ମନ୍ତ୍ରୀଙ୍କୁ ମହଙ୍ଗା ହେବ ମାହାଙ୍ଗା !
ରାଜଧାନୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ ଝଡ଼ । ଆଇନ ମନ୍ତ୍ରୀଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ମାହାଙ୍ଗା ଡବଲ ମର୍ଡର କେସ ଏବେ ଭୁବନେଶ୍ୱରରେ ହାଜର । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ସଦଭାବନା ଯାତ୍ରା ସହିତ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛି । ଅନ୍ୟପକ୍ଷେ ଏହି ମାମଲାକୁ ନେଇ ଆଜି ବିଧାନସଭା ବି ପଡ଼ିଛି ଉଠିଛି। ବିରୋଧୀ ଦଳ ନେତା କହିଲେ, ମନ୍ତ୍ରୀଙ୍କ ନାଁରେ ଏତଲା ଥିଲେ ସୁଦ୍ଧା ସଂପୃକ୍ତ ମନ୍ତ୍ରୀଙ୍କୁ ଗିରଫ କରୁନାହାନ୍ତି ସରକାର ।
ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟାକାଣ୍ଡରେ ଆଇମନ୍ତ୍ରୀଙ୍କ ସଂପୃକ୍ତି ଥିବା ସିଧା ଅଭିଯୋଗ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି । ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଏକାଠି ହୋଇ ରାଜ୍ୟ ବିଜେପି କାର୍ୟ୍ୟାଳୟରୁ ବିଧାନସଭା ଅଭିମୁଖେ ପଦଯାତ୍ରାରେ ଯାଇଥିବାବେଳେ ଶତାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୋଲିସ। ମାର୍ଚ୍ଚ ୧୭ ତାରିଖରୁ ଶୋଭାଯାତ୍ରା ମାହାଙ୍ଗାରୁ ବାହାରିଥିଲା ସଦଭାବନା ଶୋଭାଯାତ୍ରା । ଲୋୟର ପିଏମ୍ଜିରେ ଏକ ସମାବେଶ କରାଯାଇଥିଲା । ବିଧାନସଭା ଆଡ଼କୁ ଯିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା ।
ଅନ୍ୟପକ୍ଷେ ଏହି ମାମଲାକୁ ନେଇ ଆଜି ବିଧାନସଭା ବି ପଡ଼ିଛି ଉଠିଛି। ଶୂନ୍ୟକାଳରେ ରାଜ୍ୟର ବିପଯର୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରସଙ୍ଗ ଉଠାଇ କହିଥିଲେ, ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ଏବଂ ବିରୋଧୀଙ୍କ ଆଉ ଗୋଟିଏ ? ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ହୋଇଥିଲେ ସୁଦ୍ଧା ସରକାର ତାଙ୍କୁ କାହିଁକି ଗିରଫ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ରାବଣ ଓ କଂସ ଭଳି ଶାସନର ବି ଅବସାନ ହୋଇଥିଲା । ତେଣୁ ଏ ସରକାର ଭୁଲିବା କଥା ନୁହେଁ ବୋଲି ବିରୋଧୀ ଦଳ ନେତା ଅତି କଡା ଭାଷାରେ କହିଛନ୍ତି । ମନ୍ତ୍ରୀଙ୍କ ନାଁ ଏତଲାରେ ୧୩ ନମ୍ବର ଅଭିଯୁକ୍ତ ଭାବେ ରହିଥିଲେ ସୁଦ୍ଧା ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ।
ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ କାଉଣ୍ଟର କରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ପବିତ୍ର ଗୃହରେ ଅପବିତ୍ର ଲୋକଙ୍କ କଥା ଉଠାନଯାଉ । ୨୨ ଥର ଜେଲ ଯାଇଥିବା ଶାରଦା ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପାଲଟା ଅଭିଯୋଗ କରିବା ସହ ତାଙ୍କ ଗିରଫ ଦାବି କରିଛନ୍ତି ଶାସକ ଦଳ ବିଧାୟକ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ମାହାଙ୍ଗା ମର୍ଡର ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।