‘ଓଟିଭି’ରେ ହୋଇପାରେ ବ୍ୟାପକ ପରିବର୍ତ୍ତନ !
ରାଜ୍ୟର ୧ ନମ୍ବର ଚ୍ୟାନେଲ ତଥା ଲୋକଙ୍କ ଭରସାର ପ୍ରତୀକ ଓଟିଭିର ନ୍ୟୁଜ ମ୍ୟାନେଜମେଂଟରେ ବ୍ୟାପକ ପରିବର୍ତ୍ତନ ହୋଇପାରେ ସବୋଲି ସୁଚନା ମିଳୁଛି । ମିଡିଆ ସର୍କଲରେ ଚର୍ଚ୍ଚା ଅନୁସାରେ ଶୀର୍ଷ ସ୍ତରରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀଙ୍କ ପଦବୀ ଏବଂ ପ୍ରତିନିଧି ମାନଙ୍କ ସ୍ତରରେ ବିଭାଗର ଏକ ବ୍ୟାପକ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଶୁଣିବାକୁ ମିଳୁଛି ଏନେଇ ସମସ୍ତ ପ୍ରସ୍ତୁତି ସରିଯାଇଛି, ଖାଲି ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି । ହେଲେ ଏହି ଅଦଳବଦଳକୁ ନେଇ କିଛି କର୍ମଚାରୀ ଅସନ୍ତୁଷ୍ଟ ଥିବା କଥା କୁହାଯାଉଛି । ଚର୍ଚ୍ଚା ଅନୁସାରେ କିଛି କର୍ମଚାରୀ ଚ୍ୟାନେଲ ଛାଡିବା ପାଇଁ ମଧ୍ୟ ମନସ୍ଥ କରୁଛନ୍ତି ।
ଶୁଣିବାକୁ ମିଳୁଛି, କିଛି ମାସ ତଳେ ଚ୍ୟାନେଲରେ ଯୋଗ ଦେଇଥିବା ଜଣେ ସାମ୍ବାଦିକଙ୍କୁ ବଡ ପୋଷ୍ଟ ମିଳିପାରେ । ରିପୋର୍ଟର ନେଟୱାର୍କକୁ ସମ୍ଭାଳୁଥିବା ବିଭାଗ ତାଙ୍କ ହାତକୁ ଆସିପାରେ । ବର୍ତ୍ତମାନ ଏହି ସ୍ଥାନରେ କାମ କରୁଥିବା ସାମ୍ବାଦିକ ତାଙ୍କର ବିଶ୍ୱାସ ହରାଇ ସାରିଲେଣି ବୋଲି ଚର୍ଚ୍ଚା । ମ୍ୟାନେଜମେଂଟ ପାଖରେ ଏହି ସାମ୍ବାଦିକଙ୍କୁ ନେଇ ଏକ ବଡ ଖବର ରହିଛି, ତେଣୁ ଖୁବଶୀଘ୍ର ତାଙ୍କୁ ବଦଳାଇବାକୁ ନିଷ୍ପତ୍ତି ହେଉଛି ।
ସେହିଭଳି ବିଭିନ୍ନ ରାଜନୈତିକ ଦଳର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଦାୟିତ୍ୱ ମଧ୍ୟ ବଦଳିବ । ଖାସ କରି କଂଗ୍ରେସ, ବିଜେପି ଓ ବିଜେଡି ବିଟ୍ କରୁଥିବା ରିପୋର୍ଟର ନୁଆ ଦାୟିତ୍ୱ ପାଇବେ । ଏହାପଛରେ ଏକ ବଡ ଯୋଜନା ଏବଂ ରଣନୀତି ମଧ୍ୟ ରହିଛି । କୁହାଯାଉଛି, ଶାସକ ଦଳର ଖବର ସଂଗ୍ରହରେ କୁଆଡେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଥିଲା, ତେଣୁ ଏଭଳି ନିଷ୍ପତ୍ତି ନେବାକୁ ଚ୍ୟାନେଲ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି । ହେଲେ ଏହି ଚର୍ଚ୍ଚାରେ କେତେ ବାସ୍ତବତା ରହିଛି, ସେନେଇ କିଛି ସ୍ପଷ୍ଟତା ଆସିନାହିଁ । ତେବେ ଚ୍ୟାନେଲର ମୁଖ୍ୟଙ୍କ ସ୍ତରରେ କିଛି ଅଦଳବଦଳ ହେଉନଥିବା କୁହାଯାଉଛି । ରାଜ୍ୟର ଏକ ପ୍ରମୁଖ ଚ୍ୟାନେଲର ସଂପାଦକ ରାଜ୍ୟର ଏକ ନମ୍ବର ଚ୍ୟାନେଲକୁ ଆସିବାକୁ ଲବି କରୁଥିଲେ, ହେଲେ ଏହା ସମ୍ଭବପର ହୋଇପାରିନଥିଲା । ତେଣୁ ଏହି ପଦବୀରେ ଏବେ କିଛି ପରିବର୍ତ୍ତନ ହୋଇନପାରେ ବୋଲି ଜଣାପଡୁଛି ।
ବିଭିନ୍ନ ମାମଲାରେ ଓଟିଭିର କର୍ମଚାରୀଙ୍କୁ ଡାକି ପୁଲିସ ଜେରା କରିବା ପରେ ଗୋଟିଏ ଧାରଣା ତିଆରି ହୋଇଥିଲା ଯେ କର୍ମଚାରୀଙ୍କ ଭିତରେ ବିତୃଷ୍ଣା ଭାବ ତିଆରି ହୋଇଛି । କଥା ଏତିକି ସୀମିତ ନଥିଲା କିଛି କର୍ମଚାରୀ କୁଆଡେ ରାଜ୍ୟ ସରକାରଙ୍କର ବଡ ପଦରେ ଥିବା ଜଣେ ନେତାଙ୍କୁ ଭେଟି ଚ୍ୟାନେଲ ଛାଡି ଆଉ କେଉଁଠି ଜଏନ୍ କରିବାକୁ ପ୍ରସ୍ତାବ ମଧ୍ୟ ରଖିଥିଲେ । ହେଲେ ଏହା ଚୁଡାନ୍ତ ରୁପ ନେଇପାରିଲା ନାହିଁ । ବାଧ୍ୟ ବାଧକତାରେ ପୁଣି ନିଜ କର୍ମକ୍ଷେତ୍ରରେ ରହି କାର୍ଯ୍ୟ କରୁଥିବା ଏହି କର୍ମଚାରୀଙ୍କୁ ଆଉ ଭରସାରେ ଦେଖିପାରୁ ନାହାନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ । ଶୁଣୀବାକୁ ମିଳୁଛି ଏମାନଙ୍କ ବ୍ୟାକଅପ୍ ପ୍ଲାନ ପ୍ରସ୍ତୁତ ହୋଇ ରହିଛି । ଖୁବଶୀଘ୍ର ଅଦଳବଦଳ ହୋଇପାରେ ।
ମିଡିଆ ସର୍କଲରେ ଚର୍ଚ୍ଚ ଅନୁସାରେ, ୨୦୨୪କୁ ଆଖି ଆଗରେ ରଖି ଚ୍ୟାନେଲ କର୍ତ୍ତୃପକ୍ଷ ନୁଆ ଟିମ ତିଆରି କରିବାକୁ ଚାହୁଁଛନ୍ତି । କାରଣ ବର୍ତ୍ତମାନ କାର୍ଯ୍ୟ କରୁଥିବା ଟିମ୍ ସଠିକ ଭାବରେ ନ୍ୟୁଜକୁ ବୁଝିପାରୁନଥିବା ଗୋଟିଏ ଧାରଣା ତିଆରି ହୋଇଛି । ଏପରିକି ଯେଉଁ ସବୁ ମାମଲାରେ ଚ୍ୟାନେଲ ଅଡୁଆରେ ପଡିଥିଲା, ସେସବୁ ମାମଲା କର୍ମଚାରୀଙ୍କ ଭୁଲ ପାଇଁ ବୋଲି ମ୍ୟାନେଜମେଂଟ କୁଆଡେ ଚିନ୍ତା କରୁଛି । ତେଣୁ ବର୍ତ୍ତମାନ କାର୍ଯ୍ୟ କରୁଥିବା ଟିମକୁ ନେଇ ୨୦୨୪ ନିର୍ବାଚନକୁ ସାମ୍ନା କରିବାକୁ କର୍ତ୍ତୃପକ୍ଷ ଚାହୁଁନଥିବା ଧାରଣା ତିଆରି ହେଉଛି । ସେହିଭଳି ରାଜ୍ୟରେ ନୁଆ କିଛି ଚ୍ୟାନେଲ ଆରମ୍ଭ ହେଉଥିବାରୁ ଖୁବଶୀଘ୍ର କିଛି କର୍ମଚାରୀ ୧ ନମ୍ବର ଚ୍ୟାନେଲ ଛାଡି ଅନ୍ୟ କିଛି ଚ୍ୟାନେଲକୁ ଯିବାର ସମ୍ଭାବନା ରହିଛି । ସେହିଦୃଷ୍ଟିରୁ ଟପ୍ ଚ୍ୟାନେଲ କର୍ତ୍ତୃପକ୍ଷ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏହି ଅଦଳବଦଳ କଣ ଫରକ ଆଣୁଛି, ମିଡିଆ ଜଗତ ଉପରେ ଏହାର ପ୍ରଭାବକୁ ନେଇ ଏବେଠାରୁ ଆକଳନ ଆରମ୍ଭ ହୋଇଗଲାଣି ।