ରାଜଧାନୀରେ ବିବନ ପାର୍ଟ ଟୁ
ଅଭିଯୁକ୍ତ ଯେତେ ଚାଲାକ ହେଇଥାଉ ନା କାହିଁକି ପୁଲିସ ଆଖିରୁ କେବେ ଲୁଚିକି ବେଶି ଦିନ ରହିପାରିବ ନାହିଁ । ଆଜ୍ଞା ହଁ । ଆମେ ଏଥିପାଇଁ ଏକଥା କହୁଛି, କାରଣ ଗତ କିଛି ଦିନ ତଳେ ୨୨ ବର୍ଷ ତଳର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିବାରେ କମିସନରେଟ ପୁଲିସକୁ ମିଳିଥିଲା ବଡ଼ ସଫଳତା । ଆଉ ଏବେ ଆଉ ଏକ ମାମଲାରେ ୧୩ବର୍ଷ ତଳର ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିଛି ପୋଲିସ । ୧୩ ବର୍ଷ ପରେ ଅଭିଯୁକ୍ତକୁ ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରି ସଫଳ ହୋଇଛି ।
୨୦୦୮ ଅକ୍ଟୋବର ୧୦ ତାରିଖରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ମାମଲାରେ ପଂଚମ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନାକୁ ପୁନେରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡପୁଲିସ । ପୁନେରେ ଜିମ ଟ୍ରେନର ଭାବେ କାମ କରୁଥିଲା ବିକ୍ରମାଦିତ୍ୟ । ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଣି ଫାଇଲ୍ ଖୋଲିଥିଲା ।ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ଅନୁସାରେ , ୧୩ ବର୍ଷ ତଳର ଏହି ହତ୍ୟା ପଛରେ ପ୍ରତିଶୋଧ ହିଁ ମୁଖ୍ୟ କାରଣ ଥିଲା । ସଂଗୀତ ମହାବିଦ୍ୟାଳୟରେ ପାଠପଢା ବେଳର ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିଲା । ସୁମନ୍ତ ଅଭିଯୋଗ କ୍ରମେ କଲେଜରୁ ବହିଷ୍କୃତ ହୋଇଥିଲା ବିକ୍ରମାଦିତ୍ୟ । ଏହା ପରେ ସେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ସହିତ ଅନ୍ୟମାନଙ୍କ ସହ ମିଶି ସୁମନ୍ତଙ୍କୁ ହତ୍ୟା କରିଥିଲା । ଏବଂ ସୁମନ୍ତଙ୍କୁ ବମିଖାଲ ସ୍ଥିତ ଘରୁ ଡାକି ହତ୍ୟା କରିବା ପରେ ସୁମନ୍ତଙ୍କୁ ତାଙ୍କ ଗାଡି ଭିତରେ ହିଁ ରଖି ଦେଇଥିଲା ।
ପୋଲିସ ଏହି ହତ୍ୟାକାଣ୍ଡରେ ୪ ଜଣଙ୍କୁ ଗିରଫ କରିଥିଲା । ହେଲେ ପଂଚମ ଅଭିଯୁକ୍ତ ବିକ୍ରମ ଆଦିତ୍ୟ ଜେନା ଏହି ହତ୍ୟା କରିବା ପରେ ଫେରାର୍ ହୋଇଯିବା ସହିତ ପୋଲିସ ହାତରୁ ଖସି ଯାଇଥିଲା । ଗତ ୧୩ ବର୍ଷ ହେଲା ସେ ପୁନେରେ ରହିବା ସହିତ ଜଣେ ଜିମ୍ ଟ୍ରେନର ଭାବେ କାମ କରୁଥିଲା । ମଝିରେ ମଝିରେ ସେ ନିଜ ଘର ସହିତ ମଧ୍ୟ ସଂପର୍କରେ ରହୁଥିଲା ।