ମୁଖ୍ୟମନ୍ତ୍ରୀ ଡାକିଲେ ବୈଠକ..ଫେରିବ କି କର୍ଫ୍ୟୁ!
ରାଜ୍ୟରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ ବଢିବାରେ ଲାଗିଛି । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହାଛଡା ବୈଠକରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୀମାନ୍ତବର୍ତ୍ତୀ ଅଞ୍ଚଳ ସମେତ ସହରାଞ୍ଚଳ ପାଇଁ ନିଆଯାଇପାରେ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ।
ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏଭଳିସ୍ଥଳେ ରାଜ୍ୟରେ କରୋନା ଚେନକୁ ଭାଙ୍ଗିବାକୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କରାଯାଇଥିବା ବେଳେ କଟକଣାକୁ କଡ଼ାକଡ଼ି କରାଯାଇଛି। କିଛି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ବଡ଼ ସମାବେଶ ଉପରେ କଟକଣା ଲଗାଯାଇଛି।
ପୁରୀରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ନୂଆ ଗାଇଡଲାଇନ ଅଣାଯାଇଛି । ଆରଟିପିସିଆର ରିପୋର୍ଟ ୧୨ଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବାଧ୍ୟତାମୂଳକ କରାଯାଉଛି । ସେହିପର ରେଳ ଯାତ୍ରୀଙ୍କ ଉପରେ ତୀକ୍ଷର ନଜର ରଖାଯିବା ସହ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୧୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।