ବିଭାଗ କଥା କିଛି ବୁଝୁଛନ୍ତି ତ ସମୀର ଦାସ?
ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ରୋଷର ଶୀକାର ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସ୍କୁଲ ଖୋଲିବା ନେଇ ବାରମ୍ବାର ରଖୁଥିବା ବୟାନ ମୁଖ୍ୟମନ୍ତ୍ରୀଙ୍କୁ କ୍ଷୁବ୍ଧ କରିଛି । ବୁଝି ବିଚାରି ବୟାନ ଦେବା ପରିବର୍ତ୍ତେ ଖାମଖିଆଲ ବୟାନକୁ ନେଇ ଅସନ୍ତୋଷ ଜାରି କରିଛନ୍ତି ନବୀନ । କରୋନା ସମୀକ୍ଷା ବେଳେ କିଛି ଏଭଳି ଢଙ୍ଗରେ ନିଜର ଆଭିମୁଖ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବଡ କଥା ହେଉଛି ଜାନୁଆରୀରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଉ କଲେଜ ଖୋଲିବା ସଂକ୍ରାନ୍ତରେ ଉଚ୍ଚଶିକ୍ଷା ସଚିବ ଦେଇଥିବା ପ୍ରତିକ୍ରିୟା ମୁଖ୍ୟମନ୍ତ୍ରୀଙ୍କୁ ବିରକ୍ତି କରିଦେଇଥିଲା ।
ପ୍ରଥମ ଥର ପାଇଁ ସମୀର ଦାସ ଏମିତି ଅପଦସ୍ତ ହୋଇନାହାନ୍ତି, ବରଂ ବିଭିନ୍ନ ସମୟରେ ବିଭାଗ ସଂକ୍ରାନ୍ତରେ ସେ ଦେଇଥିବା ବୟାନ ପରବର୍ତ୍ତୀ ପର୍ଯ୍ୟାୟରେ ବଦଳି ଯାଉଥିଲା । ଯାହା ସ୍ପଷ୍ଟ ଭାବେ ଦର୍ଶାଉଥିଲା, ବିଭାଗ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ମନ୍ତ୍ରୀଙ୍କର ନାହିଁ । ପୂର୍ବରୁ ନଭେମ୍ବରରେ ସ୍କୁଲ ଖୋଲିବ ବୟାନ ରଖି ମଧ୍ୟ ମନ୍ତ୍ରୀ ହିନସ୍ତା ହୋଇଥିଲେ । କାହିଁକି ବାରମ୍ବାର ଏଭଳି ଘଟଣା ମନ୍ତ୍ରୀଙ୍କ ସହ ଘଟୁଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଭିତରେ ତାଳମେଳର ଅଭାବ ନା ନିଜର ଆଗଚଲା ବୟାନ ପାଇଁ ସେ ଅସୁବିଧାରେ ପଡୁଛନ୍ତି ।
ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତିର ସମୀକ୍ଷା କଲାବେଳେ ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କ ମନ୍ତବ୍ୟ ଦୃଷ୍ଟିକୁ ଆସିଥିଲା । ସ୍କୁଲ ଓ କଲେଜ କେବେ ଖୋଲାଯିବ ସେ ସମ୍ପର୍କରେ କୌଣସି ଠୋସ୍ ନିଷ୍ପତ୍ତି ନିଆଯାଇ ନ ଥିଲା ବେଳେ ମନ୍ତ୍ରୀ ଓ ସଚିବଙ୍କ ବିବୃତ୍ତିକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଥିଲେ । ସବୁ ଦୃଷ୍ଟିକୋଣରୁ ବିଚାର କରି ରାଜ୍ୟ ସରକାର ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିଲେ । ଜାନୁଆରୀ ୨ ତାରିଖରୁ ସ୍କୁଲ ଖୋଲିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ସେହିଭଳି ୧୦୦ ଦିନର ପାଠପଢା ପରେ ପରୀକ୍ଷା କରାଯିବ ବୋଲି ଘୋଷଣା କରିଥିଲେ । ହେଲେ ଏସବୁ ବୟାନକୁ ପୁଣି କାଟି ଉଡାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯାହା ଦର୍ଶାଉଛି ନିଜ ବିଭାଗ ଉପରେ ସମୀର ଦାସଙ୍କର ସଂପୂର୍ଣ୍ଣ ନିୟନ୍ତ୍ରଣ ନାହିଁ ।