THE BYAPINI

ବୈଜୟନ୍ତଙ୍କ ନିଶାନାରେ ଧର୍ମେନ୍ଦ୍ର? ମାଧ୍ୟମ ଅପରାଜିତା!

Get real time updates directly on you device, subscribe now.

ବଡ ରାଜନୈତିକ ଖେଳ ଖେଳିବାରେ ମାହିର ରାଜ୍ୟର ୧ ନମ୍ବର ଗଣମାଧ୍ୟମ ବିଜେପି ଦଳ ଭିତରେ ଥିବା ଅନ୍ତଦ୍ୱର୍ନ୍ଦ୍ୱରୁ ଫାଇଦା ଉଠାଇବାକୁ ବଡ ଗୋଟିଚାଳନା କରିଛି । ସଂସ୍ଥା ପକ୍ଷରୁ ନୁଆବର୍ଷ ଅବସରରେ ଏକ ସର୍ଭେ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଏକ ପୋଲ୍ କରାଯାଇଥିଲା । ବର୍ଷ ୨୦୨୦ର ଶେଷ ଭାଗରେ କରାଯାଇଥିବା ଏହି ଅନଲାଇନ ପୋଲରେ ଅପରାଜିତା ସମସ୍ତଙ୍କ ଠାରୁ ଢେର୍ ଆଗରେ ରହିଥିଲେ । ଯାହାକୁ ସହଜରେ ହଜମ୍ କରିପାରି ନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ କ୍ୟାମ୍ପ । କେନ୍ଦ୍ରମନ୍ତ୍ରୀ-ବୈଜୟନ୍ତଙ୍କ ମଧ୍ୟରେ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆଉ କର୍ମୀ ଖୋଲାଖୋଲି ବୈଜୟନ୍ତଙ୍କ ବିରୁଦ୍ଧରେ ଆଭିମୁଖ୍ୟ ରଖୁଛନ୍ତି ।

କୁହାଯାଉଛି, ବୈଜୟନ୍ତ ପଣ୍ଡାଙ୍କର ଏହା ଏକ ରାଜନୈତିକ ଚାଲ୍ । କେନ୍ଦ୍ରମନ୍ତ୍ରୀଙ୍କ ବଢୁଥିବା ପତିଆରାକୁ ଅଟକାଇବା ପାଇଁ ଅନଲାଇନ୍ ପୋଲ୍ ତୀର ମରାଯାଇଛି । ଯାହା ଦ୍ୱାରା ଚାରିଆଡେ ପ୍ରଚାରିତ ହେବ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁଳନାରେ ଅପରାଜିତା ଷଡଙ୍ଗୀ ଆହୁରି ଲୋକପ୍ରିୟ ଏବଂ ତାଙ୍କର ଗ୍ରହଣୀୟତା ଯଥେଷ୍ଟ ଅଧିକ । ଏହାଦ୍ୱାରା ଦୁଇଟି ଉଦ୍ଦେଶ୍ୟ ସାଧିତ ହେବ । ଗୋଟିଏ ହେଉଛି କେନ୍ଦ୍ରମନ୍ତ୍ରୀଙ୍କ ସହ ଚାଲିଥିବା ପତିଆରା ଲଢେଇରେ ବୈଜୟନ୍ତ ଗୋଟିଏ ପାଦ ଆଗରେ ରହିବେ ଏବଂ ଅପରାଜିତାଙ୍କ ଭାବମୁର୍ତ୍ତି ବଢାଇ ତାଙ୍କ ଜରିଆରେ ଦିଲ୍ଲୀ ଦରବାରରେ ନିଜ ଦବଦବା ଜାହିର କରିବେ । ଅନୁମାନ କରାଯାଉଛି, ବୈଜୟନ୍ତ ଅପରାଜିତାଙ୍କୁ ମାଧ୍ୟମ କରି ଦିଲ୍ଲୀ ନେତାଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି ।

କଥା ଖାଲି ଏତିକିରେ ସୀମିତ ନଥିଲା । ଏହାର କିଛି ଦିନ ପରେ ଅପରାଜିତା ଷଡଙ୍ଗୀ ନିଜର ଏକ କାର୍ଯ୍ୟକ୍ରମ ଆରମ୍ଭ କରିବା ବେଳେ ସେଠି ଦୁଇ ଚ୍ୟାନେଲର ସମ୍ପାଦକ ମଧ୍ୟ ଉପସ୍ଥିତ ଥିଲେ । ଯାହାକୁ ନେଇ ଆମେ ରିପୋର୍ଟ ମଧ୍ୟ ପ୍ରକାଶ କରିଥିଲୁ । ଯେତେବେଳେ ଅନ୍ୟ କେଉଁ ନେତା, ମନ୍ତ୍ରୀ ଓ ସାଂସଦଙ୍କ କାର୍ଯ୍ୟକ୍ରମକୁ ଏହି ଦୁଇ ସମ୍ପାଦକ ଯାଉନଥିଲେ ସେତେବେଳେ ଅପରାଜିତାଙ୍କ କାର୍ଯ୍ୟକ୍ରମକୁ କିଭଳି ଗଲେ ତାକୁ ନେଇ ମିଡିଆ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । କୁହାଯାଉଛି, ଅପରାଜିତାଙ୍କ ନିକଟତର ହେବା ପାଇଁ ଯଥାସମ୍ଭବ ଉଦ୍ୟମ ଚାଲିଛି । ସେହିଭଳି ନିଜ ଚ୍ୟାନେଲର ସମ୍ପାଦକ ଆଉ ଖବର ଜରିଆରେ ବୈଜୟନ୍ତ ହୁଏତ ଚାହୁଁଥିବେ ଅପରାଜିତାଙ୍କ ବିଶ୍ୱାସ ଜିତିବା ପାଇଁ । କାରଣ ଦିଲ୍ଲୀରେ ଅପରାଜିତାଙ୍କର ଏକ ଭଲ ଲବି ରହିଛି । ଆଉ ଏହା ହିଁ ତାଙ୍କ ପାଇଁ ଲାଭଦାୟକ ହେବ ବୋଲି ହୁଏତ ବୈଜୟନ୍ତ ଭାବିଥାଇପାରନ୍ତି ।

ବଡ କଥା ହେଉଛି, ବୈଜୟନ୍ତଙ୍କ ମାଲିକାନାରେ ଥିବା ଏହି ଚ୍ୟାନେଲ ପୁର୍ବରୁ ମଧ୍ୟ ଏମିତି ସର୍ଭେ କରି ନିଜର ଫାଇଦା ହାସଲ କରିବାକୁ ଗୋଟି ଚଳାଇଛନ୍ତି । ହେଲେ ସବୁଥର ବିଫଳ ହୋଇଥିବାର ଉଦାହରଣ ରାଜ୍ୟବାସୀଙ୍କ ସାମ୍ନାରେ ରହିଛି । ହେଲେ ଏବେ ବୈଜୟନ୍ତ ନିଜ ଦଳ ଭିତରେ ରାଜ୍ୟ ୟୁନିଟରେ ଥିବା ବିବାଦକୁ ମାଧ୍ୟମ କରି ନିଜ ପାଇଁ ଏକ ସ୍ଥାନ ହାସଲ କରିବାକୁ ଉଦ୍ୟମ କରୁଛନ୍ତି । ଚାଲିଥିବା ଚର୍ଚ୍ଚା ଅନୁସାରେ ଏହି ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଆଡେ ଭୀଷଣ ଖପ୍ପା ଅଛନ୍ତି । କେନ୍ଦ୍ରୀୟ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରି ଫେରାଦ ହେବାର ମୁଡରେ ଅଛନ୍ତି ଏହି ନେତା । ଧର୍ମେନ୍ଦ୍ରଙ୍କୁ ପୁରା ରାଜ୍ୟ ବିଜେପି ୟୁନିଟ ସେମାନଙ୍କ ନେତା ବୋଲି ଭାବୁଥିବା ବେଳେ ବୈଜୟନ୍ତ-ଅପରାଜିତା ଏଥିରେ ବ୍ୟତିକ୍ରମ ବୋଲି କର୍ମୀଙ୍କ ମହଲରେ ଧାରଣା ତିଆରି ହୋଇଛି । ଯାହା ଆଗାମୀ ଦିନରେ ବିସ୍ଫୋରକ ମୋଡ ନେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.

Leave A Reply

Your email address will not be published.