୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ କଡା ଆଭିମୁଖ୍ୟ । ୫ ଜଣ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ପୋଲିସ ଡିଏସପି, ଜଣେ ଓଏଏସ, ଜଣେ ଇନ୍ସପେକ୍ଟର ଓ ଦୁଇ ଜଣ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
୫ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ରରେ ଡି.ଏସ୍.ପି ଭାବରେ ନିଯୁକ୍ତ ଓଡିଶା ପୋଲିସ ସେବା ଅଧିକାରୀ ରବିନ୍ଦ୍ର କୁମାର ସେଠୀଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡିଥିଲେ ଏବଂ ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାର ପୋଲିସ ଇନ୍ସପେକ୍ଟର ବିନୋଦ ବିହାରୀ ନାୟକଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ସେ ବଙ୍ଗମୁଣ୍ଡାରୁ କୁଚିଣ୍ଡାକୁ ଏକ ମାରୁତି ସିଆଜ୍ କାରରେ ଯାଉଥିବା ବେଳେ ବରଗଡ ଟୋଲଗେଟ୍ ନିକଟରେ ଦୁର୍ନୀତି ନିବାରଣ ବିଭାଗର ଏକ ଟିମ୍ ଦ୍ବାରା ଧରା ପଡିଥିଲେ। ତାଙ୍କ ଠାରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରାଯାଇଥିଲା।
ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସପାଲଟିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ତାପସ ରଞ୍ଜନ ଜେନାଙ୍କୁ ତାଙ୍କର ପୌରସେବା କାର୍ୟ୍ୟକାଳ ସମୟରେ ଅପାରଗତା, ଅସାଧୁତା, ଦାୟିତ୍ବରେ ଅବହେଳା, ଆର୍ଥିକ ଅନିୟମିତତା ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ବିଜୟକୃଷ୍ଣ ନାୟକଙ୍କୁ ତାଙ୍କର ପୌରସେବା କାର୍ୟ୍ୟକାଳ ସମୟରେ ଅପାରଗତା, ଦାୟିତ୍ବରେ ଅବହେଳା, ନୈତିକ ସ୍ଖଳନ, ମହିଳାଙ୍କ ସହିତ ଅବୈଧ ସଂପର୍କ, ଜନସାଧାରଣଙ୍କୁ ପୌରସେବା ଯୋଗାଇଦେବା କ୍ଷେତ୍ରରେ ଅନାଗ୍ରହ, ସରକାରୀ ନିର୍ଦ୍ଦେଶାବଳୀର ଅବମାନନା ଏବଂ ଓଡିଶା ସରାକାରୀ ସେବା ଆଚରଣ ବିଧି ୧୯୫୫ର ଉଲଙ୍ଘନ ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସୁନ୍ଦରଗଡ ଜିଲ୍ଲା ବଣାଇର ପୂର୍ବତନ ତହସିଲଦାର ଓଏଏସ୍ ଅଧିକାରୀ ସୁଶୀଲ କୁମାର କୁଜୁରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଢେଙ୍କାନାଳ ସଦର ବ୍ଲକ୍ରେ ବିଡିଓ ଥିବାବେଳେ ସେ ମନରେଗା ପାଣ୍ଠି ଆତ୍ମସାତ କରିଥିଲେ। ବିଭିନ୍ନ ଗାଁରେ ଜାଲ କାଗଜପତ୍ରରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଦର୍ଶାଇ ସରକାରଙ୍କର ୨୪ ଲକ୍ଷ ୨୨ ହଜାର ୫୩୮ ଟଙ୍କା କ୍ଷତି ପହଞ୍ଚାଇଥିଲେ। ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।