ପିପିଲି ଲଢେଇ : ୩ ଦଳର ଦେଲାଣି ଚିନ୍ତା ବଢାଇ
ପିପିଲି ଉପ-ନିର୍ବାଚନ ପାଇଁ ୩ ଦଳର ସିପାହୀ ମୈଦାନକୁ ଓହ୍ଲାଇଲେ । ବିଳମ୍ବରେ ହେଉ ପଛେ ରାତି ଅଧିଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପିପିଲି ଫାଇଟ ପାଇଁ ଅଜିତ ମଙ୍ଗରାଜଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ଆଉ ଏହାସହ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି ପିପିଲି ଭୋଟର । କିଏ ଧରିବ ପିପିଲି ମଙ୍ଗ ତାହାକୁ ନେଇ ପୂରା ନିର୍ବାଚନମଣ୍ଡଳୀରେ ଆରମ୍ଭ ହୋଇଛି ଚର୍ଚ୍ଚା ।
ଚର୍ଚ୍ଚା ଏଥିପାଇଁ ବଢୁଛି କାରଣ ପିପିଲିର ଭୋଟର ଦୀର୍ଘ ବର୍ଷ ପରେ ଜଣେ ନୂଆ ନେତାଙ୍କୁ ବିଧାୟକ ଭାବେ ବାଛିବେ । ଆଶ୍ରିତ ଓ ଅଜିତ ପୂର୍ବରୁ ନିର୍ବାଚନ ଲଢିଥିଲେ ମଧ୍ୟ ଏଯାଏଁ ବିଜୟର ସ୍ୱାଦ ଚାଖିନାହାନ୍ତି । ଅନ୍ୟପଟେ ମହାରଥୀଙ୍କ ପୁଅ ରୁଦ୍ର ନୂଆ ଚେହେରା ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ତେଣୁ ବିଜୟର ଟୀକା ପିନ୍ଧିବା ପାଇଁ ୩ ଦଳର ପ୍ରାର୍ଥୀ ଏବେଠୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । କାରଣ ମହାରଥୀଙ୍କ ଦେହାନ୍ତ ପରେ କଡ ଲେଉଟାଇଛି ପିପିଲି ପଲିଟିକ୍ସ ।
ପୂର୍ବରୁ ଦୀର୍ଘ ଦୁଇ ଦଶନ୍ଧି ହେବ ପିପିଲି ଗଡରେ ବିଜେଡି ବିଜୟ ବାନା ଉଡାଇ ଆସୁଥିଲା । ଉଭୟ କଂଗ୍ରେସ ଓ ବିଜେପିର ଶତ ଚେଷ୍ଟା ପରେ ମଧ୍ୟ ଭାଙ୍ଗିନଥିଲା ବିଜେଡିର ଏହି ଦୁର୍ଗ । ଆଉ ମହାରଥୀ ନିଜର ସାଙ୍ଗଠନିକ ଦକ୍ଷତା ବଳରେ ପିପିଲିକୁ ବିଜେଡିର ଅଭେଦ୍ୟ ଦୁର୍ଗରେ ପରିଣତ କରିଥିଲେ । କିନ୍ତୁ ୨୦୧୯ ନିର୍ବାଚନର ଫଳାଫଳ, ଆଗକୁ ପିପିଲି ପଲିଟିକ୍ସରେ ବଡ ଧରଣର ଓଲଟପାଲଟ ହୋଇପାରେ ବୋଲି ସଂକେତ ଦେଇଥିଲା । କାରଣ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ମହରଥୀଙ୍କୁ କଡା ଟକ୍କର ଦେଇଥିଲେ । ମାତ୍ର ଅଳ୍ପ କେଇ ହଜାର ଭୋଟରେ ହାରି ଯାଇଥିଲେ ମଧ୍ୟ ଆଶ୍ରିତ ବିଜେଡିର ଚିନ୍ତାକୁ ଦ୍ୱିଗୁଣିତ କରି ଦେଇଥିଲେ । ଆଉ ଏବେ ସେହି ଆଶ୍ରିତଙ୍କ ସହ ମୁହାଁମୁହିଁ ହେବେ ଜୁନିୟର ମହାରଥୀ । ତେଣୁ ପିପିଲି ବ୍ୟାଟଲଗ୍ରାଉଣ୍ଡରେ କାହାର ପଲଡା ଭାରି ରହିବ ତାହାର ଅନ୍ଦାଜ ଲଗାଇବା ଏବେଠୁ ମୁସ୍କିଲ ହୋଇ ପଡିଛି । ତେବେ ପିପିଲିବାସୀ କାହାକୁ ନିଜର ନେତା ବାଛିବେ ତାହାର ଉତ୍ତର ଆସନ୍ତା ମେ ୨ରେ ସାମ୍ନାକୁ ଆସିବ ।