‘ଗୋ ବ୍ୟାକ୍’ ଅପରାଜିତା!
ସାମନାକୁ ଆସିଛି ବିଜେପି ମଧ୍ୟରେ ଥିବା ଦଳୀୟ କନ୍ଦଳ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରାରେ ବିଜେପି ଦି ଫାଳ । ଭୁବନେଶ୍ୱର ଅନ୍ତର୍ଗତ ଭରତପୁର ଅଂଚଳରେ ଅପରାଜିତାଙ୍କ ପଦଯାତ୍ରା ବେଳେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ଅପରାଜିତାଙ୍କ ନେତୃତ୍ୱରେ ପଦଯାତ୍ରା ହେଉଥିବା ବେଳେ ଦଳର କିଛି କର୍ମୀ ହିଁ ତାଙ୍କୁ ବିରୋଧ କରିଛନ୍ତି । ଭରତପୁର ମଣ୍ଡଳ ବିଜେପି ପକ୍ଷରୁ ଅପରାଜିତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା ।
ଭରତପୁର ଅପରାଜିତାଙ୍କ ପଦଯାତ୍ରା ବେଳେ ବିଜେପିର କିଛି ଦଳୀୟ କର୍ମୀ ତାଙ୍କ ବିରୋଧ କରିବା ସହ ତାଙ୍କୁ ଗୋ ବ୍ୟାକ୍ ସ୍ଲୋଗାନ୍ ବି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ସପକ୍ଷବାଦୀ ଓ ବିପକ୍ଷବାଦୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଅପରାଜିତା ଷଡଙ୍ଗା ସାଂସଦ ଭାବେ ନିର୍ବାଚିତ ହେବା ପରଠୁ ପ୍ରାୟ ଦେଢ ବର୍ଷ ମଧ୍ୟେ ଥରେ ହେବ ଭରତପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିନଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ବର୍ତମାନ ପୌର ନିର୍ବାଚନ ପାଖେଇ ଆସିବାରୁ ଅପରାଜିତା ଭରତପୁରରେ ପଦଯାତ୍ରା କରିଥିବା ଅଭିଯାଗ କରିଛନ୍ତି ବିଜେପି କର୍ମୀ ।
କେବଳ ଯେ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କୁ ବିଜେପି କର୍ମୀ ବିରୋଧ କରିଛନ୍ତି, ତା’ନୁହେଁ ବରଂ ଏଥିସହ ଭରତପୁର ମଣ୍ଡଳ ବିଜେପି ପକ୍ଷରୁ ଅପରାଜିତା ଗୋ ବ୍ୟାକ୍ ନାରା ସହ ପୋଷ୍ଟର ମଧ୍ୟ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁସାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ନୂଆପଲ୍ଲୀ ମଣ୍ଡଳ ସଭାପତି ଜଗନ୍ନାଥ ବେହେରା ନିଜ ସମର୍ଥକଙ୍କ ସହ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ସମୟରେ ଉମେଶ ଖଣ୍ଡେଲୱାଲ ଓ ଜଗନ୍ନାଥ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଥିବାରୁ ଉଭୟ ପରୋକ୍ଷରେ ପରସ୍ପରକୁ ବିରୋଧ କରିଥିଲେ ।