ବ୍ଲାକ ଫଙ୍ଗସ…କେତେ ମାରାତ୍ମକ?
ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ପରେ ଏବେ ଓଡିଶାରେ ମାରାତ୍ମକ ବ୍ଲାକ ଫଙ୍ଗସ ରୋଗ କୋରାନା ରୋଗୀଙ୍କ ଠାରେ ଚିହ୍ନଟ ହୋଇଛି । ଯାହାକୁ ମୁକୋରମିକୋସିସ୍ ବୋଲି କୁହାଯାଏ । କରୋନା ଆକ୍ରାନ୍ତ ପରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବା ଲୋକଙ୍କ ଠାରେ ଦେଖାଦେଉଛି ବ୍ଲାକ ଫଙ୍ଗସ । ବିଶେଷକରି ଡାଇବେଟିସ,କ୍ୟାନସର, କିଡନୀ ଓ ହାର୍ଟ ସମସ୍ୟା ଥିବା କରୋନା ରୋଗୀ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି ।
କରୋନା ରୋଗୀଙ୍କଠାରେ ଏବେ ଦେଖାଦେଉଥିବା ଏହି ନୂଆ ଲକ୍ଷଣ ବ୍ଲାକ ଫଙ୍ଗସକୁ ନେଇ ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ, ଏହା ଏକ ପ୍ରକାର ଚର୍ମ ସଂକ୍ରମଣ । କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କ ଶରୀରରେ କଳା ରଙ୍ଗର ଯାଦୁ ଭଳି ଦାଗ ବା ବ୍ଲାକ୍ ଫଙ୍ଗସ ଦେଖାଯାଉଛି ଏହା ବ୍ୟତିତ କେତେକ ଆକ୍ରାନ୍ତ ସୁସ୍ଥ ହେବା ପରେ ଦୃଷ୍ଟିଶକ୍ତି ହରାଉଥିବା ମଧ୍ୟ ସୂଚନା ମିଳିଛି ।
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ମାତ୍ରାଧିକ ଷ୍ଟେରଏଡ ବ୍ୟବହାର ବ୍ଲାକ ଫଙ୍ଗସ ସଂକମଣ ଆଶଙ୍କାକୁ ବଢାଉଛି । ବ୍ଲାକ ଫଙ୍ଗସ ରୋଗୀର ନାକ, ଆଖିକୁ ନଷ୍ଟ କରିଦେଉଛି । ଏହି ରୋଗରେ ମୃତ୍ୟୁହାର ହାରାହାରି ୫୦ ପ୍ରତିଶତ ରହିଛି । ତେବେ ପ୍ରାରମ୍ଭିକ ଚିହ୍ନଟ ଦ୍ୱାରା ଏହି ରୋଗର ଉପଚାର ସମ୍ଭବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ବ୍ଲାକ ଫଙ୍ଗସ ହେଉଛି ଏକ ପ୍ରକାର ଚର୍ମ ସଂକ୍ରମଣ । ପୋଡିଯିବା, କଟିଯିବା, ଭଳି କୌଣସି କ୍ଷତ ପରେ ଚର୍ମ ଉପରେ ଏଭଳି ସଂକ୍ରମଣ ହୋଇ କଳା ପଡିଯାଏ । ବାୟୁ ଦ୍ୱାରା ଏହା ସଂକ୍ରମିତ ହୋଇଥାଏ । ଗଳା ଏବଂ ଫୁସଫୁସ ସଂକ୍ରମଣ କାରଣରୁ ମଧ୍ୟ ଏହା ହୋଇଥାଏ । ଏହାଦ୍ୱାରା ମୁଣ୍ଡ ବିନ୍ଧିବା ସହ ଆଖି ଲାଲ ପଡିଥାଏ । କରୋନାରୁ ସୁସ୍ଥ ହେବାର ଦୁଇ ବା ତିନି ଦିନ ପରେ ଏହା ଆରମ୍ଭ ହୋଇଥାଏ । କ୍ରମେ ଏହା ମସ୍ତିଷ୍କକୁ ସଂକ୍ରମିତ କରିଥାଏ । ମଧୁମେହ ରୋଗୀ ଓ ଦୃଷ୍ଟିହୀନଙ୍କୁ ଏହା ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ । ଦିଲ୍ଲୀରେ ମଧ୍ୟ ଏଭଳି ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଛି ।