ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ; ତଦନ୍ତ କମିଟି ଗଠନ କଲେ ସୁପ୍ରମିକୋର୍ଟ
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲାର ତଦନ୍ତ ପାଇଁ କମିଟି ଗଠନ କଲେ ସୁପ୍ରିମକୋର୍ଟ । ୪ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଚଣ୍ଡିଗଡ଼ ପୋଲିସ ଡିଜି, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ କମିଟିର ସଦସ୍ୟ ରହିବେ ।
ଏହାସହ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କ ପକ୍ଷରୁ କରାଯାଉଥିବା ତଦନ୍ତ ବନ୍ଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ୫ ତାରିଖ ଗସ୍ତର ସମସ୍ତ ରେକର୍ଡକୁ ସୁରକ୍ଷିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା । ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଆଗକୁ ବଢିପାରିନଥିଲା । ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ୟ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ କଡା ପ୍ରତିକ୍ରିୟା ଦେଖା ଦେଇଥିଲା ।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଥିଲା ଯେ, ସେଦିନ ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ବଠିଣ୍ଡାରେ ପହଞ୍ଚିଥିଲେ । ମେଘୁଆ ପାଗ ଯୋଗୁ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ । ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ହେଲେ ରାଷ୍ଟ୍ରୀୟ ସହିଦ ସ୍ମାରକୀ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଥିଲା ।