ଏବେ ଦୂର ହେବ ସୁନ୍ଦରଗଡ ସମସ୍ୟା?
ସୁନ୍ଦରଗଡରେ କରୋନା ସ୍ଥିତି ସାଂଘାତିକ ରହିଛି । ପ୍ରତିଦିନ ହଜାର ହଜାର ଆକ୍ରାନ୍ତ କେବଳ ଏହି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ତେଣୁ ଜିଲ୍ଲାରେ କିଭଳି କରୋନା ଚେନକୁ ବ୍ରେକ କରିହେବ ସେ ନେଇ ଆରମ୍ଭ ହୋଇଛି ସମୀକ୍ଷା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ଆହୁରି ୯୦ ଆଇସିୟୁ ବେଡ୍ ସୁନ୍ଦରଗଡ଼ ଜିଲ୍ଲାରେ କାର୍ୟ୍ୟ କ୍ଷମ ହେବ ,ଏବଂ ଟେଷ୍ଟିଂ ବଢ଼ାଯିବ ବୋଲି କହିଛନ୍ତି ।
କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ସୁନ୍ଦରଗଡରେ ୨ହଜାର ପାଖାପାଖି ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା ।ଯାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେଣୁ ଜିଲ୍ଲାରେ କିଭଳି ସଂକ୍ରମଣ ସଂଖ୍ୟାକୁ କମ କରିହେବ ତା ଉପରେ ଏବେ ଫୋକସ କରାଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଅସିତ ତ୍ରିପାଠୀ ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ରାଉରକେଲା ଗସ୍ତ କରି କୋଭିଡ କଲ ସେଣ୍ଟର ବୁଲିଥିଲେ। ଜିଲ୍ଲାରେ ଉପଲବ୍ଧ କୋଭିଡ ଚିକିତ୍ସା ବ୍ୟବସ୍ଥା, ଆଇ ସି ୟୁ ବେଡ ବିଷୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପଚାରି ବୁଝିଥିଲେ। ଜିଲ୍ଲାରେ ଆସନ୍ତାକାଲି ସୁଦ୍ଧା ୯୦ଟି ଆଇ ସି ୟୁ ବେଡ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ଖୁବଶୀଘ୍ର ହାଇଟେକ କୋଭିଡ ହସପିଟାଲରେ ୧୨୦ଟି ଅକ୍ସିଜେନ ବେଡ ବ୍ୟବସ୍ଥା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ କହିଛନ୍ତି ।
ଅସିତ୍ ତ୍ରିପାଠୀ କହିଛନ୍ତି ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ଅଛି ଏବଂ ଏସବୁରେ ଅକ୍ସିଜେନ ଯୁକ୍ତ ବେଡ୍ ଓ ଆଇସିୟୁ ବେଡର ବ୍ୟବସ୍ଥା ରହିଛି । ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡର ଓ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ରହିଛି । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୫୦୦ ଅକ୍ସିଜେନ୍ ଶଯ୍ୟା ବିଶିଷ୍ଟ ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି । ଏହା ସୁନ୍ଦରଗଡ଼ ଜିଲ୍ଲା ଏବଂ ବିଶେଷକରି ରାଉରକେଲା ସହରରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଅଧିକ ସହାୟକ ହେବ। ରାଉରକେଲା ପରେ ବରଗଡ଼ ଯାଇ ଅସିତ ତ୍ରିପାଠୀ ରୋଗୀଙ୍କ ଚିକିତ୍ସା ଠିକ ଭାବେ ହେଉଛି କି ନାହିଁ ଓ ଅନ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।