THE BYAPINI

ଏଥର ଆଉ ମହାଦୁର୍ନୀତି ହେବନି ତ?

Get real time updates directly on you device, subscribe now.

ଖଣି ମହାଦୁର୍ନୀତି ଉପରୁ ସଂପୁର୍ଣ୍ଣ ଭାବେ ନଜର ହଟିନଥିବା ବେଳେ ଏବେ ପୁଣି ସେମିତି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଲାଣି । ୬୦ ହଜାର କୋଟି ଖଣି ଦୁର୍ନୀତି କଥା ମନରୁ ଲିଭିନଥିବା ବେଳେ ପୁଣି ଖଣି ଖୋଳା ଜୋର ଧରିଛି । ଆରଟିଆଇ ସୁଚନା ଅନୁସାରେ, ଏହାରି ଭିତରେ ୧୫ଟି କଂପାନୀକୁ ୭ ହଜାର ହେକ୍ଟର ଖଣି ଅଂଚଳ ୫୦ ବର୍ଷ ପାଇଁ ଲିଜ୍ ଦିଆଯାଇଛି । ସୁଚନା ଅଧିକାର କର୍ମୀଙ୍କ ଜରିଆରେ ମିଳିଥିବା ତଥ୍ୟ ଅନୁସାରେ, ଜେଏସଡବ୍ଲ୍ୟୁ ଷ୍ଟିଲ୍କୁ ୪ଟି, ମିତ୍ତଲକୁ ଗୋଟିଏ, ସିରାଜ୍ଜୁଦ୍ଦିନକୁ ଗୋଟିଏ ଏହିଭଳି ଭାବେ ୧୭ କଂପାନୀକୁ ଖଣି ଟେକି ଦିଆଯାଇଛି । ସେହିଭଳି ଅନ୍ୟ ଏକ ଆରଟିଆଇ ତଥ୍ୟ ଅନୁସାରେ, ଲକଡାଉନ ସମୟରେ ମଧ୍ୟ ଅବାଧ ଖଣି ଖୋଳା ଚାଲିବା ସହ ବାହାରକୁ ରପ୍ତାନୀ ମଧ୍ୟ ପ୍ରବଳ ଆକାରରେ ହୋଇଥିବା ଜଣାପଡିଛି । ହେଲେ ବଡ କଥା ହେଉଛି, ଯେଉଁମାନେ ଖଣି ଖୋଳି ଚାଲିଥିଲେ, ସେମାନେ ନିର୍ଦ୍ଦିଷ୍ଟ ଅନୁମତି ମୁତାବକ ଖଣି ଖନନ କରୁଛନ୍ତି ନା ମନଇଛା ଉତ୍ତୋଳନ କରି ଚାଲିଛନ୍ତି । ସ୍ଥାନୀୟ ଅଧିକାରୀ ଏସବୁ ଉପରେ ନଜର ରଖିଛନ୍ତି ନା ସବୁକିଛି ପ୍ରତି ଆଖି ବୁଜି ଦେଇଛନ୍ତି, ତାକୁ ନେଇ ଏବେ ବଡ ପ୍ରଶ୍ନ ସାମ୍ନାକୁ ଆସିଛି ।

ଓଡିଶା ଇତିହାସରେ ବୋଧହୁଏ ସବୁଠାରୁ କଳଙ୍କିତ ଏବଂ ଭୟଙ୍କର ଦୁର୍ନୀତି ହେଉଛି ଖଣି ଦୁର୍ନୀତି । ଯାହା ରାଜ୍ୟ ସରକାରଙ୍କର ଭାବମୁର୍ତ୍ତି ଉପରେ ସାଂଘାତିକ ଆଂଚ ଆଣିଥିଲା । ଏମିତି ନୁହେଁ ଯେ, ସରକାରୀ ଅଧିକାରୀ ନେତା ମନ୍ତ୍ରୀ କିଛି ଜାଣିନଥିଲେ । ହଜାର ହଜାର କୋଟି କୋଟି ଟଙ୍କାର ଏହି ସ୍କାମ ବିଜେଡି ସରକାରକୁ କାଠଗଡାରେ ଠିଆ କରାଇଥିଲା । ୨୦୧୩ ମସିହାରେ ଶାହା କମିଶନ ଖଣି ଦୁର୍ନୀତିର ତଦନ୍ତ କରି ଏହାର ପରିମାଣ ୬୦ ହଜାର କୋଟି ହେବ ବୋଲି ଯଦିଓ କହିଥିଲା ହେଲେ ବାସ୍ତବିକ ଭାବେ ଏହା ଏକ ଲକ୍ଷ କୋଟିରୁ ଛୋଟ ସ୍କାମ ନଥିଲା । ଏହାପଛରେ ଅନେକ ଅଧିକାରୀଙ୍କ ଭୁମିକ ସନ୍ଦେହ ଘେରକୁ ଅସିଥିଲା । ସ୍ଥାନୀୟ ନେତା ମୋଟା ଅଙ୍କର ଅର୍ଥ ନେଇ ସବୁକିଛି ପ୍ରତି ଆଖି ବୁଜିଦେଇଥିଲେ ବୋଲି ଅଭିଯୋଗ ବି ହେଲା । ଶାହା କମିଶନ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଲେ ଏହା ପରବର୍ତ୍ତୀ ସମୟରେ ଅଟକି ଯାଇଥିଲା । ଫଳରେ ରାଜ୍ୟର ଏହି ମେଗା ସ୍କାମର ପ୍ରଛଦ ପଟରେ କେଉଁ ଖଳନାୟକ ମାନେ ଅଛନ୍ତି ସେମାନଙ୍କ ନାଁ ସାମ୍ନାକୁ ଆସିପାରିନଥିଲା । କେବଳ ୧୭ ହଜାର କୋଟି ଫାଇନା ଆଦାୟ ହୋଇଥିଲା । ଚିନ୍ତା କରନ୍ତୁ, ଦୁର୍ନୀତି କେତେ ହଜାର କୋଟିର ହେଲା ଏବଂ ଫାଇନ କେତେ ହଜାର କୋଟିର ଆଦାୟ କରାଗଲା । ଓଡିଶାବସୀଙ୍କ ଦୁର୍ଭାଗ୍ୟ ରାଜ୍ୟ ବାହାରୁ ବ୍ୟବସାୟୀ ଆସି ଆମର ଖଣି ଖୋଳି ଲୁଟିନେଲେ, ଅଥଚ କେନ୍ଦୁଝରର ସ୍ଥିତି ସେଭଳି ଦୟନୀୟ ହୋଇ ରହିଗଲା ।

ଆଉ ଏବେ ରାଜ୍ୟରେ ଯେତେବେଳେ ପୁଣି ଥରେ ଖଣି ଖୋଳା ଆରମ୍ଭ ହୋଇଛି, ଅତୀତର କଥା ପୁଣି ମନେ ପଡିଯାଉଛି । ଏହି ତଥ୍ୟ ଉପରେ ନଜର ପକାନ୍ତୁ । ରାଜ୍ୟରେ କୋଭିଡ ଲକଡାଉନ ଥିବା ସମୟରେ, ଜାନୁଆରୀରୁ ଡିସେମ୍ବର ୨୦୨୦ ମଧ୍ୟରେ ୧୧ କୋଟି ମେଟ୍ରିକ ଟନରୁ ଅଧିକ ଆଇରନ୍ ଓର ଉତ୍ତୋଳନ କରାଯାଇଛି । ଏଥିରୁ ୨ କୋଟି ମେଟ୍ରିକ ଟନରୁ ଅଧିକ ଦେଶ ବାହାରକୁ ପଠାଯାଇଛି । ପାରାଦୀପ ପୋର୍ଟ ମାଧ୍ୟମରେ ୧ କୋଟି ମେଟ୍ରିକ ଟନରୁ ଅଧିକ ଚାଲାଣ ହୋଇଛି । ଚାଇନାକୁ ଯାଇଛି ୧.୫ କୋଟି ମେଟ୍ରିକ ଟନରୁ ଧିକ ଲୁହାପଥର । ଯେତେବେଳେ ସାଧାରଣ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ସାମ୍ନା କରୁଥିଲେ, ଯେତେବେଳେ ସବୁକିଛି ଠପ୍ ହୋଇଯାଇଥିଲା, ଯେତେବେଳେ ସବୁ କିଛି ବନ୍ଦ ଥିଲା, ସେତେବେଳର ଆମ ରାଜ୍ୟରେ କିନ୍ତୁ ଖଣି ଉତ୍ତୋଳନ ବନ୍ଦ ନଥିଲା । ଅଭିଯୋଗ ଅନୁସାରେ, ଏହି ଅବଧିରେ ଖଣି ମାଲିକ ମାନେ ପ୍ରଚୁର ମୁନାଫା ମଧ୍ୟ ପାଇଛନ୍ତି । ସାଧାରଣ ସମୟ ତୁଳନାରେ କୋଭି ସମୟରେ ଅଧିକ ଲୁହାପଥର ବିଦେଶକୁ ରପ୍ତାନୀ କରାଯାଇଛି । ସୁଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଏହି ସମସ୍ତ ତଥ୍ୟକୁ ଆରଟିଆଇରୁ ହାସଲ କରି ନିଜ ଫେସବୁକରେ ସ୍ଥାନ ଦେଇଛନ୍ତି । ବ୍ୟାପିନି ପ୍ରତିନିଧି ମଧ୍ୟ ଏହା ପଛରେ କିଛି ଦୁର୍ନୀତି ହୋଇଛି କି ନାହିଁ, ତାକୁ ଜାଣିବାକୁ ଅରମ୍ଭ କରିଛନ୍ତି ଉଦ୍ୟମ ।

ବଡ କଥା ହେଉଛି ଦୁର୍ନୀତି ମୁକ୍ତ ଆଉ ସ୍ୱଛ ଶାସନ ରାଜ୍ୟବାସୀଙ୍କୁ ଦେବାକୁ ପ୍ରତିଶ୍ରୁତି ଦେଉଥିବା ବିଜେଡି ସରକାରଙ୍କ ନାକତଳେ ହେଉଥିବା ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟ ସିଧାସଳଖ ସରକାରକୁ କାଠଗଡାକୁ ଟାଣିଛି । ୬୦ ହଜାର କୋଟିର ଦୁର୍ନୀତି କଥା ମନରୁ ଲିଭିନଥିବା ବେଳେ ଯେତେବେଳେ ପୁଣ ଖଣି ଖୋଳା କାମ ଆରମ୍ଭ ହୋଇଛି, ଠିକ ସେତିକି ବେଳେ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଯଦି ସଚେତନ ନହେବେ ତେବେ ସେମାନଙ୍କ ନାକତଳେ ଦୁର୍ନୀତି ଚାଲିଥିବ । ଏବଂ ବ୍ୟବସାୟୀ ମାନେ ଖଣି ଖୋଳି ବେଆଇନ ଭାବେ ସବୁକିଛି ଖୋଳ କରିଦେଇଥିବେ । ଦୁର୍ନୀତି ଜଣାପଡିଲେ ପୁଣି ତଦନ୍ତ ହେବ ଆଉ ସେମାନଙ୍କୁ ଯାହା ଫାଇନ୍ ପଡିବ ଏବଂ ଯେତିକି ଅର୍ଥ ଆଦାୟ ହେବ ତାହା ଲୁଟ ପରିମାଣ ଠାରୁ ଢେର୍ କମ ରହିବ । ତେଣୁ ଓଡିଶା ପ୍ରତି ଆମର ଯେଉଁ କର୍ତ୍ତବ୍ୟ ରହିଛି, ଜଗନ୍ନାଥ ଧାମ ପାଇଁ ଆମର ଯେଉଁ ଦାୟିତ୍ୱ ରହିଛି ଆସନ୍ତୁ ତାକୁ ପାଳନ କରିବା ଏବଂ ରାଜ୍ୟ ଭିତରେ ରହି ଦୁର୍ନୀତି ଏବଂ ଅନ୍ୟାୟ କୁ ପ୍ରଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ।

Get real time updates directly on you device, subscribe now.

Leave A Reply

Your email address will not be published.