ରାଜଧାନୀରେ ବ୍ଲାକ ଫଙ୍ଗସ ରୋଗୀ
କରୋନା ପରେ ଏବେ ମାରାତ୍ମକ ବ୍ଲାକ ଫଙ୍ଗସକୁ ନେଇ ବଢିଲା ଭୟ । ଓଡିଶାରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଜଣେ ରୋଗୀଙ୍କ ଦେହରେ ବ୍ଲାକ ଫଙ୍ଗସ ଲକ୍ଷଣ ଦେଖିବାକୁ ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱରେ ଚିହ୍ନଟ ହେଲେ ବ୍ଲାକ ଫଙ୍ଗସ ରୋଗୀ । ଏକ ଘରୋଇ ହସ୍ପିଟାଲରେ ରୋଗୀ ଜଣକ ଚିକିତ୍ସିତ ହେଉଛନ୍ତି । ତାଙ୍କ ବୟସ ୭୧ ବର୍ଷ ହେବ । ତାଙ୍କଠାରେ ବ୍ଲାକ ଫଙ୍ଗସ ରୋଗର ସମସ୍ତ ଲକ୍ଷଣ ରହିଛି । ଚିହ୍ନଟ ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।ଗତ ୨୦ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ରୋଗୀ । ପଜିଟିଭ ଚିହଟ ହେବା ପରେ ଘରୋଇ ସଂଗରୋଧରେ ଥିଲେ । ଆଠ ତାରିଖରେ ତାଙ୍କ ଆଖି ଫୁଲିବା ସହ ନାକରୁ କଳା ପାଣି ବାହାରିଥିଲା । ସଂପୃକ୍ତ ରୋଗୀ ଅନିୟନ୍ତ୍ରିତ ମଧମେହ ରୋଗରେ ପୀଡିତ ।
ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ପରେ ଏବେ ଓଡିଶାରେ ମାରାତ୍ମକ ବ୍ଲାକ ଫଙ୍ଗସ ରୋଗ କୋରାନା ରୋଗୀଙ୍କ ଠାରେ ଚିହ୍ନଟ ହୋଇଛି । ଯାହାକୁ ମୁକୋରମିକୋସିସ୍ ବୋଲି କୁହାଯାଏ । କରୋନା ଆକ୍ରାନ୍ତ ପରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବା ଲୋକଙ୍କ ଠାରେ ଦେଖାଦେଉଛି ବ୍ଲାକ ଫଙ୍ଗସ । ବିଶେଷକରି ଡାଇବେଟିସ,କ୍ୟାନସର, କିଡନୀ ଓ ହାର୍ଟ ସମସ୍ୟା ଥିବା କରୋନା ରୋଗୀ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି ।ବ୍ଲାକ ଫଙ୍ଗସ ହେଉଛି ଏକ ପ୍ରକାର ଚର୍ମ ସଂକ୍ରମଣ । ପୋଡିଯିବା, କଟିଯିବା, ଭଳି କୌଣସି କ୍ଷତ ପରେ ଚର୍ମ ଉପରେ ଏଭଳି ସଂକ୍ରମଣ ହୋଇ କଳା ପଡିଯାଏ । ବାୟୁ ଦ୍ୱାରା ଏହା ସଂକ୍ରମିତ ହୋଇଥାଏ । ଗଳା ଏବଂ ଫୁସଫୁସ ସଂକ୍ରମଣ କାରଣରୁ ମଧ୍ୟ ଏହା ହୋଇଥାଏ । ଏହାଦ୍ୱାରା ମୁଣ୍ଡ ବିନ୍ଧିବା ସହ ଆଖି ଲାଲ ପଡିଥାଏ ।