ପରାଜୟ ଭୟରେ ପ୍ରଚାର ମୈଦାନ ଛାଡୁନି କି ପଦ୍ମ ଶିବିର?
କରୋନା ସଂକ୍ରମଣ ସାଂଘାତିକ ରୂପ ଧାରଣ କରିଥିବା ବେଳେ ଲୋକଙ୍କ ମନରେ ପୁଣିଥରେ ଭୂତାଣୁ ଭୟ ବଢିବାରେ ଲାଗିଛି । ପରସ୍ପର ଠାରୁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ହିଁ ଏକମାତ୍ର ସୁରକ୍ଷାକବଚ ବୋଲି ଲୋକଙ୍କୁ ସତର୍କ କରାଯାଉଛି । ଖାସକରି ଲୋକେ ଯେପରି ଗୋଟିଏ ସ୍ଥାନରେ ଏକାଠି ହେବେନି କିମ୍ବା ଭିଡ କରିବେନି ସେଥିପାଇଁ ପୁଣିଥରେ ଲକଡାଉନ, ନାଇଟକର୍ଫ୍ୟୁ ଓ ସଟଡାଉନ କମବ୍ୟାକ୍ କରିଛି । କିନ୍ତୁ ନିର୍ବାଚନ ପ୍ରଚାରରେ ଏହାକୁ ଫୁ କରି ଉଡାଉ ଦେଉଛନ୍ତି ରାଜନୈତିକ ଦଳ । କୋଭିଡ ଗାଇଡଲାଇନର ଖୋଲାଖୋଲି ହେଉଛି ଉଲ୍ଲଂଘନ । ଆଉ ତାହା ବି ପୁଣି ଦେଶର ବିଭିନ୍ନ ପ୍ରାନ୍ତରେ । ନିର୍ବାଚନରେ ବିଜୟ ପାଇଁ ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ରାଜନୈତିକ ଦଳ ପଛାଉନଥିବା କୁହାଯାଉଛି । କିନ୍ତୁ ଏଥିରେ ବ୍ୟତିକ୍ରମ ସାଜିଛନ୍ତି ନବୀନ । ଦେଶର ପ୍ରଥମ ରାଜନେତା ଭାବେ ନବୀନ ଯେଉଁ ନିଷ୍ପତି ନେଇଛନ୍ତି ତାହା କେବଳ ଦେଶବାସୀ କିମ୍ବା ଭୋଟରଙ୍କୁ ପ୍ରଭାବିତ କରିନି ବରଂ କରୋନା ସଂକ୍ରମଣ ରୋକିବା ଦିଗରେ ସବୁଠୁ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । କିନ୍ତୁ ବିଜେପି ପ୍ରଚାର ମୈଦାନ ଛାଡି ଯିବାକୁ ନାରାଜ । ପ୍ରଚାରରେ ଲୋକଙ୍କ ସଂଖ୍ୟା କମାଇଦେବାକୁ ଦଳ ନିଷ୍ପତି ନେଇଛି କିନ୍ତୁ ପୂରା ପ୍ରଚାର ଓ ରାଲିକୁ ବାଏ ବାଏ କରିବା ମୁଡରେ ନାହାନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ଆଉ ଏହାପଛରେ ଲୁଚି ରହିଛି ପରାଜୟର ଭୟ ।
ନିର୍ବାଚନ ହେବ ଆଉ ପ୍ରଚାର ହେବନି । ତାହେଲେ ପ୍ରାର୍ଥୀ ଜିତିବ ବା କିପରି? କାରଣ ପ୍ରଚାର ହେଲେ ସିନା ଲୋକେ ପ୍ରାର୍ଥୀକୁ ଚିହ୍ନିବେ ଓ ତା ବାବଦରେ ଜାଣିବାକୁ ଚେଷ୍ଟା କରିବେ ଆଉ ଭୋଟ ଦେବେ । ସେଥିପାଇଁ ତ ରାଜନୈତିକ ଦଳ ପ୍ରଚାର ଉପରେ ଅଧିକ ଫୋକସ କରନ୍ତି । ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଏକାଠି କରି ନିଜର ବଳ ପ୍ରଦର୍ଶନ କରନ୍ତି । କିନ୍ତୁ ଏଭଳି ଟ୍ରେଣ୍ଡରୁ ନବୀନ ନିଜକୁ ଓ ଦଳକୁ ଦୂରେଇ ରଖିଛନ୍ତି । ଖାସକରି ନବୀନ ଏଭଳି ନିଷ୍ପତି ସେତେବେଳେ ନେଇଛନ୍ତି ଯେତେବେଳେ ମହାମାରୀ ଉଗ୍ର ରୂପ ଧାରଣ କରିଛି । ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଉଛି । ଆଉ ସେଥିପାଇଁ ପିପିଲି ଉପ-ନିର୍ବାଚନର ପ୍ରଚାରକୁ ବୟକଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାରଣ ରାଲି ହେବା ଦ୍ୱାରା ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହେବେ ଓ କରୋନା ସଂକ୍ରମଣର ସମ୍ଭାବନା ଆହୁରି ଅଧିକ ବଢିଯିବ । ଅକାରଣରେ ଲୋକଙ୍କ ଜୀବନ ବିପଦରେ ପଡିବ । ତେଣୁ ଏଭଳି ସ୍ଥିତିରେ ବିଜେଡି ପିପିଲି ଉପନିର୍ବାଚନରେ ରାଲି କି ଶୋଭାଯାତ୍ରା କରିବନି ବୋଲି ନବୀନ ନିଷ୍ପତି ନେଇଛନ୍ତି । ଫଳାଫଳ ଯାହା ହେଉ ନା କାହିଁକି ଲୋକଙ୍କ ଜୀବନକୁ ବିପଦରେ ପକାଇବା ମୁଡରେ ନାହିଁନ୍ତି ନବୀନ । ଆଉ ଏହି ନିଷ୍ପତି ହିଁ ସୂଚାଉଛି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି କେତେ ଯତ୍ନବାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କିନ୍ତୁ ଅନ୍ୟପଟେ ନବୀନଙ୍କ ଏଭଳି ନିଷ୍ପତିକୁ ବୋଧହୁଏ ସୁଯୋଗ ଭାବେ ଗ୍ରହଣ କରି ନେଇଛି ବିଜେପି । ପ୍ରଚାର ମୈଦାନକୁ ବାଏ ବାଏ କରିବାକୁ ସାହସ ଜୁଟାଇ ପାରୁନି ପଦ୍ମ ଦଳ । କାରଣ ପ୍ରଚାର ମୈଦାନରେ ବିଜେଡିର ଅନୁପସ୍ଥିତିରେ ଫାଇଦା ନେବାକୁ ବିଜେପି ଅଣ୍ଟା ଭିଡ଼ିଥିବା ଚର୍ଚ୍ଚା ହେଉଛି । ପିପିଲି ଦୀର୍ଘ ଦୁଇ ଦଶନ୍ଧି ହେବ ବିଜେଡିର ଗଡ ରହି ଆସିଛି । ତେଣୁ ଏହି ଗଡ ଭାଙ୍ଗି ନିଜର ପତିଆରା ବଢାଇବାକୁ ଦଳ ଚେଷ୍ଟା କରୁଥିବା କୁହାଯାଉଛି । ତେବେ ପିପିଲି ଆସନର ଫଳାଫଳ ରାଜ୍ୟରେ ସରକାର ଗଠନ କିମ୍ବା ପତନର କାରଣ ସାଜିବନି । ଆଉ ଏହାକୁ ହୃଦୟଙ୍ଗମ କରି ବୋଧହୁଏ ନବୀନ ଏତେ ବଡ ନିଷ୍ୱତି ନେଇଥାଇପାରନ୍ତି । ଯେଉଁଠି ଦଳର ଜିତ୍ ନୁହେଁ ବରଂ ଲୋକଙ୍କର ଜୀବନ ବଡ ବୋଲି ଭାବିବା ସହ ନବୀନ ପ୍ରଚାରକୁ ନା କରିଛନ୍ତି । କିନ୍ତୁ ପିପିଲି ଉପ-ନିର୍ବାଚନକୁ ନେଇ ବିଜେପିର ଆଭିମୁଖ୍ୟ ବୋଧହୁଏ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଯେଉଁଠି ବିଜେପି ପାଇଁ ବିଜୟ ବଡ, ଲୋକଙ୍କ ଜୀବନ ନୁହେଁ ବୋଲି ବିରୋଧୀ କହି ଆସୁଛନ୍ତି । ଆଉ ଏଭଳି କହିବା ପଛରେ ମଧ୍ୟ କାରଣ ରହିଛି ।
ପିପିଲି ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିର ସଂଖ୍ୟା ଗଣିତକୁ ଓଲଟପାଲଟ ଯେ କରିଦେବ ସେଭଳି କୌଣସି ଆଶଙ୍କା ନାହିଁ । ତେଣୁ ଯେକୌଣସି ଦଳ ଜିତିବା ଅର୍ଥ ବିଧାନସଭାରେ ଜଣେ ଦଳୀୟ ସଦସ୍ୟଙ୍କ ସଂଖ୍ୟା ବଢିବା । କିନ୍ତୁ ଏହା କଣ ଜନସାଧାରଣଙ୍କ ଜୀବନ ଠାରୁ ଅଧିକ ମୂଲ୍ୟବାନ । ଏ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବା ପଛରେ ନିର୍ବାଚନୀ ରାଜ୍ୟର ପ୍ରଚାର ଓ ରାଲିକୁ ଦାୟୀ କରାଯାଉଛି । ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ ମଧ୍ୟ କାହାକୁ ଯେପରି ପରବାୟ ନାହିଁ । ଯେଉଁଠି ବିଜେଡି ସୁପ୍ରିମୋ ପ୍ରଚାର ପରର ସ୍ଥିତି ବାବଦରେ ଆକଳନ କରି ନିର୍ବାଚନ ପ୍ରଚାରକୁ ନାଁ କରୁଛନ୍ତି ସେଠି ବିଜେପି ଭଳି ଦାୟିତ୍ୱସମ୍ପନ୍ନ ଦଳ ଏଯାଏଁ ପ୍ରଚାର ଓ ରାଲିରୁ ସମ୍ପୂର୍ଣ୍ଣ ରୂପେ ଓହରିବାକୁ ନିଷ୍ପତି ନେଇନି । କାରଣ ପ୍ରଚାର ମୈଦାନରୁ ଓହରିଲେ ପଦ୍ମ ଦଳକୁ ବୋଧହୁଏ ପରାଜୟର ଭୟ ରହିଛି । ଆଉ ତାହା ବି ପୁଣି ଉଭୟ ପଶ୍ଚିମ ବଙ୍ଗ ଓ ପିପିଲି ଉପ-ନିର୍ବାଚନରେ । ପଶ୍ଚିମବଙ୍ଗରେ ବିଜେପିକୁ ମମତା କଡା ଟକ୍କର ଦେଉଥିବା ବେଳେ ପିପିଲି ଉପନିର୍ବାଚନରେ ନବୀନଙ୍କ ଲୋକପ୍ରିୟତା ବିଜେଡି ସପକ୍ଷରେ ବଡ ଭୋଟବ୍ୟାଙ୍କ ତିଆରି କରିବ । ତେଣୁ ପିପିଲି ଓ ପଶ୍ଚିମବଙ୍ଗ ନିର୍ବାଚନକୁ ହାଲୁକାରେ ନେବାକୁ ଚାହୁଁନି ବିଜେପି । ଯେଉଁଥିପାଇଁ କମ ସଂଖ୍ୟକ (୫୦୦) ଭିତରେ ଲୋକଙ୍କୁ ନେଇ ପ୍ରଚାର କରିବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ଗୋଟିଏ ପଟେ ମୋଦିଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ଦଳ ନିର୍ବାଚନ ଲଢୁଥିବା ନେଇ ଦମ୍ଭୋକ୍ତି ଦେଖାଉଥିବା ବେଳେ ପ୍ରଚାର ମୈଦାନରୁ ଆଉଟ ନ ହେବା କେଉଁଠି ନା କେଉଁଠି ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ଯେ ଦଳକୁ ବିଜୟ ଭେଟି ଦେବ ବୋଲି ବିଜେପି ସପକ୍ଷରେ ଯେଉଁ ହାୱା ସୃଷ୍ଟି କରାଯାଉଥିଲା ତାହାକୁ ନେଇ ସଂଶୟ ଦେଖାଦେଇଛି । ସେଥିପାଇଁ ନିର୍ବାଚନ ପ୍ରଚାରକୁ ନାଁ କରିପାରୁନି ପଦ୍ମ ଶିବିର ।