ଭଉଣୀ ଋଣ ସୁଝିଲେ ଭାଇ
ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପତ୍ତି ତାଲିକା । ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ସଂପତ୍ତି ତାଲିକା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆର୍ଥିକ ବର୍ଷ ୨୦୧୯-୨୦୨୦ ଯାଏଁ ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ସ୍ଥାବର ଓ ଅସ୍ଥାବର ସମ୍ପତିର ତାଲିକା ଏଥିରେ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସଂପତି ତାଲିକାରୁ କିଛି ରୋଚକ ତଥ୍ୟ ସାମନାକୁ ଆସିଛି । ବେଶ କିଛି ବର୍ଷ ହେଲା ଭଉଣୀ ଗୀତା ମେହେଟ୍ଟା ଠାରୁ ୧୫ ଲକ୍ଷ ଟଙ୍କା ଋଣ ନେଇଥିବା ନେଇ ଦର୍ଶାଇଆସୁଥିଲେ ନବୀନ । କିନ୍ତୁ ସେହି ଋଣ ରାଶି ଏହି ସଂପତି ତାଲିକାରେ ନାହିଁ । ଅର୍ଥାତ ଭଉଣୀଙ୍କ ଠାରୁ ଋଣ ନେଇଥିବା ଟଙ୍କା ପରିଶୋଧ କରିଦେଇଛନ୍ତି ନବୀନ ।
ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ଟି ବ୍ୟାଙ୍କ ଆଂକାଉଟ ରହିଛି । ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଂଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସା । ଏହି ବ୍ୟାଙ୍କର ଟର୍ମ ଡିପୋଜିଟ ଅଛି ଏକ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା । ଦିଲ୍ଲୀର ପାର୍ଲାମେଂଟ ହାଉସ ଏସବିଆଇ ଶାଖାରେ ଅଛି ଏକ ହଜାର ୮ଶହ ୧୮ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କର ୧୯୮୦ ମଡେଲର ଏକ ଆମ୍ବାସଡର କାର୍ ଅଛି । ଯାହାର ଆନୁମାନିକ ମୂଲ୍ୟ ୮ହଜାର ୯୦୫ଟଙ୍କା ହେବ । ୨ ଲକ୍ଷ ୮୯ହଜାର ଟଙ୍କାର ସୁନା ଗହଣା ଥିବା ସମ୍ପତ୍ତି ତାଲିକାରେ ପ୍ରକାଶ ପାଇଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନ ପଟ୍ଟନାୟକଙ୍କ ଅଛି ୪ଟି ଷ୍ଟେଟବ୍ୟାଙ୍କ ଆକାଉଣ୍ଟ । ଭୁବନେଶ୍ୱର ସେଭିଙ୍ଗ୍ସ ଆକାଉଣ୍ଟରେ ୧୦ ଲକ୍ଷ ୫୬ ହଜାର ଟଙ୍କା ଥିବା ତାଲିକାରେ ପ୍ରକାଶ ପାଇଛି । ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ୨ଟି ଆକାଉଣ୍ଟ ରହିଛି ମୁଖ୍ୟମନ୍ତ୍ରୀଙ୍କର । ଦୁଇ ଆକାଉଣ୍ଟ ନିର୍ବାଚନ ପାଇଁ ଖୋଲାଯାଇଥିଲା । ୨୦୧୪ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୬ ହଜାର ୭୪୬ ଟଙ୍କା ଥିବା ତାଲିକାରେ ଉଲ୍ଲେଖ ହୋଇଛି । ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୧୩ ହଜାର ୮୧୮ ଟଙ୍କା ଅଛି । ବରଗଡ଼ ପଦ୍ମପୁର ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଅଛି ୩୭ ହଜାର ୨୨୩ ଟଙ୍କା ।
ସେହିଭଳି ଦିଲ୍ଲୀ ଫରିଦବାଦରେ ଥିବା ଜମିବିକ୍ରୀ ଲାଗି ନବୀନ ଅଗ୍ରୀମ ଆଣିଛନ୍ତି ୧ କୋଟି ୨୫ ଲକ୍ଷ । ସ୍ଥାବର ସମ୍ପତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିୟାଣାରେ ଜମି ଓ କୋଠା ଅଛି । ଫରିଦାବାଦରେ ଥିବା ଜମି ଓ କୋଠାର ମୂଳ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ବୋଲି ନବୀନ ନିଜ ସଂପତି ତାଲିକାରେ ଦର୍ଶାଇଛନ୍ତି ।
ନବୀନ ନିବାସରେ ନବୀନଙ୍କ ଦୁଇ ତୃତୀୟାଂଶ ରହିଛି । ଯାହାର ଆନୁମାନିକ ମୂଲ୍ୟ ହେବ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ସେହିପରି ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ସମ୍ପତିରେ ନବୀନଙ୍କ ୫୦ ପ୍ରତିଶତ ସେୟାର ରହିଛି । ଏହାର ମୂଲ୍ୟ ପ୍ରାୟ ୪୩ କୋଟି, ୩୬ ଲକ୍ଷ, ୧୮ ହଜାର ଟଙ୍କା ହେବ ।
ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡର ସବୁ ସଦସ୍ୟ ସେମାନଙ୍କ ସମ୍ପତ୍ତି ଦେଇଛନ୍ତି । ସମ୍ପତ୍ତି ତାଲିକା ପ୍ରକାଶ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଘୋଷଣା ମୁତାବକ ସବୁ ମନ୍ତ୍ରୀ ସେମାନଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରିଛନ୍ତି ।