ସହାନୁଭୂତି ସାଉଁଟୁଛନ୍ତି ସିଏମସି କମିଶନର!
() ଦ୍ୱିତୀୟ ଲହରରେ ନୂଆ ରୂପରେ ଦେଖାଦେଲେ ସିଏସି କମିଶନର । ରୋଗୀଙ୍କ ଆପଣାର ହେଲେ ଅନନ୍ୟା ଦାସ । କରୋନାର ପ୍ରଥମ ଲହର ଚାଲିଗଲା ହେଲେ ଗ୍ରାଉଣ୍ଡ ଜିରୋରେ ଅନନ୍ୟାଙ୍କୁ ଦେଖିବାକୁ ମିଳିନଥିଲା । କେବଳ ସରକାରଙ୍କ ସାମ୍ବାଦିକ ସମ୍ମିଳନୀ ଛଡା ଆଉ କେଉଁଠି, କେତେବେଳେ ବି ଅନନ୍ୟାଙ୍କୁ ଅନ୍ୟ କାମରେ ଦେଖିନଥିଲେ କଟକବାସୀ । ହେଲେ ହଠାତ ପିପିଇ କିଟ୍ ପିନ୍ଧି କରୋନା ସେଣ୍ଟକୁ ଯିବାଟା ଟିକେ ସନ୍ଦେହ ସୃଷ୍ଟି କରୁଛି । କଣ ପାଇଁ ଅନନ୍ୟାଙ୍କ ଏ ରୂପ ? ହଠାତ କାହିଁକି ଲୋକଙ୍କ ଆଡକୁ ମନବଳାଇଲେ ଅଫିସର ? ସିଏମସି କମିଶନରଙ୍କ ଏମିତି ନିଆରା ଅନ୍ଦାଜ ପଛରେ ରହିଛି କି କିଛି ବଡ କାରଣ ?
କୁହାଯାଉଛି ସିମ୍ପାଥି ସାଉଁଟିବା ପାଇଁ ସିଏମସି କମିଶନର ଏମିତି ଏକ ହେଡଲାଇନ ହେଲା ଭଳି କାମ କରିଛନ୍ତି । ବସ୍ତି ବାସିନ୍ଦାଙ୍କ ପାଇଁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ସିଏମସି କମିଶନରଙ୍କୁ ସିଧାସଳଖ ଟାର୍ଗେଟ କରିବା ପରେ ଅଫିସର ଅନନ୍ୟାଙ୍କ କାର୍ୟ୍ୟଶୈଳୀ ଉପରେ ଆଙ୍ଗୁଠି ଉଠିଥିଲା । ଆଉ ନେତା-ଅଫିସର ବିବାଦ ବେଶ ଚର୍ଚ୍ଚାରେ ରହିବା ପରେ ଏବେ ବିବାଦକୁ ପ୍ରଶମିତ କରିବାକୁ ପିପିଇ କିଟର ପ୍ଲାନ ବାଛିଛନ୍ତି । ତେବେ ରବିବାର କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ଜଗତପୁର ସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲକୁ ଯାଇଥିଲେ । ପିପିଇ କିଟ୍ ପିନ୍ଧି ହସ୍ପିଟାଲରେ ହଠାତ ପହଞ୍ଚିଥିଲେ । ଆକ୍ରାନ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଉଛି କି ନାହିଁ । କୋଭିଡ୍ ହସ୍ପିଟାଲରେ କେମିତି ରହିଛି ବ୍ୟବସ୍ଥା । ରୋଗୀଙ୍କ ବେଡ ପାଖରେ ଛିଡା ହୋଇ ସେମାନଙ୍କୁ ପଚାରି ବୁଝିଥିଲେ । ତେବେ ଯଦି କୌଣସି ହୁଏ ସାଙ୍ଗେସାଙ୍ଗେ ଜଣାଇବାକୁ ରୋଗୀଙ୍କୁ କହିଥିଲେ ଅନନ୍ୟା । ତେବେ ଆଗାମୀ ଦିନରେ ସହରରେ ଥିବା ଅନ୍ୟ ହସ୍ପିଟାଲକୁ ଅଚାନକ ପରିଦର୍ଶନରେ ଯିବେ ବୋଲି ଅନନ୍ୟା କହିଛନ୍ତି ।
ସିଏମସି କମିଶନରଙ୍କ ଏମିତି ହଠାତ ପରିବର୍ତ୍ତନ ତ ଗଣମାଧ୍ୟମର ହେଡଲାଇନ ହେଲା କିନ୍ତୁ ଅନନ୍ୟାଙ୍କ ଏ ନିଆରା ଅନ୍ଦାଜ ହଜାରେ ପ୍ରଶ୍ନ ଛିଡା କଲା । କାରଣ କିଛି ଦିନ ତଳେ କଟକ ନୂଆପଡା ବାଲିସାହି ବସ୍ତିରେ ପୋଲିସ- ପବ୍ଲିକ ମୁହାଁମୁହିଁ ହୋଇଥିଲେ । କାଳବୈଶାଖୀ ପାଇଁ ଅସ୍ଥାୟୀ ଘର ଭାଙ୍ଗିଯିବା ପରେ ଦୁର୍ଦ୍ଦଶା ଦୃଶ୍ୟ ହଠାର ତୁମୁଳକାଣ୍ଡରେ ପରିଣତ ହୋଇଥିଲା । ଉତ୍ୟକ୍ତ ଲୋକଙ୍କୁ ଅଟକାଇବାକୁ ପୋଲିସ ବଳ ପ୍ରୟୋଗ କରିବା ପରେ ଘଟଣାସ୍ଥଳରେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଏବଂ ତାଙ୍କ ବାପା ପ୍ରଭାତ ବିଶ୍ୱାଳ ପହଞ୍ଚିଲୋକଙ୍କ ଦୁଃଖ ବୁଝିଥିଲେ ଏବଂ ପରେ ଜିଲ୍ଲାପାଳଙ୍କ ଅଫିସରେ ହଠାତ ଲୋକଙ୍କୁ ଧରି ହାଜର ହୋଇଥିଲେ । ଜିଲ୍ଲାପାଳଙ୍କୁ ମନଇଚ୍ଛା ବିଶ୍ୱାଳ ବାପପୁଅ ଟିଉସନ କରିଥିଲେ । ଏବଂ ପାଟିକୁ ଯାହା ଆସିଲା ତାହା ସିଏମସି କମିଶନରଙ୍କ ଉପରେ ଜିଲ୍ଲାପାଳଙ୍କ ଜରିଆରେ ବର୍ଷିଥିଲେ । କଥା କଥାରେ ଲେଡି ଅଫିସର ଅନନ୍ୟାଙ୍କୁ ବି ଧମକ ଦେଇଥିଲେ ନେତା । ସରକାରୀ ଚାକିରି ଛାଡନ୍ତୁ, ରାଜନୀତି କରନ୍ତୁ ବୋଲି ବି କହିବାକୁ ପଛାଇ ନଥିଲେ ପ୍ରଭାତ ବିଶ୍ୱାଳ ।
ବାପାପୁଅଙ୍କ ଏହ ଗରମ ପରେ ମୁହଁ ଖୋଲିଥିଲେ ଅନନ୍ୟା । ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ମିଟିଂ ଥିବାରୁ ସେଦିନ ବସ୍ତିକୁ ଯାଇ ହୋଇନଥିଲା ବୋଲି କମିଶନର କହିଥିଲେ । ଆଉ ବସ୍ତି ଘଟଣାର ଦିନ କେଇଟା ପରେ ଲୋକଙ୍କ ମନ ଜିଣିବାକୁ, ଲେଡି ଅଫିସରଙ୍କ ପ୍ରତିଥିବା ବସ୍ତି ବାସିନ୍ଦା ତଥା କଟକବାସୀଙ୍କ ସହାନୁଭୂତି ଜାଗ୍ରତ କରିବାକୁ ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲ ଯାଇଥିବା ଅନୁମାନ କରାଯାଉଛି ।