ଆଉ ଏକ ସ୍ୱପ୍ନ ବିକିଲା ବିଜେପି?
୨୦୧୯ରେ ମିଶନ ୧୨୦ ନାରା ଦେଇ ବିଜେପି ନେତା ସାରା ରାଜ୍ୟରେ ଏମିତି ପ୍ରଚାର କଲେ ଯେ ଦଳ ମାତ୍ର ୨୩ ଆସନରେ ଜିତିବାକୁ ସକ୍ଷମ ହେଲା । ହେଲେ ଦଳୀୟ ନେତା ପ୍ରଚାର କଲେ ଯେ ଦଳର ଭୋଟ ପ୍ରତିଶତ ଆଉ ସିଟ ସଂଖ୍ୟା ଉଭୟ ବଢିଲା । ୨୦୧୯ରେ ସ୍ୱପ୍ନ ଭାଙ୍ଗିବା ପରେ ୨୦୨୪ ପାଇଁ ପୁଣି ଥରେ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖି ନୁଆ ନାରା ଆଉ ନୁଆ ସଂଖ୍ୟା କହିବା ଆରମ୍ଭ କଲେଣି ଦଳର କେନ୍ଦ୍ରୀୟ ନେତା । ଦଳର ଚାଣକ୍ୟ ଅମିତ ଶାହାଙ୍କ ୧୨୦ ସଂଖ୍ୟା ଗଣିତ ଭୁଲ ହୋଇଯାଇଥିବା ବେଳେ ରାଜ୍ୟର ସହ ପ୍ରଭାରୀ ଆସି କହିଲେଣି ୫୧ ପ୍ରତିଶତ ଭୋଟ ସହ ଦଳ କ୍ଷମତାକୁ ଆସିବ । ପ୍ରଶ୍ନ ଉଠୁଛି, ଏଭଳି ବୟାନ ଦେବା ପଛରେ କିଛି ବାସ୍ତବତା ରହିଛି ନା କେବଳ ଦଳର କ୍ୟାଡର ଆଉ କର୍ମୀଙ୍କ ମନରେ ଏକ ଜୋଶ ଭରିବାକୁ ଏହା ଉଦ୍ୟମ? ରାଜ୍ୟ ବିଜେପି ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂ ତୋମାର ଦେଖାଇଥିବା ଦୃଢୋକ୍ତି ଏମିତି ଅନେକ ପ୍ରଶ୍ନ ତିଆରି କରିଛି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୋମାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସବକା ସାଥ ସବକା ବିକାଶ ନୀତି ଦ୍ୱାରା ବିଜେପି ସାରା ଦେଶରେ ବିଶ୍ୱାସ ଭାଜନ ହୋଇପାରିଛି । ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢିଛି । ରାଜ୍ୟରେ ତୃମମୂଳ ସ୍ତରରେ ବିଜେପି ସଙ୍ଗଠନକୁ ସୁଦୃଢ କରିବା କାର୍ୟ୍ୟରେ ଲାଗିଛି । ଆଗାମୀ ଦିନରେ ଦଳ ସଂଗଠନକୁ ଆହୁରି ମଜଭୁତ କରି କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି । ଆପଣଙ୍କର ମନେ ଥିବ ୨୦୧୯ ପୁର୍ବରୁ ଅମିତ ଶାହା ଆଉ ଅନ୍ୟ କେନ୍ଦ୍ରୀୟ ନେତା ରଖିଥିବା ସମସ୍ତ ବୟାନ । ଏପତିକି ଅମିତ ଶାହା ଓଡିଶାରୁ ସଭ୍ୟ ମଧ୍ୟ ହୋଇଥିଲେ । ଲାଗୁଥିଲା ବିଜେଡିକୁ ଉପାଡି ଫିଙ୍ଗିବାକୁ ଶାହା ଯେମିତ ଶପଥ ନେଇଛନ୍ତି । ହେଲେ କଥା ଯେତେବେଳେ ନିର୍ବାଚନ ମଇଦାନକୁ ଆସିଲା, ସେତେବେଳେ ବିଜେପିର ସମସ୍ତ ଆଶା ପାଣିରେ ବୋହିଗଲା । ଦଳ ଯଦିଓ ପ୍ରଥମ ଥର ପାଇଁ ପ୍ରମୁଖ ବିରୋଧୀ ଦଳ ହେଲା, ତଥାପି ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଢେର ଦୁରରେ ଦଳ ରହିଗଲା । ସ୍ଥିତି ଏମିତିହେଲା ଯେ ଦଳୀୟ ନେତା କଣ ବୟାନ ଦେବେ ତାକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଲା । ଆଉ ଏବେ ୫୧ ପ୍ରତିଶତ ଭୋଟ କଥା କେନ୍ଦ୍ରୀୟ ନେତା କହିଲେଣି ।
ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯିବା ପ୍ରସଙ୍ଗରେ ଶ୍ରୀ ତୋମାର କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ବିରୋଧୀଙ୍କୁ ଭୟଭୀତ କରାଇବା ପାଇଁ ପଶ୍ଚିମବଙ୍ଗ ପରି ଓଡିଶାରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି । ଆମେ ହିଂସା ଏବଂ ହତ୍ୟାରେ ଭୟଭୀତ ହେବୁ ନାହିଁ ।
ବଡ କଥା ହେଉଛି ରାଜ୍ୟକୁ ଆସି ନୁଆ ଚାଷୀ ଆଇନ କଥା କହିବାକୁ ନେତା ଭୁଲିନାହାନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କୃଷକର ଆୟକୁ ଦ୍ୱିଗୁଣିତ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏବେ ନୂତନ କୃଷି ଆଇନ ଆଣି ମୋଦି ସରକାର ଚାଷୀଙ୍କୁ ସଶକ୍ତ କରିବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବା ଦିଗରେ କାର୍ୟ୍ୟ କରିଛନ୍ତି । ଦେଶର ୯୫ ପ୍ରତିଶତ ଚାଷୀ ନୂତନ କୃଷି ଆଇନକୁ ସମର୍ଥନ କରୁଛନ୍ତି । ବିଗତ ୧୫ ବର୍ଷରେ କଂଗ୍ରେସର ୧୦ ମୁଖ୍ୟମନ୍ତ୍ରୀ ଏବଂ ୧୨ଟି ଏକ୍ସପର୍ଟ କମିଟି କୃଷି ବିଲ୍ ରେ ସୁଧାର ଆଣିବା ଲାଗି ସୁପାରିଶ କରିଥିଲେ । କିନ୍ତୁ ବିଭିନ୍ନ ନିର୍ବାଚନରେ କଂଗ୍ରେସ ପରାଜୟ ହେବା କାରଣରୁ ହତୋତ୍ସାହିତ ହୋଇ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଅପମାନିତ କରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛି । ୬୦ ବର୍ଷ ଧରି କଂଗ୍ରେସ ସରକାର ୫୪ ପ୍ରତିଶତ ଜମିରେ ସିଂଚାଇ ବ୍ୟବସ୍ଥା କରିପାରିନାହିଁ । ଶୀତଳ ଭଣ୍ଡାର ନଥିବାରୁ ଦେଶର ୨୫ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହେଉଛି । ସାରା ଦେଶର ଜନତା ବିରୋଧୀଙ୍କ ଷଡଯନ୍ତ୍ରକୁ ବୁଝିସାରିଛନ୍ତି ।