କାମ କର, ନହେଲେ ପଦ ଛାଡ !
ଶୀର୍ଷକକୁ ପଢି ଆପଣ ଭାବୁଥିବେ କିଏ କାହାକୁ ଏକଥା କହିଲା । ରାମମନ୍ଦିର ପାଖ ପାର୍ଟି ଅଫିସରେ ରବିବାର ସନ୍ଧ୍ୟାରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ।କୈାତୁହଳ ଦୃଷ୍ଟିରୁ ସେଠାରେ କିଛି ସମୟ କାଟିବା ପରେ ଜାଣିବାକୁ ପାଇଲୁ, ରାଜ୍ୟ ବିଜେପିର କିଛି ନେତାଙ୍କୁ ଏମିତି ଚରମବାଣୀ ପଡିଛି । ନୁଆ ପ୍ରଭାରୀ ଦାୟିତ୍ୱ ପାଇଥିବା ଡି. ପୁରନ୍ଦେଶ୍ୱରୀଙ୍କ ମୁହଁରୁ ଏମିତି ଶୁଣି କିଛି ନେତା ଛାନିଆ ହୋଇଯାଇଛନ୍ତି । ସକାଳୁ ସନ୍ଧ୍ୟା ଯାଏଁ ପାର୍ଟି ଅଫୀସରେ ବସି ଖଟି କରୁଥିବା ଆଉ ସେମାନଙ୍କର ଦାୟିତ୍ୱକୁ ସଠିକ ଭାବେ ତୁଲାଉନଥିବା କିଛି ନେତାଙ୍କ ଟ୍ୟୁସନ ଜୋରଦାର ହୋଇଥିବା ସନେଇ ପାର୍ଟି ଅଫିସର ଜଣେ କର୍ମଚାରୀ ଆମ ସାମ୍ନାରେ ବଖାଣିଥିଲେ । ଶନିବାର ଆଉ ରବିବାର ଦୁଇ ଦିନ ଧରି ଦଳୀୟ ସଂଗଠନ ବାବଦରେ ସମୀକ୍ଷା କରିଥିଲେ ପ୍ରଭାରୀ । ଆଉ ଯେଉଁ ଚିତ୍ର ସାମ୍ନାକୁ ଆସିଥିଲା, ତାହା କିଛି ନେତାଙ୍କ ରାତିର ନିଦ ହଜାଇ ଦେଇଥିବ ।
ସମୀକ୍ଷା ଆରମ୍ଭ ହେବାର କିଛି ମିନିଟ ପରେ ପୁରନ୍ଦେଶ୍ୱରୀ କୁଆଡେ କିଛି ନେତାଙ୍କର ଟେଷ୍ଟ ନେଇଥିଲେ । ପଚାରିଥିଲେ ଓଡିଶାର ଜନସଂଖ୍ୟା କେତେ । ଆଉ ସାମ୍ନାରୁ ଜଣେ ମୁଖପାତ୍ର କହିଥିଲେ ଆଜ୍ଞା ସାଢେ ୪ କୋଟି । ବାସ୍, ଏଇ ପଦିଏ କଥା ହିଁ ଶୁଣିବାକୁ ବୋଧେ ପ୍ରଭାରୀ ଅପେକ୍ଷା କରିଥିଲେ । ଉତ୍ତର ଶୁଣୁଶୁଣୁ କହିଥିଲେ, ତାହେଲେ ତମେ କଣ ଭାବୁଛ ରାଜ୍ୟରେ ନେତାଙ୍କର ଅଭାବ ରହିଛି । ଏତେ ବଡ ଜନସଂଖ୍ୟାରୁ ଯଦି ତମକୁ ଦଳ ଦାୟିତ୍ୱ ଦେଇଛି ତେବେ କାମ ଠିକ ଭାବେ କର । ନହେଲେ ପଦ ଛାଡିଦିଅ । ଅନେକ ନେତା ଅଛନ୍ତି ଯେଉଁମାନେ ଦାୟିତ୍ୱକୁ ସଠିକ ଭାବେ ତୁଲାଇବେ । ପ୍ରଭାରୀଙ୍କ ଏଭଳି ରାଗ ତମ ତମ ଆଭିମୁଖ୍ୟ ଦେଖି ନେତାଙ୍କ ହୋସ୍ ଉଡି ଯାଇଥିଲା । ପ୍ରଭାରୀ ଦାୟିତ୍ୱ ନେଉ ନେଉ ଦଳକୁ ସଜାଡିବାକୁ ଏବଂ ଅଳିଆ ସଫା କରିବାକୁ ପୁରନ୍ଦେଶ୍ୱରୀ ଏକ ବଡ ଉଦ୍ୟମ କରୁଥିବା ଦଳ ଭିତରେ ଚର୍ଚ୍ଚା ଚାଲିଛି ।

ସେହିଭଳି ବୈଠକ ଚାଲିଥିବା ସମୟରେ ହଠାତ୍ ଜଣେ ଜିଲ୍ଲା ସଭାପତିଙ୍କ ଫୋନ୍ ବାଜିଥିଲା । ଆଉ ଏହା ପ୍ରଭାରୀଙ୍କୁ ଖୁବ ବିରକ୍ତ କରିଥିଲା । ଅତ୍ୟନ୍ତ ରାଗିଯାଇ ପ୍ରଭାରୀ କହିଥିଲେ, ବୈଠକ ଆରମ୍ଭରୁ କୁହାଯାଇଥିଲା ଫୋନ ସାଇଲେଂଟ ମୋଡରେ ରଖିବା ପାଇଁ, ହେଲେ କାହିଁକି ଫୋନ୍ ରିଙ୍ଗ ହେଲା । ଯାହାକୁ ନେଇ ପ୍ରଭାରୀ ବିରକ୍ତ ହୋଇଥିଲେ । ଜିଲ୍ଲା ସଭାପତି ଉତ୍ତର ଦେଇ କହିଥିଲେ, ଅତି ଗୁରୁତ୍ୱପୁର୍ଣ୍ଣ ଫୋନ୍ ଆସିବାକୁ ଥିବାରୁ ସେ ଫୋନ୍ ରିଙ୍ଗିଙ୍ଗ ମୋଡରେ ରଖିଥିଲେ । ହେଲେ ଏହି ଉତ୍ତରକୁ ହଜମ କରିପାରିନଥିଲେ ପ୍ରଭାରୀ । ବିରକ୍ତି ଭାବ ପ୍ରକାଶ କରି କହିଥିଲେ, ଦଳୀୟ ସଂଗଠନ କାର୍ଯ୍ୟଠାରୁ ଯଦି ଆହୁରି କିଛି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ ଅଛି ତେବେ ସେ ଏଠାରୁ ବାହାରକୁ ବାହାରି ଯାଇପାରନ୍ତି । କେହି କିଛି ବୁଝି ପାରୁନାହାନ୍ତି କାହିଁକି ପ୍ରଭାରୀ ସମୀକ୍ଷା ବେଳେ ହଠାତ୍ ଉଗ୍ରରୁପ ଧାରଣ କଲେ । କୁହଯାଉଛି, ରାଜ୍ୟ ବିଜେପିର ପଦାଧିକାରୀଙ୍କ ଉପରେ ବିଲକୁଲ ବି ଖୁସି ନାହାନ୍ତି ପୁରନ୍ଦେଶ୍ୱରୀ । ତେଣୁ ନିର୍ବାଚନର ଢେର ଆଗରୁ ସେମାନଙ୍କୁ ସତର୍କ କରିଦେଇ ଆଗକୁ ବଢିବାକୁ ପ୍ରଭାରୀ ଚେଷ୍ଟା କରୁଥାଇ ପାରନ୍ତି । ହେଲେ ସମସ୍ତଙ୍କ ସାମ୍ନାରେ କିଛି ନେତାଙ୍କ ଅପଦସ୍ତ କରିବା ପଛର କାରଣ କଣ, ତାକୁ ନେଇ ପାର୍ଟି ଅଫିସରେ ଜୋରଦାର ଚର୍ଚ୍ଚା ଚାଲିଛି ।