ଖୁବଶୀଘ୍ର ଛୋଟ ପିଲାଙ୍କୁ ଟିକା
ମହାମାରୀ ବିରୋଧୀ ଲଢେଇରେ ଆଉ ପାଦେ ଆଗକୁ ଯାଇଛନ୍ତି ସରକାର । ପିଲାଙ୍କ ଉପରେ କୋଭିଡ ଟିକା ଟ୍ରାଏଲ ପାଇଁ ଅନୁମତି । ୨ରୁ ୧୮ ବର୍ଷ ପିଲାଙ୍କୁ କୋଭାକ୍ସିନର ଟ୍ରାଏଲ ପାଇଁ ଅନୁମତି ଦେଇଛି ଡିସିିଜିିଆଇ । ୫୨୫ ଜଣ ସୁସ୍ଥ ସ୍ୱେଚ୍ଚାସେବୀଠାରେ ହେବ ଏହି ପରୀକ୍ଷା । ଭାରତ ବାୟୋଟେକ୍ ପକ୍ଷରୁ ଏହି ଟ୍ରାଏଲ କରାଯିବ ।
ପ୍ରଥମେ ୫୨୫ ଭଲ୍ୟୁଂଟରଙ୍କ ଶରୀରରେ ଭାରତ ବାୟୋଟେକ ଏହି ପରୀକ୍ଷା କରିବ । ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଉପରେ କରାଯାଉଥିବା କ୍ଲିନିକାଲ ଟ୍ରାଏଲର ଫେଜ୍ ୨ ଓ ଫେଜ୍ ୩ ହେବ । ଟ୍ରାଏଲ ବେଳେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୨୮ ଦିନ ବ୍ୟବଧାନ ରହିବ ।ଦିଲ୍ଲୀ ଏବଂ ପାଟନା ଏମସ୍ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରାଯିବ ବୋଲି ସୂଚନା ମିଳିଛି।
ଆମେରିକାରେ ୧୨ରୁ ୧୫ ବର୍ଷ ବୟସ୍କଙ୍କ ପାଇଁ ଓ କାନାଡାରେ ୧୨ରୁ ୧୮ ବର୍ଷ ନାବାଳକଙ୍କୁ କରୋନା ଟିକାକରଣକୁ ଅନୁମତି ପ୍ରଦାନ କରାଯାଇଛି । କରୋନାର ଦ୍ୱିତୀୟ ଲହରରେ ବି ଅଧିକାଂଶ ପିଲା ଆକ୍ରାନ୍ତ ହେଉଥିବା ଜଣାପଡୁଛି । ସେହିପରି ଆଗକୁ ତୃତୀୟ ଲହରର ଆଶଙ୍କା ଥିବାରୁ ଏହା ମଧ୍ୟ ଛୋଟ ପିଲା ଓ ନାବାଳକଙ୍କ ପାଇଁ ବିପଦଜନକ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସରକାର ଛୋଟ ପିଲା ଓ ନାବାଳକଙ୍କୁ ଖୁବଶୀଘ୍ର ଟିକାକରଣ ନେଇ ଚିନ୍ତା କରୁଛନ୍ତି ।