ନବୀନଙ୍କ ଚକ୍ରବ୍ୟୁହରେ ଫଶିଗଲା ବିଜେପି!
ରାଜନୀତିରେ ଏମିତି ବି ହୁଏ । ଯେତେବେଳେ ବିରୋଧୀଙ୍କୁ ମନାଇବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଆସନ୍ତି । ଏମିତି ଘଟଣା ଦେଶର ରାଜନୀତି ଇତିହାସରେ କ୍ୱଚିତ ଦେଖିବାକୁ ମିଳେ । ଆଉ ଖାସକରି ଓଡ଼ିଶାରେ ଦୀର୍ଘ ଦଶନ୍ଧି ହେବ ଏଭଳି ଘଟଣା ଘଟିବାର ନଜିର ମଧ୍ୟ ନଥିଲା । କିନ୍ତୁ ଆଜି ସେହି ଇତିହାସରେ ନବୀନ ଯୋଡିଛନ୍ତି ନୂଆ ଫର୍ଦ୍ଦ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଦୀର୍ଘ ଦିନ ଯାଏଁ ଚର୍ଚ୍ଚା ହେବ । ନବୀନ ନିବାସ ସାମ୍ନାରେ ନବୀନ ଯେଉଁ ନୂଆ ପରମ୍ପରା ସୃଷ୍ଟି କଲେ ତାହା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଭାବମୂର୍ତ୍ତିକୁ ଲୋକଙ୍କ ନଜରରେ ଆହୁରି ଉପରକୁ ନେଇଗଲା । ଆଉ ନବୀନ ଏଭଳି ନିଷ୍ପତି ନେଇ ବିରୋଧୀ ବିଜେପିକୁ ଦେଇଛନ୍ତି ଜୋରଦାର ଝଟକା ।
![](http://thebyapini.in/wp-content/uploads/2021/03/4b868774-e1bd-43ff-90ef-5d13ece2ec42.jpg)
ଉଦୁଉଦିଆ ଖରାବେଳ । ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧି ନବୀନ ନିବାସରୁ ବାହାରି ଆସିଲେ ମୁଖ୍ୟମନ୍ତ୍ରୀ । ଘଣ୍ଟା ଘଣ୍ଟା ଧରି ହାଇଡ୍ରାମା ଦେଖୁଥିବା ଲୋକେ ମଧ୍ୟ କିଛି ସମୟ ପାଇଁ ହୋଇଗଲେ ତାଜୁବ । ଧାରଣାରେ ବସିଥିବା ବିରୋଧୀ ବିଜେପି ବିଧାୟକ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲେ । ଯେଉଁ ନବୀନଙ୍କୁ ବିଜେପି ବିଧାୟକ ଖୋଜି ଖୋଜି ବିଧାନସଭାରୁ ନବୀନ ନିବାସ ନିକଟରେ ପହଞ୍ଚିଥିଲେ, ସେ ସ୍ୱୟଂ ସମସ୍ତଙ୍କ ସାମ୍ନାରେ ବିରାଜମାନ ହୋଇସାରିଥିଲେ । ଆଉ ଏହାସହ ବିଜେପିର ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲା ବୋଲି ଚର୍ଚ୍ଚା ଆରମ୍ଭ ହେଲା । ତେବେ ଏହି କିଛି ମିନିଟ ମଧ୍ୟରେ ୬ ଦିନର ପୂରା ଘଟଣାକ୍ରମକୁ ଯେପରି ହାଇଜାକ କରି ନେଇଥିଲେ ବିଜେଡି ସୁପ୍ରିମୋ । ଏହାସହ ନବୀନଙ୍କ ଚକ୍ରବ୍ୟୁହରେ ଫଶି ସାରିଥିଲେ ବିଜେପି ବ୍ରିଗେଡ ।
ବିଜେଡି ସୁପ୍ରିମୋଙ୍କ ସରପ୍ରାଇଜ ନିଷ୍ପତି ବାବଦରେ କିଏ ବା ନ ଜାଣିଛି । ନିର୍ବାଚନ ଠାରୁ ଆରମ୍ଭ କରି ସଙ୍ଗଠନ, ନବୀନ କେତେବେଳେ କେଉଁ ନିଷ୍ପତି ନିଅନ୍ତି ତାହାର ଅନ୍ଦାଜ ଲଗାଇବା ଏତେ ସହଜ ନୁହେଁ । ଯେଉଁଥିପାଇଁ ଲଗାତାର ୫ ଥର ରାଜ୍ୟର ଶାସନ ଭାର ସମ୍ଭାଳି ଆସିଛନ୍ତି ନବୀନ । ଆଉ ଠିକ୍ ସେହିଭଳି ଏକ ନିଷ୍ପତି ନେଇ ପୁଣିଥରେ ନିଜର ରାଜନୈତିକ ଦକ୍ଷତା ଦେଖାଇଛନ୍ତି ନବୀନ । ମଣ୍ଡି ଅବ୍ୟବସ୍ଥା ଓ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରସଙ୍ଗକୁ ନେଇ ଲଗାତାର ହଟ୍ଟଗୋଳ ଫଳରେ ୬ ଦିନ ହେବ ଅଚଳ ହୋଇ ଆସୁଥିଲା ଗୃହକାର୍ଯ୍ୟ । ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ରାଜ୍ୟସ୍ତରୀୟ ପ୍ରସଙ୍ଗ କରି ବିଜେଡିକୁ ବ୍ୟାକଫୁଟକୁ ଠେଲି ଦେଇଥିଲା ବିରୋଧୀ ବିଜେପି । ଆଉ ଏହାକୁ ଆହୁରି ବଳ ଯୋଗାଇଥିଲା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ପ୍ରସଙ୍ଗ । ଗୃହରେ ହଟ୍ଟଗୋଳ ଓ ବାହାରେ ବାକ୍ୟବାଣ ମାଧ୍ୟମରେ ଶାସକ ବିଜେଡି ଶିବିରକୁ ହଲାପଟା କରୁଥିଲେ ବିରୋଧୀ । ଆଉ ଏସବୁ ଭିତରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷର ନିଆଁ ଲାଗିବା ଆରମ୍ଭ ହୋଇଥିଲା । ବ୍ୟାପିନି ପ୍ରତିନିଧିଙ୍କୁ ମିଳିଥିବା ସୂଚନା ମୁତାବକ, ଏହି ପ୍ରସଙ୍ଗକୁ ଆୟୁଧ କରି ଏକ ବଡ ଆନ୍ଦୋଳନ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା । ଯାହା ବିଜେଡି ସରକାରକୁ ଅଡୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଥିଲା ।
![](http://thebyapini.in/wp-content/uploads/2021/03/1db32ef4-7726-4fcc-a09f-d0806ec8595e.jpg)
ତେବେ ଏହି ନିଆଁ ବିସ୍ଫୋରଣର ରୂପ ନେବା ପୂର୍ବରୁ ସର୍ବଦଳୀୟ ବୈଠକ ଡାକି ସମାଧାନ ପାଇଁ ବାଚସ୍ପତି ବାରମ୍ବାର ପ୍ରୟାସ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ । ଗୋଟିଏ ପଟେ ବିଜେଡି ବିଧାୟକ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ବିଜେପି ବିଧାୟକ ଆରମ୍ଭ କରିଥିଲେ ନବୀନ ନିବାସକୁ ଯାତ୍ରା । ଆଉ ଏହି ଠାରୁ ଆରମ୍ଭ ହୋଇଥିଲା ହାଇଡ୍ରାମା । ବିଜେପି ବିଧାୟକ ଦଳକୁ ନବୀନ ନିବାସକୁ କର୍ଡନ କରି ନେଇଥିଲେ ବିଜେଡି ବିଧାୟକ । ଆଉ କିଛି ନେତା ସ୍ୱାଗତ ପାଇଁ ନବୀନ ନିବାସ ଆଗରେ ଶଙ୍ଖ ଫୁଙ୍କି ଫୁଲ ଚନ୍ଦନ ଧରି ଛିଡାହେଲେ । ପାଖାପାଖି ୧.୩୦ ସମୟରେ ବିଜେପି ଦଳର ପଟୁଆର ପହଞ୍ଚିଲା ନବୀନ ନିବାସ ସାମ୍ନାରେ । କିନ୍ତୁ ଫାଟକ ବନ୍ଦ ଥିବା ଦେଖି ଧାରଣାରେ ବସିଥିଲେ ବିଜେପି ବିଧାୟକ । ପରେ ନବୀନ ନିବାସ ଭିତରକୁ ଯିବାକୁ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ହାତଯୋଡି ଅନୁରୋଧ କରିବା ସତ୍ତ୍ୱେ ମଧ୍ୟ ନଛୋଡବନ୍ଧା ଥିଲେ ବିଜେପି ବିଧାୟକ । ଗଣମାଧ୍ୟମରେ ଏହି ଖବରର ଲଗାତାର ଲାଇଭ କଭରେଜ ବିଜେପିକୁ ମାଇଲେଜ ଦେବ କୁହାଗଲା । କାରଣ ଏଭଳି ଘଟଣାକୁ ଦେଖୁଥିଲା ପୂରା ଓଡ଼ିଶା । ଯାହା ଶାସକ ଦଳକୁ ବ୍ୟାକଫୁଟକୁ ଠେଲିଦେବାର ସଂକେତ ଦେଉଥିଲା । କିନ୍ତୁ ଏତିକିବେଳେ ସଙ୍କଟମୋଚକ ସାଜି ଉଭା ହୋଇଥିଲେ ବିଜେଡି ସୁପ୍ରିମୋ ।
ଗୋଟିଏ ପଟେ ବିଜେପି ବିଧାୟକ ଦଳକୁ ବୁଝାଇବାକୁ ମନ୍ତ୍ରୀ ଓ ବିଧାୟକ ବିଫଳ ହୋଇଥିବା ବେଳେ ପରୀକ୍ଷାରେ ସିଲାବସ ବାହାରୁ ପ୍ରଶ୍ନ ଆସିବା ଭଳି ବିଜେପି ଟିମ୍ ସାମ୍ନାକୁ ଆସିଥିଲେ ବିଜେଡି ସୁପ୍ରିମୋ । ନବୀନ ନିବାସରେ ଆଲୋଚନା ପାଇଁ ବିରୋଧୀଙ୍କୁ ନିମନ୍ତ୍ରଣ ଦେଇ ନବୀନ ଯେଉଁ ମାଷ୍ଟରଷ୍ଟ୍ରୋକ ମାରିଥିଲେ ତାହା ବିରୋଧୀଙ୍କ ଋଣନୀତି ଉପରେ ବେଶ ଭାରି ପଡିଥିଲା । କାରଣ ବିରୋଧୀଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ଆସିବା ଖୁବ କ୍ୱଚିତ୍ ଓ କମ ସମୟରେ ଦେଖିବାକୁ ମିଳେ । ଆଉ ସେହି ସମୟକୁ ନିଜ ସପକ୍ଷରେ ନେଇଥିଲେ ନବୀନ । ଆଉ ି କିଛି ମୁହୂର୍ତ୍ତ ମଧ୍ୟରେ ନବୀନ ସମସ୍ତଙ୍କୁ ସରପ୍ରାଇଜ କରିବା ଭଳି ନିଷ୍ପତି ନେଇ ନିଜ ଆଡକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୂରା ଘଟଣାକ୍ରମକୁ ହାଇଜାକ କରି ନେଇଯିବା ଭଳି ପ୍ରତୀୟମାନ ହେଲା । କାରଣ ବିରୋଧୀ ଯେଉଁ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ନବୀନ ନିବାସ ଆସିଥିଲେ ସେହି ବ୍ୟକ୍ତି ଯେତେବେଳେ ଆଲୋଚନା ପାଇଁ ନିଜ ଘର ଭିତରକୁ ଡାକିନେଲେ, ସେହିଠାରେ ହିଁ ବିରୋଧୀଙ୍କ ମୁଦ୍ଦାରେ ପୂଣ୍ଣଚ୍ଛେଦ ପଡିଥିଲା ।
![](http://thebyapini.in/wp-content/uploads/2021/03/760aba80-5044-4654-bfd4-4f6186d879b0.jpg)
ନବୀନଙ୍କ ନୂଆ ଷ୍ଟ୍ରାଟେଜି କିଛି ଏମିତି ରହିଥିଲା ଯାହାର ଆକଳନ କରିପାରିନଥିଲେ ବିଜେପି ବିଧାୟକ । ଆଉ ପଡିଥିଲେ ନବୀନଙ୍କ ଚକ୍ରବ୍ୟୁହରେ । ଯେଉଁ ହାୱା ଗତ ୬ ଦିନ ହେବ ବିଜେପି ସପକ୍ଷରେ ବହୁଥିଲା ତାହାର ଦିଗ କିଛି ମୁହୂର୍ତ୍ତ ମଧ୍ୟରେ ବଦଳାଇ ଦେଇଥିଲେ ଶାସକ ଦଳର ସୁପ୍ରିମୋ । ଚକ୍ରବ୍ୟୁହରେ ଫଶିବା ଭଳି ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ନବୀନ ନିବାସକୁ ଯାଇ ଆଲୋଚନା କରିଥିଲେ ବିରୋଧୀ ବିଜେପି ବିଧାୟକ । ମଣ୍ଡି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଗୃହରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇ ନବୀନ ରାଜ୍ୟବାସୀଙ୍କ ଆଗରେ ପାଲଟିଯାଇଥିଲେ ହିରୋ । ବିରୋଧୀଙ୍କ କଥା ବି ସରକାର ଶୁଣନ୍ତି, ଚାଷୀଙ୍କ ସହ ସରକାର ଅଛନ୍ତି, ଆଲୋଚନା ସହ ଏଭଳି କିଛି ସଂକେତ ଦେଇଥିଲେ ନବୀନ । ଆଉ ଏହାପରେ ନବୀନ ସରକାରକୁ ଟାର୍ଗେଟ କରିବାକୁ ବିରୋଧୀଙ୍କ ପାଖରେ ଆଉ କୌଣସି ପ୍ରସଙ୍ଗ ହିଁ ନଥିଲା । ଆଉ ଦୀର୍ଘ ୬ ଦିନ ହେବ ଯେଉଁ ପଲଟିକାଲ ଡ୍ରାମା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲା ନବୀନଙ୍କ ନିଷ୍ପତ୍ତି । ଏହାଛଡା ଗୃହକୁ ସ୍ୱାଭାବିକ କରିବାକୁ ନବୀନ ଯେଉଁ ପଲିଟିକାଲ ଷ୍ଟଣ୍ଟ ଦେଖାଇଲେ ତାହାକୁ ଏବେ ଚାରିଆଡୁ ପ୍ରଂଶସା କରାଯାଉଛି । ଏପରିକି ଚର୍ଚ୍ଚା ହେଉଛି ୬ ଦିନ ହେବ ବିଜେପି ଆଟାକିଙ୍ଗ ଖେଳୁଥିବା ବେଳେ ବାସ୍ କିଛି ମିନିଟ୍ ମଧ୍ୟରେ ଗୋଟିଏ ବଡ ସଟ୍ ଖେଳି ସବୁ ମାଇଲେଜକୁ ନିଜ ସପକ୍ଷକୁ ନେଇଗଲେ ନବୀନ ।