍ ଆଗରେ ଧାରଣା ଦେବ ବିଜେଡି
କେନ୍ଦ୍ର ସରକାର ଉଷୁନା ଚାଉଳ ନ ଉଠାଇବା ପ୍ରତିବାଦରେ ଧାରଣା ଦେବ ବିଜେଡି । ସୋମବାର ପ୍ରେସମିଟ୍ କରି ବିଜୁ ଜନତା ଦଳର ମୁଖପାତ୍ର କେନ୍ଦ୍ର ସରକାର ଉପରେ ବର୍ଷିବା ସହିତ କେନ୍ଦ୍ର ସରକାର କାହିଁକି ବଳକା ଚାଉଳ ନେଉନାହାଁନ୍ତି ସେହି କଥା ଉଠାଇଛନ୍ତିି । ତେବେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ କହିବା ଅନୁସାରେ, ୨୦୨୦-୨୧ ଖରିଫ ଋତୁରେ ଓଡିଶାରେ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା । ସେ ଭିତରୁ ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ୍ ଟନ୍ ନିଜ ବ୍ୟବହାର ପାଇଁ ରଖିଛନ୍ତି । ତେବେ ବଳକା ୨୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ନେବା କଥା, ଯାହାକୁ କେନ୍ଦ୍ର ସରକାର ନେଇନଥିବା ବିଜେଡି ଅଭିଯୋଗ ଆଣିଛି ।
ସାମ୍ବାଦିକ ସମ୍ମିଳନୀରେ ଏନେଇ ମୁଖପାତ୍ର ସୁଲତା ଦେଓ ଏବଂ ଶ୍ରୀମୟୀ ମିଶ୍ର କହିଛନ୍ତି, ଓଡ଼ିଶାର ୯୫ ପ୍ରତିଶତର ଉଷୁନା ଚାଉଳ ଉତ୍ପାଦନ ହୁଏ । ଉଷୁନା ଚାଉଳ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ଉଠେଇବା କଥା କିନ୍ତୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ପିଡିଏସ୍ ବଣ୍ଟନରେ ଓଡିଶା ତୃତୀୟ ସ୍ଥାନରେ ରହିଛି ସୋମବାର କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ସହ ଖେଳିଛନ୍ତି ।
ସେହିପରି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ଚାଷୀଙ୍କ ପାଇଁ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ହେଲେ ତାଙ୍କ ଆଖିରୁ ଚାଷୀଙ୍କ ପାଇଁ ଟିକେ ବି ଲୁହ ବୋହୁନି । ଏହି ପ୍ରସଙ୍ଗରେ ବିଜେପି ନେତାଙ୍କ କଥା ଗୋଟେ, କାମ ଆଉ ଗୋଟେ । ଖାଲି ଭୋଟ୍ ଆସିଲେ ବିଜେପି ନେତାମାନେ ଚାଷୀଙ୍କ କଥା ମନେ ପକାଇଥାନ୍ତି, ହେଲେ ଭୋଟ୍ ଚାଲିଗଲେ ସେମାନେ ଚାଷୀଙ୍କ କଥାକୁ ଭୁଲିଯାଆନ୍ତି ବୋଲି ସେ କହିଛନ୍ତି ।