ଯେବେ ପଶୁ ପାଲଟିଯାଏ ମଣିଷ…
କଟକ ଭଳି ଏକ ଜନଗହଳିପୂର୍ଣ୍ଣ ସହରରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ଯୁବତୀଙ୍କ ଘରେ କିଛି ଯୁବକ ପଶି ପ୍ରଥମେ ହାତଗୋଡି ବାନ୍ଧି ଦେଇଛନ୍ତି । ଏହା ପରେ ଯୁବତୀଙ୍କୁ ଘରେ ଭିତରେ ପକାଇ ଜାଳିଦେବାକୁ ଉଦ୍ୟମ କରୁଛନ୍ତି । ଦିନ ଦ୍ୱିପହରରେ ଘଟିଛି ଏଭଳି ଘଟଣା । ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଇଥିବା ଯୁବତୀ ଜଣକ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।
ଯୁକ୍ତ ଦୁଇ ବିଜ୍ଞାନରେ ପାଠପଢୁଥିବା ଯୁବତୀଙ୍କ ସହ ଦିନ ଦ୍ୱିପହରରେ ଯାହା ଘଟିଛି ତାହା ନୃଶଂସତାର ସବୁ ସୀମା ଟପିଯାଇଛି । ଯୁବତୀ ଜଣଙ୍କୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ କରାଯାଇଛି । ଏହି ଅମାନୁଷିକ କାଣ୍ଡ ଘଟାଇଛନ୍ତି ୪ ଜଣ ଦୁର୍ବୃତ । ଘରେ କେହି ନଥିବାର ସୁଯୋଗ ନେଇ ୪ ଜଣ ଦୁର୍ବୃତ କଟକ ମାନସିଂପାଟଣାରେ ଥିବା ଯୁବତୀଙ୍କ ଘରକୁ ଯାଇଥିଲେ । ଯୁବତୀ ଜଣକ ଘରେ ଏକୁଟିଆ ଥିବା ଦେଖି ଏହାର ସୁଯୋଗ ନେଇ ଦୁର୍ବୃତ ମାନେ ଯୁବତୀଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ ।
ଯୁବତୀ ତାଙ୍କ ସଂପର୍କୀୟଙ୍କୁ ଦେଇଥିବା ସୂଚନ ଅନୁସାରେ ୪ ଜଣ ଦୁବୃର୍ତ ଘରେ ପଶି ଯୁବତୀଙ୍କ ହାତଗୋଡ ବାନ୍ଧିଦେବା ପରେ ହାତରେ ନିଶା ଇଂଜେକ୍ସନ ଦେଇଥିଲେ । ଏହା ପରେ ପେଟ୍ରୋଲ ଓ କିରୋସିନ ଢାଳିଥିଲେ ଯୁବତୀଙ୍କ ଉପରେ । ଆଉ ନିଆଁ ଲଗାଇଦେଇଥିଲେ । ନିଆଁ ଲାଗିବା ପରେ ଯୁବତୀଙ୍କ ଶରୀର କିଛି ଅଂଶ ପୋଡିଯାଇଛି । ଘରେ ନିଆଁ ଲାଗିଥିବା ଦେଖିବା ପରେ ଦୌଡି ଆସିଥିଲେ ଘରର ମାଲିକ ଓ ଆଖପାଖ ଅଂଚଳର ଲୋକ । ଗୁରୁତର ଅବସ୍ଥାରେ ସେମାନେ ଯୁବତୀଙ୍କୁ ନିଆଁ ଲାଗିଥିବା ଘରୁ ଉଦ୍ଧାର କରିଥିଲେ । ଘରର ଅନେକ କିଛି ଆସବାବା ପତ୍ର ମଧ୍ୟ ଜଳିଯାଇଛି । । ଦମକଳ ବାହିନୀ ପହଚିଂ ନିଆଁକୁ ଆୟତ କରିଛି । ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଏହି ମରଣାନ୍ତକ ଆକ୍ରମଣ ପଛର କାରଣ ପୂର୍ବ ଶତ୍ରୁତା ବୋଲି ଅନୁମାନ କରାଯଉଛି । ପ୍ରେମ ସଂପର୍କ ଓ ଭିଡିଓ ଭାଇରାଲ ନେଇ ୪ ଜଣ ଦୁର୍ବୃତ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ଏହି ମରଣାନ୍ତକ ଆକ୍ରମଣ ହୋଇଛି ସେ ନେଇ ପୁଲିସ ତଦନ୍ତ ଜାରି କରିଛି ।