ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଟିକା ଚିଠି
ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଂକଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି ନବୀନ । କରୋନା କାଳରେ କେବଳ ଟିକାକରଣ ହିଁ ଲୋକଙ୍କୁ ସୁରକ୍ଷିତ ରଖିପାରିବ । ଟିକାକରଣ ପ୍ରାଥମିକତା ନ ପାଇଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । ଏଭଳି ସ୍ଥଳେ କେନ୍ଦ୍ର ଟିକା ସଂଗ୍ରହ କରି ରାଜ୍ୟ ଗୁଡିକୁ ଯୋଗାଇବାକୁ ଯୁକ୍ତି ପୁଣିଥରେ ଦୋହରାଇଛନ୍ତି ନବୀନ । ଯାହାଦ୍ୱାରା ସମସ୍ତଙ୍କର ଟିକାକରଣ ଅତିଶୀଘ୍ର ହୋଇପାରିବ ।
ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ସୁରକ୍ଷା ଦେବାର ଏକ ମାତ୍ର ମାଧ୍ୟମ ହେଉଛି ଟିକା । ଯୁଦ୍ଧାକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ରହି ପାରିବ ନାହିଁ। ଟିକା ଅଭାବ ଦୂର କରିବା ପାଇଁ କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଭ୍ୟାକ୍ସିନ ପାଇଁ ଟେଣ୍ଡର ଡାକିଛନ୍ତି । ଟିକା ପାଇଁ ରାଜ୍ୟ ଗୁଡିକ ପ୍ରତିଯୋଗିତା ନହେଉ । ଲୋକଙ୍କ ସୁରକ୍ଷା ଓ କିଭଳି ସମସ୍ତେ ଟିକା ପାଇବେ ସେ ଉପରେ ଗୁରୁତ୍ୱ ଦିଆଯାଉ । କେନ୍ଦ୍ର ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତିଙ୍କୁ ଟିକା ଦେବାକୁ ଘୋଷଣା କରିବା ପରେ ଟିକାର ଯଥେଷ୍ଟ ଚାହିଦା ବଢିଛି । ଏଥିପାଇଁ ଅଧିକାଂଶ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଉପରେ ଗୁରୁତ୍ୱ ଦେଇଥିଲେ । କିନ୍ତୁ ବିଦେଶୀ କମ୍ପାନି ଗୁଡିକ ସିଧାସଳଖ କେନ୍ଦ୍ରର କ୍ଲିୟରାନ୍ସ ଚାହୁଁଛନ୍ତି । ଯାହାଦ୍ୱାରା ବିଦେଶ କମ୍ପାନି ଗୁଠିକ ରାଜ୍ୟ ସହ ଟିକା ଚୁକ୍ତି କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ। ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍ବାଧୀନତା ଆନ୍ଦୋଳନ ପରେ ସମ୍ଭବତଃ କରୋନା ବିରୁଦ୍ଧରେ ଲଢେଇ ଦେଶବାସୀଙ୍କ ପାଇଁ ଦ୍ଵିତୀୟ ସର୍ବବୃହତ ସଂଘର୍ଷ ଭାବେ ଉଭା ହୋଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଓ ବ୍ୟକ୍ତିଗତ ଦ୍ୱେଷ ବିଦ୍ୱେଷରୁ ଉର୍ଦ୍ଧ୍ୱକୁ ଉଠି ସମବାୟ ସଂଘୀୟ ବ୍ୟବସ୍ଥା ଆଧାରରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଆଗେଇଆସିବା ଉଚିତ । ତୃତୀୟ ଲହର ଆସିବା ପୂର୍ବରୁ ଆମେ ସମସ୍ତେ ତତ୍ପର ଏବଂ ପ୍ରସ୍ତୁତ ହେବା ଉଚିତ୍। ଟିକା ପ୍ରସ୍ତୁତ କରୁଥିବା ଆନ୍ତର୍ଜାତିକ ସଂସ୍ଥାମାନେ ରାଜ୍ୟ ସରକାରଙ୍କ ସହିତ ଟିକା କାରବାର ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଓ ପ୍ରତିଶ୍ରୁତି ବା ଗ୍ୟାରେଣ୍ଟି ଆବଶ୍ୟକ କରୁଛନ୍ତି। ଆନ୍ତର୍ଜାତିକ ସଂସ୍ଥାମାନେ ସିଧାସଳଖ ରାଜ୍ୟ ସରକାରମାନଙ୍କ ସହ ଟିକା କାରବାର କରିବାକୁ ଚାହିଁ ନାହାନ୍ତି । ଅପରପକ୍ଷରେ ଦେଶ ଭିତରେ ଥିବା ଟିକା ପ୍ରସ୍ତୁତକରି ସଂସ୍ଥାମାନେ ଆବଶ୍ୟକ ପରିମାଣର ଟିକା ଯୋଗାଇବା ପାଇଁ ଅସମର୍ଥ ହେଉଛନ୍ତି । ତେଣୁ ଏଭଳି ଦୁଇଟି ରାସ୍ତାରେ ଟିକା ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।