ଗଜପତିଙ୍କ ଉପରେ ବିଜେପି-ବିଜେଡି ଆଖି !
ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ପ୍ରଥମ ସେବକ । ରାଜ୍ୟ, ଦେଶ, ବିଦେଶରେ ସ୍ୱତନ୍ତ୍ର ପରିଚୟ ରଖୁଥିବା ମହାରାଜାଙ୍କ ଉପରେ ଏବେ ଉଭୟ ବିଜେପି ଏବଂ ବିଜେଡିର ଆଖି ଥିବା ଚର୍ଚ୍ଚା ହେଉଛି । କୋଭିଡ ସମୟରେ ରଥଯାତ୍ରାକୁ ନେଇ ଯେତେବେଳେ ସମସ୍ତଙ୍କ ମନରେ ସଂଶୟ ଥିଲା, ଠିକ ସେତିକିବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗଜପତିଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ । ଅନେକ ସମୟରେ ବିଜେପିର ବରିଷ୍ଠ ନେତା ଗଜପତି ମହାରାଜାଙ୍କ ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହୁଏ । ହେଲେ ଏବେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବାବଦ ସଂକଳ୍ପ ବିଧାନସଭାରେ ଆଗତ ହେବା ଠାରୁ ଏଯାଏଁ ଉଭୟ ବିଜେଡି ଓ ବିଜେପି ଗଜପତି ମହାରାଜାଙ୍କୁ ନେଇ ସ୍ଥିତି ଆକଳନ କରୁଥିବା ଚର୍ଚ୍ଚା ହେଉଛି ।
ବିଧାନସଭାର ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ସଂକ୍ରାନ୍ତୀୟ ସଂକଳ୍ପ ଆଗତ କରିଥିଲେ । ପ୍ରସ୍ତାବରେ ଉଲ୍ଲେଖ ଥିଲା, ଗଜପତି ମହାରାଜାଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଭିନ୍ନ ଷ୍ଟେକ ହୋଲଡରଙ୍କ ସହ ବହୁ ବାର ଆଲୋଚନା ପରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ମହାନ କାର୍ଯ୍ୟ ପାଇଁ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ସହଯୋଗ ପାଇଁ ସେବାୟତ, ପୁରୀ ବାସିନ୍ଦା ଏବଂ ଅନ୍ୟ କିଛି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଅଦ୍ୟ ସେବକ ଗଜପତି ମହାରାଜାଙ୍କୁ ମୁଖ୍ୟତଃ ଶ୍ରେୟ ପ୍ରଦାନ କରିଥିଲେ । ଏହା ପଛର ଉଦ୍ଦେଶ୍ୟ କଣ ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ, ହେଲେ ଗଜପତି ମହାରାଜାଙ୍କୁ ନେଇ ବିଜେଡି କିଛି ଚିନ୍ତା କରୁଥିବା ଚର୍ଚ୍ଚା କରାଯାଉଛି । ପୁର୍ବରୁ ମଧ୍ୟ ଏକ କାର୍ଯ୍ୟକ୍ରମରେ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିବା ବେଳେ ବିଜେପି ନେତା ଏହାକୁ ନାପସନ୍ଦ କରିଥିଲେ । ଗଜପତି ନିଜ ନିରପେକ୍ଷତା ବଜାୟ ରଖନ୍ତୁ ବୋଲି ଆହ୍ୱାନ ଦେଇଥିଲେ ବିଜେପି ନେତା । ସେହିଭଳି ପୁର୍ବରୁ ଏକାଧିକବାର ଯେତେବେଳେ ଉଭୟ ଗଜପତି ମହାରାଜା ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ହୋଇଛି ସେତେବେଳେ ଅନେକ ଦୃଷ୍ଟିକୋଣରୁ ସମୀକ୍ଷା କରାଯାଇଛି ।

ବଡ କଥା ହେଉଛି, ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବାର ଦିନକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଜପତି ମହାରାଜାଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା । କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି କହିଥିଲେ, ପୁରୀ ଗସ୍ତ କରିବା ଆଗରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ସୈାଜନ୍ୟମୁଳକ ସାକ୍ଷାତ କରି ଆଶୀର୍ବାଦ ନେଲି । ହେଲେ ଏହା ପଛରେ ଏକ ବଡ ଉଦ୍ଦେଶ୍ୟ ଥିଲା ବୋଲି ଚର୍ଚ୍ଚା ହେଉଥିଲା । ପୁରୀରେ ବିକାଶ କାମ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବା ପରେ ପୁରୀ ଶ୍ରୀମନ୍ଦିର ବିକାଶ ପରିପ୍ରେକ୍ଷୀରେ ଗଜପତି ମାହାରାଜାଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ସ୍ୱେଛାକୃତ ଜନଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ଗଜପତିଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାଫଳରେ ପ୍ରତ୍ୟେକ ହିନ୍ଦୁ ଓ ସାଢେ ଚାରିକୋଟି ଓଡିଆ ଶ୍ରମଦାନ ଓ ଅର୍ଥଦାନ ମାଧ୍ୟମରେ ସେବା କରିବା ପାଇଁ ସୁଯୋଗ ପାଇବେ ।

ଉଭୟ ବିଜେଡି ଓ ବିଜେପିର ଶୀର୍ଷ ନେତା ଗଜପତି ମହାରାଜାଙ୍କୁ ଭେଟିବା, ଧନ୍ୟବାଦ ଜଣାଇବା, ତାଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ବିକାଶ କାର୍ଯ୍ୟକୁ ଆଗକୁ ନେବାକୁ ଉଦ୍ୟମ କରିବା ଆଖି ଆଗକୁ ସରଳ ଦେଖାଯାଉଥିଲେ ବି ଆଗାମୀ ଦିନରେ ଏହା ପଛରେ କିଛି ଉଦ୍ଦେଶ୍ୟ ଥିଲା କି ନାହିଁ ତାକୁ ସ୍ପଷ୍ଟ କରିବ । ୨୦୧୯ ନିର୍ବାଚନ ସମୟରେ ରାଜନୈତିକ ଦୃଷ୍ଟିକୋଣରୁ କରାଯାଇଥିବା ସମୀକ୍ଷା ସତ ହୋଇନଥିଲା, ତେଣୁ ଆଗାମୀ ଦିନରେ ପ୍ରଭାବକୁ ନେଇ ଏବେଠାରୁ ଆକଳନ ଆରମ୍ଭ ହୋଇଛି ।